ସମସ୍ତ ଭିନ୍ନକ୍ଷମଙ୍କୁ ୟୁଡିଆଇଡି ପ୍ରଦାନକୁ ଗୁରୁତ୍ୱ

ଭୁବନେଶ୍ୱର,୦୧/୦୮/୨୦୨୫ (ଓଡ଼ିଶା ସମାଚାର)- ‘ସକ୍ଷମା’ ର ତୃତୀୟ ବୈଠକ ଭିନ୍ନକ୍ଷମ ଆୟୁକ୍ତ ଶ୍ରୀମତୀ ବ୍ରତତୀ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି  । ବୈଠକରେ ଅତିରିକ୍ତ ନିର୍ଦ୍ଧେଶକ (ଜନସ୍ୱାସ୍ଥ୍ୟ), ଡଃ ରେଖା ଭଗତ ଓଡ଼ିଶା ରାଜ୍ୟର ଭିନ୍ନକ୍ଷମମାନଙ୍କୁ ୟୁଡିଆଇଡି କାର୍ଡ ଯୋଗାଇଦେବା ଉପରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ ଓ ବଳକା ରହିଯାଇଥିବା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଏହା କିପରି ଶୀଘ୍ର ପ୍ରଦାନ କରାଯାଇ ପାରିବ ତାହା ଉପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର ବିଚାର କରୁଛନ୍ତି ବୋଲି କହିଥିଲେ  । ହସ୍ପିଟାଲଗୁଡିକରେ ଭିନ୍ନକ୍ଷମ ରୋଗୀମାନଙ୍କୁ ଧାଡିରେ ଆସିବାକୁ ନ କହି ଆଇନ ତଥା ସରକାରୀ ନିର୍ଦ୍ଧେଶନାମା ଅନୁଯାୟୀ ଅଗ୍ରାଧିକାର ଦିଆଯାଉ ବୋଲି ଭିନ୍ନକ୍ଷମ ଆୟୁକ୍ତ ମତ ରଖିଥିଲେ  ।

ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡଃ ଅରବିନ୍ଦ ମହାନ୍ତି ସରକାରୀ ଯୋଜନା ସମ୍ବନ୍ଧରେ ସବିଶେଷ ତଥ୍ୟ ଓ ଭିନ୍ନକ୍ଷମମାନଙ୍କ ବ୍ୟବହର ପାଇଁ ଉଦ୍ଧିଷ୍ଟ ଉପକରଣଗୁଡିକୁ ସେମାନଙ୍କ ନିକଟରେ ସହଜରେ ପହଂଚାଇବା ପାଇଁ ପ୍ରତି ବ୍ଲକରେ ଏକ ସୁବିଧା କେନ୍ଦ୍ର ଖୋଲିବା ଉପରେ ଦୃଢମତ ପୋଷଣ କରିଥିଲେ  । ଏସଭି ନିରତାରର ନିର୍ଦ୍ଧେଶକ ଡଃ ପତିତପାବନ ମହାନ୍ତି ଭିନ୍ନକ୍ଷମମାନଙ୍କ ନିମନ୍ତେ ନିରତାରରେ ଉପଲବ୍ଧ ବିଭିନ୍ନ ଯୋଜନା ଓ ପ୍ରଶିକ୍ଷଣ କାର୍ଯ୍ୟାକ୍ରମ ବିଷୟରେ ସୂଚନା ଦେଇଥିଲେ  । ବିଶଦ ଆଲୋଚନାରେ ଉପସ୍ଥିତ ଭିନ୍ନକ୍ଷମ ବ୍ୟକ୍ତିବିଶେଷ ଭାଗ ନେଇଥିଲେ ଓ ଜିଲା ସାମାଜିକ ସୁରକ୍ଷା ଅଧିକାରୀ, ଖୋର୍ଦ୍ଧା ଓ କଟକ ସେମାନଙ୍କୁ ଆବଶ୍ୟକ ସୂଚନା ପ୍ରଦାନ କରିଥିଲେ  ।

ଶେଷରେ ଭିନ୍ନକ୍ଷମ ଆୟୁକ୍ତଙ୍କ ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀ ବୈଠକରେ ଯୋଗଦେଇଥିବା ସମସ୍ତ ଅଧିକାରୀ, ବ୍ୟକ୍ତିବିଶେଷ ଓ ଗଣମଧ୍ୟମର ସମସ୍ତ କର୍ମକର୍ତାଙ୍କୁ ଧନ୍ୟବାଦ ଦେଇଥିଲେ । ଆୟୁକ୍ତଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର ଅଧିକାରୀ ବୈଠକରେ ଉପସ୍ଥିତ ଥିବା ସମସ୍ତଙ୍କୁ ସ୍ୱାଗତ କରିଥିଲେ  । ତାପରେ ଭିନ୍ନକ୍ଷମ ଆୟୁକ୍ତ ମିଟିଂର ଉଦ୍ଧେଶ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ ଏବଂ ରେଡିଓ ଉଡ଼ାନ ର ପ୍ରତିଷ୍ଠାତା ଡକ୍ଟର ଦାନିଷ ମହାଜନ ଭିଡିଓ କନଫେରେନ୍ସ ମାଧ୍ୟମରେ ଯୋଗଦେଇ ଦେଶବିଦେଶର ଭିନ୍ନକ୍ଷମ ସମ୍ପର୍କିତ ବିଭିନ୍ନ ଘଟଣାବଳୀ ସମ୍ବନ୍ଧରେ ଉପସ୍ଥାପନ କରିଥିଲେ  । ଏହି ବୈଠକରେ ଏସସିବି ମେଡ଼ିକାଲ କଲେଜ ଇଏନଟି ମୁଖ୍ୟ ପ୍ରଫେସର ସ୍ମୃତି ସ୍ୱାଇଁ ଙ୍କ ସହିତ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ଭିନ୍ନକ୍ଷମ ବ୍ୟକ୍ତିମାନେ ଯୋଗ ଦେଇଥିଲେ  ।

Leave a Reply

Your email address will not be published. Required fields are marked *