ପିଜିଟି ଶିକ୍ଷକଙ୍କ ଦିଗଦର୍ଶନ କର୍ମଶାଳାର ଆୟୋଜନ

ପ୍ରଶିକ୍ଷଣ ନେବେ ୧୨୦ ଜଣ ପିଜିଟି

ଭୁବନେଶ୍ୱର,୦୮/୦୬/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ନିମନ୍ତେ ଦିଗଦର୍ଶନ କର୍ମଶାଳାର ଆୟୋଜନ କରାଯାଇଛି । ଶିରିପୁରସ୍ଥିତି ଇମେଜ୍ ଠାରେ ପ୍ରାୟ ୧୨୦ ଜଣ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ନେଇ ଦିଗଦର୍ଶନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଉଦଘାଟନୀ ଅଧିବେଶନରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (TE&SCERT) ର ନିର୍ଦ୍ଦେଶକ ଶ୍ରୀମତୀ ମଧୁସ୍ମିତା ସାହୁ,  ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀମତୀ ନିୟତୀ ପଟ୍ଟନାୟକ,  ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ସସ୍ମିତା ମାଳି,  ଉପନିର୍ଦ୍ଦେଶକ ଶ୍ରୀମତୀ ସି.ଏଚ୍. ବିଜୟଲକ୍ଷ୍ମୀ, ଉପନିର୍ଦ୍ଦେଶକ ଶ୍ରୀ ଜିତେନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ TE&SCERT ନିର୍ଦ୍ଦେଶକ ଶ୍ରୀମତୀ ସାହୁ ପିଜିଟି ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ  ସମସ୍ୟାର ସମାଧାନ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ । ସମାଜ ଓ ଦେଶ ପାଇଁ ଉତ୍ତମ ନାଗରିକର ଗଠନର ଭାର ଶିକ୍ଷକଙ୍କ ଉପରେ ନ୍ୟସ୍ତ ଥାଏ ତେବେ ଛାତ୍ରଛାତ୍ରୀଙ୍କୁ ଉଚିତ୍ ଦିଗଦର୍ଶନ ଦେବା ଶିକ୍ଷକମାନଙ୍କ କର୍ତ୍ତବ୍ୟ ବୋଲି ସେ ମତ ପ୍ରକାଶ କରିଛନ୍ତି । ଉଚ୍ଚ ମାଧ୍ୟମିକ ଶିକ୍ଷା ହେଉଛି ବିଦ୍ୟାଳୟ ଶିକ୍ଷା ଓ ଉଚ୍ଚଶିକ୍ଷା ମଧ୍ୟରେ ଏକ ସେତୁ । ତେଣୁ ଏହି ସମୟରେ ଛାତ୍ରଙ୍କ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଥିବା ସେ କହିଛନ୍ତି । ଏଥିସହ ଛାତ୍ର ଓ ଶିକ୍ଷକ ମଧ୍ୟରେ ରହୁଥିବା ବ୍ୟବଧାନକୁ ଚିହ୍ନଟ କରି ଏହାର ସମାଧାନ କରିବାକୁ ଶ୍ରୀମତୀ ସାହୁ ପରାମର୍ଶ ଦେଇଛନ୍ତି । ସେହିପରି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀମତୀ ପଟ୍ଟନାୟକ ଉଦବୋଧନ ଦେଇ ପିଜିଟି ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ସର୍ବଦା ଜ୍ଞାନ ଆହରଣ ପ୍ରକ୍ରିୟା ଜାରି ରଖିବାକୁ ଉପଦେଶ ଦେଇଛନ୍ତି । ଶିକ୍ଷା ଦେବା ନିମନ୍ତେ ନିଜେ ଶିକ୍ଷା ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସେ ମତ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଦିଗଦର୍ଶନ କର୍ମଶାଳା ମାଧ୍ୟମରେ ଶିକ୍ଷକମାନେ ଯାହା ଶିଖିକି ଯାଇଥାନ୍ତି, ତାହା ଛାତ୍ରଛାତ୍ରୀମାନଙ୍କୁ ଦକ୍ଷ କରିବାରେ ସହାୟକ ହୋଇଥାଏ ।

ଏଥିସହ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ମାଳି ସ୍ବାଗତ ଅଭିଭାଷଣ ରଖି କର୍ମଶାଳାର ବିସ୍ତୃତି ବିବରଣୀ ପ୍ରଦାନ କରିଥିଲେ । ଉପନିର୍ଦ୍ଦେଶକ ଶ୍ରୀମତୀ ବିଜୟଲକ୍ଷ୍ମୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଉପନିର୍ଦ୍ଦେଶକ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ, ପିଜିଟି ଶିକ୍ଷକଶିକ୍ଷୟିତ୍ରୀଙ୍କୁ ନେଇ ଆୟୋଜିତ ଦିଗଦର୍ଶନ କର୍ମଶାଳା ଦୁଇଟି ପର୍ଯ୍ୟାୟରେ ଆୟୋଜନ କରାଯିବ । ପ୍ରଥମ ପର୍ଯ୍ୟାୟ ଜୁନ୍ ୮ ରୁ ଜୁନ୍  ୧୨ ତାରିଖ ଯାଏଁ ଅନୁଷ୍ଠିତ ହେଉଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ କର୍ମଶାଳା ଜୁନ୍ ୧୬   ତାରିଖରୁ ଜୁନ୍ ୨୦ ତାରିଖ ଯାଏଁ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ, ବାଣିଜ୍ୟର ୧୨୦ ଜଣ ପିଜିଟି ଯୋଗ ଦେଇଛନ୍ତି ।  ଏହି କର୍ମଶାଳାରେ ଜାତୀୟ ଶିକ୍ଷା ନୀତି ୨୦୨୦ ର ବିଭିନ୍ନ ଦିଗ, ଆଇସିଟିର ବ୍ୟବହାର, ଓଡିଶା ଏଜୁକେସନ୍ ରୁଲ୍, ସାମ୍ସ ଓ ଶିକ୍ଷାଜ୍ୟୋତି ପୋର୍ଟାଲର ବ୍ୟବହାର, ପୋଶ୍ ଆକ୍ଟ, ଛାତ୍ରବୃତ୍ତି, ପ୍ରଶାସନିକ ଭୂମିକା, ପରୀକ୍ଷା ଏବଂ ମୂଲ୍ୟାଙ୍କନ ଯୋଜନା, କ୍ୟାରିଅର ମାର୍ଗଦର୍ଶନ ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ ।

-0-

ରୋଜାଲିନ୍ ସାହୁ,ଲୋକସମ୍ପର୍କ ଅଧିକାରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *