ଭୁବନେଶ୍ୱର,୧୨/୦୬/୨୦୨୬ (ଓଡ଼ିଶା ସମାଚାର)- କାଠଯୋଡ଼ି ନଦୀରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମଙ୍କ ମୃତଦେହ ମିଳିବା ମାମଲାରେ ଚନ୍ଦ୍ରିକାଙ୍କ ଓଏଏସ୍ ବୟଫ୍ରେଣ୍ଡ ଭୀମସେନ ଟୁଡୁ ଗିରଫ ହୋଇଛନ୍ତି । ମୟୁରଭଞ୍ଜରୁ ପୋଲିସ ତାଙ୍କୁ ଗିରଫ କରିଛି । ଭୀମସେନ ବିଷୋୟୀ ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, କାଠଯୋଡ଼ି ନଦୀରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମଙ୍କ ମୃତଦେହ ମିଳିଥିଲା । ଏହି ମାମଲାରେ ଭଞ୍ଜବାଳା ଙ୍କ ପୁରୁଷ ବନ୍ଧୁ ଅଭିଯୁକ୍ତ ଓଏଏସ୍ ଅଧିକାରୀ ଭୀମସେନ ଟୁଡୁ ଙ୍କ ବିରୁଦ୍ଧରେ ମୃତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ତାଙ୍କ ପାଇଁ ଅଡ଼ୁଆ ବଢ଼ିଥିଲା । ସମ୍ପୃକ୍ତ ଓଏଏସ୍ ଅଧିକାରୀଙ୍କ ପରିବାରରୁ ତାଙ୍କ ବାପା, ମାଆ, ଭଉଣୀ, ଭାଇ ଏବଂ ଭିଣୋଇଙ୍କୁ ବାରଙ୍ଗ ଥାନା ପୁଲିସ ଜେରା କରି ଛାଡ଼ିଥିବାର ସୂଚନା ମିଳିଛି । ପୁଅକୁ ତୁରନ୍ତ ଆଣି ଥାନାରେ ପହଞ୍ଚାଇବା ପାଇଁ ପରିବାର ଲୋକଙ୍କୁ ତଦନ୍ତକାରୀ ଅଧିକାରୀ କହିଥିଲେ।
ଅନ୍ୟପଟେ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମ୍ (୨୯)ଙ୍କର ବ୍ୟବଚ୍ଛେଦ ରିପୋର୍ଟ ବାରଙ୍ଗ ଥାନା ପୁଲିସର ହସ୍ତଗତ ହୋଇଛି । ଚନ୍ଦ୍ରିକାଙ୍କର ପାଣି ବୁଡ଼ି ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ କରିଥିବା ସୂଚନା ମିଳିଛି । ବ୍ୟବଚ୍ଛେଦ ରିପୋର୍ଟରୁ ହତ୍ୟାକାଣ୍ଡ ସମ୍ପର୍କରେ କୌଣସି ପ୍ରମାଣ ନାହିଁ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି ।
ଉଲ୍ଲେଖ ଯୋଗ୍ୟ ଯେ, ଗତ ୪ତାରିଖ ସକାଳେ ନେତାଜୀ ସୁଭାଷ ସେତୁ ତଳୁ ଅଳ୍ପ ପାଣିରୁ ବାରଙ୍ଗ ଥାନା ପୁଲିସ ଚନ୍ଦ୍ରିକାଙ୍କ ମୃତଦେହ ଉଦ୍ଧାର କରିଥିଲା । ଚନ୍ଦ୍ରିକାଙ୍କ ଘର ମୟୂରଭଞ୍ଜ ଓ ସେ ବାଲେଶ୍ୱର ମେଡିକାଲ୍ କଲେଜରେ ଏମବିବିଏସ୍ ପଢ଼ୁଥିଲେ । ମୃତଦେହ ମିଳିବା ପରେ ଚନ୍ଦ୍ରିକାଙ୍କ ମା’ ହୀରାମଣି ହାଁସଦା ବାରଙ୍ଗ ଥାନାରେ ଏକ ଏତଲା ଦେଇଥିଲେ ।
