ଗୌଡ଼ୀୟ ବୈଷ୍ଣବ ସମ୍ମଳନୀ ଆସନ୍ତା ୧୩ ଓ ୧୪ ରେ

ଭୁବନେଶ୍ୱର, ୧୦/୦୮/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଆସନ୍ତା ୧୩ ଓ ୧୪ ଅଗଷ୍ଟ, ୨୦୨୫  ରେ ଜବାହାରଲାଲ୍ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍, କଟକ  ଠାରେ ଗୌଡ଼ୀୟ ବୈଷ୍ଣବ ସମ୍ମଳନୀ ପାଳନ ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ସ୍ଵସ୍ତି ପ୍ରିମିୟମର ଦୀପ ମହଳ ହଲ୍ ଠାରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି। ଏଥିରେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଦର୍ଶନ, ଶିକ୍ଷା, ନୀତି ଓ ଆଦର୍ଶ ଆଦି ମାନବ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ଶ୍ରୀଲ ଭକ୍ତିସିଦ୍ଧାନ୍ତ ସରସ୍ଵତୀ ଗୋସ୍ଵାମୀ ପ୍ରଭୁପାଦ ସମାଜର ସମସ୍ତ ବର୍ଗର ଲୋକମାନଙ୍କୁ ଆଧ୍ୟାତ୍ମିକ ଚେତନାରେ ଆଲୋର୍କିତ କରିବା ପାଇଁ, ଏହାର ପ୍ରଚାର ଓ ପ୍ରସାର ପାଇଁ ଭାରତ ଏବଂ ବିଦେଶରେ ୬୬ଟି ମଠ ସ୍ଥାପନ କରିଥିଲେ ଏବଂ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଶିକ୍ଷାରେ ସମସ୍ତଙ୍କୁ ଅନୁପ୍ରାଣିତ କରିଥିଲେ ।

୬ ଫେବୃୟାରୀ ୧୮୭୪ ମସିହାରେ ଶ୍ରୀଲ ଭକ୍ତିସିଦ୍ଧାନ୍ତ ସରସ୍ଵତୀ ଗୋସ୍ୱାମୀ ପ୍ରଭୁପାଦ ଶ୍ରୀଧାମ ପୁରୀ (ନାରୟଣ ଛତା ମଠ, ଗ୍ରାଣ୍ଡ ରୋଡ଼)ରେ ଶ୍ରୀଲ ଭକ୍ତିବିନୋଦ ଠାକୁର ଓ ଭଗବତୀ ଦେବୀଙ୍କୁ ଆଶ୍ରୟ କରି ବିଶ୍ଵରେ ଆବିର୍ଭାବ ହୋଇଥିଲେ । ଶ୍ରୀଲ ପ୍ରଭୁପାଦ ୬ ମାସ ବୟସରେ ପ୍ରଭୁ ଶ୍ରୀ ଜଗନ୍ନାଥ ଦେବଙ୍କ ମାଲ୍ୟ-ପ୍ରସାଦ (ମାଳା)ର ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ । ଜୀବନବ୍ୟାପୀ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରି ଶ୍ରୀ ଧାମ ମାୟାପୁରରେ ୧୦୦ କୋଟି ନାମଯଜ୍ଞ କରିବା ପରେ ସପାର୍ଷଦ ଶ୍ରୀମନ୍ ଚୈତନ୍ୟ ମହାପ୍ରଭୁ ତାଙ୍କ ସମ୍ମୁଖରେ ଆବିର୍ଭୁତ ହୋଇ ଭାଗବତ ଧର୍ମ ଏବଂ ଏହାର ଶିକ୍ଷା ପ୍ରଚାର ପ୍ରସାର କରିବାକୁ ଆଶୀର୍ବାଦ ଦେଇଥିଲେ ।

ପିତା ଶ୍ରୀଲ ଭକ୍ତିବିନୋଦ ଠାକୁର ଏବଂ ଦୀକ୍ଷାଗୁରୁ ଶ୍ରୀଲ ଗୌରକିଶୋର ଦାସ ବାବାଜୀ ମହାରାଜ ଭାଗବତ ଧର୍ମକୁ ବିଭିନ୍ନ ଭାଷାରେ (ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଆସାମୀ, ଇଂରାଜୀ, ସଂସ୍କୃତ) ପ୍ରଚାର କରିବା ପାଇଁ ତାଙ୍କୁ ପ୍ରେରଣା ଦେଇଥିଲେ । ପରେ ସେ ବହୁତ ଉଦ୍ୟମ ସହିତ ସମ୍ବାଦ ପତ୍ର, ପାକ୍ଷିକ ଓ ମାସିକ ପତ୍ରିକା ଏବଂ ଶ୍ରୀମଦ୍ ଭାଗବତ, ଶ୍ରୀଚୈତନ୍ୟ ଭାଗବତ, ଶ୍ରୀଚୈତନ୍ୟ ଚରିତାମୃତ ଭଳି ଅନେକ ବୈଷ୍ଣବ ଧର୍ମର ଗ୍ରନ୍ଥ ମାଧ୍ୟମରେ ବାର୍ଭା ପ୍ରଚାର ଓ ପ୍ରସାର କରିଥିଲେ । ୧୯୩୩ ମସିହାରେ ୟୁରୋପୀୟ ଦେଶକୁ ସାଧୁମାନଙ୍କୁ ପ୍ରେରଣ କରି ସେଠାରେ ପ୍ରଥମ ହିନ୍ଦୁ ମନ୍ଦିର ସ୍ଥାପନ କରିଥିଲେ ।

ଛଳ ଧର୍ମର ପ୍ରତାରଣାକାରୀ ଦକ୍ଷତାକୁ ଦମନ କରି ସେ ବିଶ୍ଵରେ ‘ଦୈବ-ବର୍ଷାଶ୍ରମ ଧର୍ମ ପ୍ରତିଷ୍ଠା କରି ଶୁଦ୍ଧଭକ୍ତି ପ୍ରଚାର କରିଥିଲେ । ଦୈବ-ବର୍ଣ୍ଣାଶ୍ରମ ଧର୍ମ ହେଉଛି ଇଶ୍ଵର ପ୍ରାପ୍ତ ଉଦ୍ଦେଶ୍ୟରେ ବର୍ଷାଶ୍ରମ ଧର୍ମ ପାଳନ । ନେତାଜୀ ସୁବାଷ ଚନ୍ଦ୍ର ବୋଷ, ପଣ୍ଡିତ ମଦନମୋହନ ମାଲବ୍ୟ, ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ଇତ୍ୟାଦି ପ୍ରଖ୍ୟାତ ବ୍ୟକ୍ତିତ୍ଵମାନେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ସେ ଅନେକ ସନ୍ୟାସୀ, ବ୍ରହ୍ମଚାରୀ ଏବଂ ଗୃହୀ ଭକ୍ତଙ୍କୁ ବିଶୁଦ୍ଧ କୃଷ୍ଣଭକ୍ତିର ଶିକ୍ଷା ପ୍ରଦାନ କରି ଏକ ସୁସ୍ଥ ସମାଜ ପ୍ରତିଷ୍ଠାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ୧୯୩୭ ମସିହା ଜାନୁଆରୀ ୧ ତାରିଖରେ, ସେ କଲିକତାର ବାଗବଜାରସ୍ଥିତ ଶ୍ରୀ ଗୌଡ଼ୀୟ ମଠରେ ଏହି ଜଗତରୁ ପର ଜଗତକୁ ପ୍ରବେଶ କରିଥିଲେ ।

ଶ୍ରୀଲ ଭକ୍ତିସିଦ୍ଧାନ୍ତ ସରସ୍ଵତୀ ଗୋସ୍ଵାମୀ ପ୍ରଭୁପାଦ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ପଦାଙ୍କପୂତ ସ୍ଥାନ କଟକ ନଗରୀରେ ୧୯୨୬ ମସିହାରେ ଗୌଡ଼ୀୟ ମିଶନର ଶାଖା ଶ୍ରୀସଚ୍ଚିଦାନନ୍ଦ ମଠ ପ୍ରତିଷ୍ଠା କରିଥିଲେ, ଯେଉଁଠାରେ ଆଜି ପର୍ଯ୍ୟନ୍ତ ଶ୍ରୀଶ୍ରୀଗୌର ବିନୋଦରମଣ ଜୀଉ ସେବା ପାଉଛନ୍ତି । ୧୯୩୨ ମସିହାରେ ସେ ଏକ ପାକ୍ଷିକ ପତ୍ରିକା (ପରମାର୍ଥୀ) ପ୍ରକାଶ କରିଥିଲେ ଏବଂ ପରେ ୧୯୩୬ ମସିହାରେ ସେ “ ପରମାର୍ଥୀ ପ୍ରିଣ୍ଟିଙ୍ଗ ୱାର୍କସ୍” ସ୍ଥାପନ କରିଥିଲେ ଏବଂ ଶ୍ରୀମନ୍ ଚୈତନ୍ୟ ମହାପ୍ରଭୁଙ୍କ ଶିକ୍ଷା ତଥା ଦର୍ଶନକୁ ଓଡ଼ିଆ ଭାଷାରେ ପ୍ରଚାର କରିବା ଉଦ୍ଦେଶ୍ୟରେ ଅନେକ ବୈଷ୍ଣବ ଧର୍ମଗ୍ରନ୍ଥ ପ୍ରକାଶ କରିଥିଲେ । ରେଭେନ୍ସା କଲେଜର ଜଣେ ସୁନାମଧନ୍ୟ ଅଧ୍ୟାପକ ପ୍ରଫେସର ନିଶିକାନ୍ତ ସନ୍ୟାଲ୍ ନିଜ ଜୀବନକୁ ପ୍ରଭୁପାଦଙ୍କ ପାଦପଦ୍ମରେ ଉତ୍ସର୍ଗ କରି ଶେଷ ନିଃଶ୍ଵାସ ପର୍ଯ୍ୟନ୍ତ ବହୁ ସେବାକରି ଏକ ଆଦର୍ଶ ସ୍ଥାପନ କରିଥିଲେ ।

