ଓଡ଼ିଶା ଷ୍ଟେଟ ପ୍ରେସ୍ କ୍ଲବ ଓ ଯାଶ ରିଦିମ୍ ପ୍ରୋ ପକ୍ଷରୁ ବିଷ୍ଣୁ ସେଠୀଙ୍କ ୬୬ତମ ଜନ୍ମବାର୍ଷିକୀ

ବିଷ୍ଣୁ ସେଠୀ ଜଣେ ସ୍ପଷ୍ଟବାଦୀ, ନିର୍ଭୀକ ଓ ସଚ୍ଚୋଟ ରାଜନେତା ଥିଲେ : ବାଚସ୍ପତି
ଭୁବନେଶ୍ୱର,୦୫/୦୬/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିଧାନସଭାରେ ବିରୋଧି ଦଳର ସ୍ୱରକୁ ଯଥାଯଥ ଭାବରେ ଉପସ୍ଥାପନ କରିବା କ୍ଷେତ୍ରରେ ପୂର୍ବତନ ବିଧାୟକ ସ୍ୱର୍ଗତ ବିଷ୍ଣୁ ଚରଣ ସେଠୀଙ୍କର ଭୂମିକା ପ୍ରଶଂସନୀୟ ଥିଲା । ରାଜ୍ୟର ରାଜନୀତି ତଥା ପ୍ରଶାସନିକ କ୍ଷେତ୍ରରେ ରହୁଥିବା ଦୋଷ ଦୁର୍ବଳତା ତଥା ତ୍ରୁଟି ବିଚୁ୍ୟତିକୁ ବିଧାନସଭାରେ ଉପସ୍ଥାପନ କରିବାରେ ତାଙ୍କ ସମକକ୍ଷ ନେତା ବିରଳ ବୋଲି ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ କହିଛନ୍ତି ।

ସ୍ୱର୍ଗତ ବିଷ୍ଣୁ ଚରଣ ସେଠୀଙ୍କ ୬୬ତମ ଜନ୍ମବାର୍ଷିକୀ ଅବସରରେ ଶୁକ୍ରବାର ଭୁବନେଶ୍ୱର ଜୟଦେବ ଭବନଠାରେ ଓଡ଼ିଶା ଷ୍ଟେଟ ପ୍ରେସ୍ କ୍ଲବ ଏବଂ ଯାଶ ରିଦିମ୍ ପ୍ରୋ ପକ୍ଷରୁ ମିଳିତ ଭାବେ ଏକ ଶ୍ରଦ୍ଧାଞ୍ଜଳି ସଭା ଓ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ପାଢୀ ସ୍ୱର୍ଗତ ସେଠୀଙ୍କୁ ବର୍ତମାନ ସମାଜର ରାଜନୀତି କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଆଦର୍ଶ ବୋଲି କହିଥିଲେ । ସ୍ୱର୍ଗତ ସେଠୀ ଜଣେ ସ୍ପଷ୍ଟବାଦୀ, ନିର୍ଭୀକ ଓ ସଚ୍ଚୋଟ ରାଜନେତା ଥିଲେ ବୋଲି ବର୍ଣ୍ଣନା କରିଥିଲେ । ଏହି ଉତ୍ସବରେ ଅନ୍ୟତମ ଉଦଘାଟକ ଭାବେ ଯୋଗଦେଇ ରାଜସ୍ୱ, ବିପର୍ଯ୍ୟୟ ଓ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କର ଜଣେ ଦଳୀୟ କର୍ମକର୍ତା ଭାବରେ କାର୍ଯ୍ୟର ଦକ୍ଷତା ବର୍ଣ୍ଣନା କରିଥିଲେ ମଧ୍ୟ ଦଳମତ ନିର୍ବିଶେଷରେ ଜନସାଧାରଣଙ୍କ ପାଇଁ ସମାଜସେବୀ ଭାବରେ ସେ ଜଣେ ପ୍ରଶଂସନୀୟ କର୍ମୀ ଥିଲେ ବୋଲି କହିଥିଲେ । ଏହି ଅବସରରେ ଶ୍ରୀ ପୂଜାରୀ ସ୍ୱର୍ଗତ ସେଠୀଙ୍କର ରାଜନୀତିଜ୍ଞ, ସାହିତି୍ୟକ, ଆଶୁକବି ଆଦି ବିଭିନ୍ନ ପ୍ରକାରର ବହୁମୁଖୀ ପ୍ରତିଭା ଥିବା କହିଥିଲେ ।

ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ଜଣେ ରାଜନେତା ଭାବରେ ସ୍ୱର୍ଗତ ସେଠୀଙ୍କର ବିଭିନ୍ନ ସମୟରେ ହାସଲ କରିଥିବା ସଫଳତା ଆଲୋଚନା କରିବା ସହ ତାଙ୍କୁ ଜଣେ ଆଦର୍ଶ ଜନନେତା ଭାବରେ ଅଭିହିତ କରିଥିଲେ । ଦୈନିକ ସମ୍ବାଦ ଏବଂ କନକ ଟିଭିର ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକ ସ୍ୱର୍ଗତ ସେଠୀଙ୍କର ସାମ୍ବାଦିକମାନଙ୍କ ସହ ସମ୍ପର୍କ ବର୍ଣ୍ଣନା କରି କହିଥିଲେ ଯେ, ସେ ସାମ୍ବାଦିକ ନଥିଲେ ସତ, କିନ୍ତୁ ସାମ୍ବାଦିକମାନଙ୍କର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗଗୁଡ଼ିକୁ ସବୁବେଳେ ବିଧାନସଭାରେ ଉପସ୍ଥାପନ କରିଥିଲେ । ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ ଆଲୋଚନାରେ ଅଂଶଗ୍ରହଣ କରି ସ୍ୱର୍ଗତ ସେଠୀଙ୍କର ବହୁମୁଖୀ ପ୍ରତିଭା ବର୍ଣ୍ଣନା କରିବା ସହ ଦଳୀୟ ରାଜନୀତିରେ ଥାଇ ମଧ୍ୟ ସେ ସବୁବେଳେ ଲୋକଙ୍କ ସ୍ୱାର୍ଥ ପାଇଁ ସ୍ୱର ଉତୋଳନ କରୁଥିଲେ ବୋଲି କହିଥିଲେ ।

ଏହି ଉତ୍ସବରେ ଓଡ଼ିଶା ଷ୍ଟେଟ ପ୍ରେସ୍ କ୍ଲବର ଉପ ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ କୁମାର ମହାନ୍ତି ଓ ଯୁଗ୍ମ ସମ୍ପାଦକ କିଶୋର ମଙ୍ଗରାଜ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ଷ୍ଟେଟ ପ୍ରେସ୍ କ୍ଲବର ମୁଖ୍ୟ ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ସଭାପତିତ୍ୱ କହିଥିଲେ ଯେ, ବର୍ତମାନ ସମୟରେ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ଭଳି ଶାନ୍ତ, ସରଳ ଏବଂ ହାସ୍ୟ ରସାତ୍ମକ ଭଙ୍ଗୀରେ ସରକାରଙ୍କୁ ସମାଲୋଚନା କରିବା ଠାରୁ ଆରମ୍ଭ କରି ଲୋକଙ୍କ ସମସ୍ୟା ଉପସ୍ଥାପନ ପର୍ଯ୍ୟନ୍ତ କରିପାରୁଥିବା ନେତା ବିରଳ ବୋଲି କହିଥିଲେ । ଓଡ଼ିଶା ଷ୍ଟେଟ ପ୍ରେସ୍ କ୍ଲବର ସାଧାରଣ ସମ୍ପାଦକ ସନତ ମିଶ୍ରଙ୍କ ଉପସ୍ଥାପନାରେ ଆୟୋଜିତ ଏହି ଉତ୍ସବରେ ଓଡ଼ିଶା ଷ୍ଟେଟ ପ୍ରେସ୍ କ୍ଲବ ପକ୍ଷରୁ ସ୍ୱର୍ଗତ ବିଷ୍ଣୁ ଚରଣ ସେଠୀଙ୍କ ପରିବାରବର୍ଗଙ୍କୁ ‘ଉତ୍କଳ ସୂର୍ଯ୍ୟ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା ।

ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ପ୍ରଫେସର ଜିତେନ୍ଦ୍ର ନାଥ ଦାସ, ସ୍ୱାଗତିକା ଅନୁଷ୍ଠାନର ଅସିତ କୁମାର ମହାନ୍ତି, ନିଖିଳ ଓଡ଼ିଶା ପ୍ରଗତିଶୀଳ ଲେଖକ ମହାସଂଘର ସାଧାରଣ ସମ୍ପାଦକ କଣ୍ଡୁରୀ ଚରଣ ଦାସ, ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, ‘ସମାଜ’ର ସନ୍ଦୀପ ଚୌଧୁରୀ ଓ ଅଜିତ କୁମାର ଶତପଥୀ, ‘ସମ୍ବାଦ’ର ଚୌଧୁରୀ ଅମିତାଭ ଦାସ, ‘ଧରିତ୍ରୀ’ର ଲାଲା ସୁନିଲ କୁମାର ରଥ, ‘ପ୍ରମେୟ’ର ମୁକେଶ ପରିଡ଼ା, ‘ପ୍ରଗତିବାଦୀ’ର ଲଳିତେନ୍ଦୁ ପଟ୍ଟନାୟକ, ‘ଓଟିଭି’ର ନିରଞ୍ଜନ ରେଡି, ‘କନକ ଟିଭି’ର ସୌମ୍ୟ ତ୍ରିପାଠୀ, ‘ଅର୍ଗସ ଟିଭି’ର ଶିଶିର ଭଟ୍ଟମିଶ୍ର, ‘ନୁ୍ୟଜ୍-୧୮’ର ଅଜେଶ ମଲ୍ଲିକ, ‘କଳିଙ୍ଗ ଟିଭି’ର ଚିନ୍ମୟ ପଟ୍ଟନାୟକ, ‘ନୁ୍ୟଜ୍-୭’ର ଆଲୋକ ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଶିକ୍ଷା କ୍ଷେତ୍ରରେ ଦେବରାୟ କଲେଜର ପୂର୍ଣ୍ଣଚନ୍ଦ୍ର ଦାସ, କଟକ ଡିଏଭି ସ୍କୁଲ୍ ର ସାନଭି ମହାନ୍ତିଙ୍କୁ ଆଶୁତୋଷ ଶିଶୁ ଆୱାର୍ଡ଼, ସନ୍ଧ୍ୟାରାଣୀ ପରିଡ଼ା, ପରିଚାଳନା ନିର୍ଦେଶକ କେ ବଦ୍ରି ନାରାୟଣ ସୁବୁଦ୍ଧି, ଯାଶ ରିଦିମ୍ ପ୍ରୋ, ଗୀତାଞ୍ଜଳି ଆୱାର୍ଡ, ଚକ୍ଷୁ ବିଶେଷଜ୍ଞ ଅଶୋକ କୁମାର ନନ୍ଦ ଏବଂ ଜେ.ଜେ ଆକ୍ସିଡେଂଟାଲ ଅନୁଷ୍ଠାନକୁ ପୁରସ୍କୃତ କରାଯାଇଥିଲା ।

ସ୍ୱାଗତିକା ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଜାତୀୟ ଶିଶୁ ମହୋତ୍ସବ ଉପଲକ୍ଷେ ୯ଟି ବିଭିନ୍ନ ବିଭାଗରେ ୪୦ଜଣ କୃତି ପ୍ରତିଯୋଗିକୁ ପୁରସ୍କୃତ କରାଯାଇଥିଲା । ଓଡ଼ିଶା ରେଡ଼କ୍ରସ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏଥିରେ ୩୦ଜଣ ସ୍ୱେଚ୍ଛାସେବୀ ରକ୍ତଦାନ କରିଥିଲେ । ଏହି ଉତ୍ସବରେ ଓଡ଼ିଶା ଷ୍ଟେଟ ପ୍ରେସ୍ କ୍ଲବର ସାମ୍ବାଦିକ ରମାକାନ୍ତ ପରିଜା, ସ୍ୱଦେଶ ଚନ୍ଦ୍ର ଦାସ, ଜୀବନ କୁମାର ଦୀକ୍ଷିତ, ବିଭୂତି ଭୂଷଣ କର ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିଲେ ।

ବିଶିଷ୍ଟ କଣ୍ଠଶିଳ୍ପୀ ହୁ୍ୟମାନ ସାଗର, ଅଭିଜିତ ମଜୁମଦାରଙ୍କ ସ୍ମୃତି ଉଦ୍ଧେଶ୍ୟରେ ଏବଂ ସ୍ୱର୍ଗତ ବିଷ୍ଣୁ ଚରଣ ସେଠୀଙ୍କ ଜନ୍ମବାର୍ଷିକୀ ଅବସରରେ ଯାଶ ରିଦିମ୍ ପ୍ରୋ ପକ୍ଷରୁ ଆୟୋଜିତ ଏହି ସାଂସ୍କୃତିକ ଉତ୍ସବରେ କଣ୍ଠଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲିତ, ଅଞ୍ଜନା ତ୍ରିପାଠୀ, ଦିଲ୍ଲୀପ କୁମାର ରାଉତ, ହିମାଂଶୁ ଶେଖର ବର୍ମା, ଚରଣଦୀପ ଖୋସଲା, ନମ୍ରତା ରାଉତ, ଶଶାଙ୍କ ଶେଖର ସାହୁ, ନିହାରିକା ଦାସ ଓ ନୀଳମାଧବ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଗୁନ୍ ଗୁନ୍ ଉପସ୍ଥାପନ କରିଥିଲେ ।

Leave a Reply

Your email address will not be published. Required fields are marked *