“ନିର୍ଯାତିତା ମହିଳା ସରପଞ୍ଚ ଚାମେଲି ଓଝାଙ୍କ ପାଇଁ ଆଶୁ ଉନ୍ନତ ଚିକିତ୍ସା, ସୁରକ୍ଷା ଓ ନିରପେକ୍ଷ ତଦନ୍ତ ଦାବି”
“ଅଭିଯୁକ୍ତମାନଙ୍କୁ ଅବିଳମ୍ବେ ଗିରଫ କରାଯାଉ”
ଭୁବନେଶ୍ୱର,୧୪/୦୬/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲ୍ଲାର ନିର୍ଯାତିତା ମହିଳା ସରପଞ୍ଚ ଚମେଲି ଓଝାଙ୍କ ଉପରେ ଘଟିଥିବା ଘଟଣା ପ୍ରତି ଗଭୀର ଉଦବେଗ ପ୍ରକାଶ କରି ସାମାଜିକ କର୍ମୀ ଓ ଜନ ଆନ୍ଦୋଳନର ନେତୃବୃନ୍ଦ ତାଙ୍କ ପାଇଁ ତୁରନ୍ତ ଉନ୍ନତ ଚିକିତ୍ସା, ପର୍ଯ୍ୟାପ୍ତ ସୁରକ୍ଷା ଏବଂ ଘଟଣାର ନିରପେକ୍ଷ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଗତ ୧୧ ଜୁନରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଂଯୋଜକ ଡଃ ବିଶ୍ଵଜିତଙ୍କ ସଂଯୋଜନାରେ ଏକ ପ୍ରତିନିଧି ଦଳ କେନ୍ଦ୍ରାପଡ଼ା ଜିଲ୍ଲା ହସପିଟାଲରେ ଚାମେଲି ଓଝାଙ୍କୁ ସାକ୍ଷାତ କରିଥିଲେ। ସେହି ସମୟରେ ଚାମେଲି ନିଜ ଜୀବନ ପ୍ରତି ବିପଦ ଥିବା ନେଇ ଆଶଙ୍କା ପ୍ରକାଶ କରିବା ସହ ହସପିଟାଲ ପରିସରରେ ଉପସ୍ଥିତ ପୋଲିସ ଓ ଆକ୍ରମଣକାରୀଙ୍କ ପ୍ରଭାବକୁ ନେଇ ଭୟଭୀତ ଥିବା କହିଥିଲେ। ସେ ନିଜକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଅନୁରୋଧ ମଧ୍ୟ କରିଥିଲେ।
ଜଣେ ଶିକ୍ଷିତ ଦଳିତ ମହିଳା ସରପଞ୍ଚ ଭାବେ ଚାମେଲି ଓଝା ଦୁର୍ନୀତି ଓ ଅନିୟମିତତା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିବାରୁ ତାଙ୍କୁ ପ୍ରଶାସନିକ ଏବଂ ରାଜନୈତିକ ପ୍ରତିହିଂସାର ଶିକାର ହେବାକୁ ପଡ଼ିଛି ବୋଲି ଆମେ ମନେ କରୁଛୁ। ଶାରୀରିକ ଆକ୍ରମଣ, ମାନସିକ ନିର୍ଯାତନା ଏବଂ ପରବର୍ତ୍ତୀ ସମୟରେ ମିଥ୍ୟା ମାମଲାରେ ତାଙ୍କୁ ଗିରଫ କରାଯିବା ଘଟଣା ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଆଇନର ଶାସନ ପ୍ରତି ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି।ବର୍ତ୍ତମାନ ତାଙ୍କ ଶରୀରରେ ଥିବା ଆଘାତ ଏବଂ ଅବ୍ୟାହତ ମାନସିକ ଚାପ ତାଙ୍କ ସ୍ୱାସ୍ଥ୍ୟ ପାଇଁ ଗମ୍ଭୀର ବିପଦ ସୃଷ୍ଟି କରିପାରେ। ଏଭଳି ପରିସ୍ଥିତିରେ ତାଙ୍କୁ ତୁରନ୍ତ କଟକସ୍ଥିତ ଏସ୍.ସି.ବି. ମେଡିକାଲ କଲେଜ ଓ ହସପିଟାଲକୁ ସ୍ଥାନାନ୍ତର କରି ଉନ୍ନତ ଚିକିତ୍ସା ସୁବିଧା ଯୋଗାଇ ଦେବା ସହ ତାଙ୍କର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ଆବଶ୍ୟକ।
ଆମେ ରାଜ୍ୟ ସରକାର ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛୁ ଯେ, ଘଟଣାର ଏକ ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ତୁରନ୍ତ ନିର୍ଦ୍ଦେଶ ଦିଆଯାଉ। ଚାମେଲି ଓଝାଙ୍କ ଅଭିଯୋଗ ଅନୁସାରେ ଯେଉଁ ପୋଲିସ ଅଧିକାରୀ, ବିଡିଓ ଓ ଅନ୍ୟାନ୍ୟ ବ୍ୟକ୍ତି ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ନିରପେକ୍ଷ ତଦନ୍ତ ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
ନିର୍ଯାତିତା ମହିଳା ସରପଞ୍ଚ ଚାମେଲି ଓଝାଙ୍କ ପ୍ରତି ସମବେଦନା ଓ ନ୍ୟାୟ ଦାବିରେ ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା ଓ ଲୋକଶକ୍ତି ଅଭିଯାନର ସମ୍ପାଦକ କଲ୍ୟାଣ ଆନନ୍ଦ ଆଜି ସକାଳ ୬ ଘଟିକାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ବ୍ୟକ୍ତିଗତ ଉପବାସ ପାଳନ କରିଛନ୍ତି।ଏହି ମିଳିତ ବିବୃତ୍ତିରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଂଯୋଜକ ଡଃ ବିଶ୍ଵଜିତ, ଲୋହିଆ ଏକାଡ଼େମୀର ସମ୍ପାଦକ ଦେବପ୍ରସାଦ ରାୟ ଓ ସାମାଜିକ କର୍ମୀ ଦେବୀପ୍ରସାଦ ପୃଷ୍ଟି ପ୍ରମୁଖ ସାମାଜିକ କର୍ମୀ ଓ ଜନ ଆନ୍ଦୋଳନର ନେତୃବୃନ୍ଦ ଘଟଣାର ନ୍ୟାୟସଙ୍ଗତ ସମାଧାନ ଏବଂ ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି।