ଶ୍ରୀସଚ୍ଚିଦାନନ୍ଦ ମଠରେ ପ୍ରତିବର୍ଷ ଚନ୍ଦନ ଯାତ୍ରା, ଝୁଲଣ ଯାତ୍ରା, ଶ୍ରୀଗୌର ଜୟନ୍ତୀ, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ଶ୍ରୀରାଧାଷ୍ଟମୀ, ଗୋବର୍ଦ୍ଧନ ପୂଜା, ଅନ୍ନକୁଟ ମହୋତ୍ସବ, କାର୍ଷିକ ବ୍ରତ ଇତ୍ୟାଦି ଉତ୍ସବମାନ ମହାସମାରୋହରେ ପାଳନ କରାଯାଏ ଏବଂ ହଜାର ହଜାର ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥାଏ । “ ଶ୍ରୀ ଗୋକୁଲ ଗୋ-ସେବା ଆଶ୍ରମ” ନାମରେ ଏକ ଗୋଶାଳା ମଠ ପରିସରରେ ଅନେକ ଗୋମାତାଙ୍କୁ ସେବା କରାଯାଇଥାଏ । ଶ୍ରୀସଚ୍ଚିଦାନନ୍ଦ ମଠରୁ ନିୟମିତ ଭାବରେ ପରମାର୍ଥୀ ନାମକ ଏକ ମାସିକ ପତ୍ରିକା ଏବଂ ଗୌଡ଼ୀୟ ବୈଷ୍ଣବ ପୁସ୍ତକମାନ ପ୍ରକାଶିତ ହୋଇଆସୁଅଛି । ଏହି ମଠ ଅଧୀନରେ ଏକ ହୋମିଓପାଥ ଦାତବ୍ୟ ଚିକିତ୍ସାଳୟ ମାଧ୍ୟମରେ ହଜାର ହଜାର ଅସହାୟ ଲୋକଙ୍କୁ ସେବା ପ୍ରଦାନ କରାଯାଇଥାଏ ।

ଶ୍ରୀଲ ଭକ୍ତିସିଦ୍ଧାନ୍ତ ସରସ୍ଵତୀ ଗୋସ୍ଵାମୀ ପ୍ରଭୁପାଦ (ଗୌଡ଼ୀୟ ମଠ ଏବଂ ମିଶନର ପ୍ରତିଷ୍ଠାତା)ଙ୍କ ୧୫୧ତମ ଶୁଭ ଆବିର୍ଭାବ ପୁର୍ତି ଉପଲକ୍ଷେ ଏବଂ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀ ସଚ୍ଚିଦାନନ୍ଦ ମଠ (୧୯୨୬-୨୦୨୫)ର ଶତବାର୍ଷିକୀ ପାଳନ ଅବସରରେ ଗୌଡ଼ୀୟ ମିଶନ ଦ୍ବାରା କଟକର ଜବାହାରଲାଲ୍ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମରେ ଓଡ଼ିଶାର ଅନ୍ୟାନ୍ୟ ଗୌଡ଼ୀୟ ମଠଙ୍କ ସହଯୋଗରେ ୧୩ ଏବଂ ୧୪ ଅଗଷ୍ଟ ୨୦୨୫ରେ ଏକ ଗୌଡ଼ୀୟ ବୈଷ୍ଣବ ସମ୍ମିଳନୀ ଆୟୋଜନ କରାଯାଇଛି ।

ଏହି ପବିତ୍ର କାର୍ଯ୍ୟକ୍ରମରେ ଶ୍ରୀଲ ପ୍ରଭୁପାଦଙ୍କ ଅବଦାନ ଓ ବୈଶିଷ୍ଟ୍ୟ ସମ୍ବନ୍ଧରେ ପ୍ରବଚନ, ଭକ୍ତିପୂର୍ଣ କୀର୍ତନ, ଆଧ୍ୟାତ୍ମିକ ପ୍ରଦର୍ଶନୀ, ଆଲୋଚନା, ପ୍ରତିଯୋଗିତା ଇତ୍ୟାଦି ଅନୁଷ୍ଠିତ ହେବ । ଓଡ଼ିଶାର ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସରସଂଘଚାଳକ ଡ଼କ୍ଟର ମୋହନ ଭାଗବତ ଓ ବିଭିନ୍ନ ଗୌଡ଼ୀୟ ପ୍ରତିଷ୍ଠାନର ଆଚାର୍ଯ୍ୟ ବୃନ୍ଦ, ସାଧୁସନ୍ଥ ଏବଂ ମନ୍ତ୍ରୀ ,ମାନ୍ୟଗଣ୍ୟ ବ୍ୟକ୍ତିଗଣ  ଏହି ଅବସରରେ ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *