ଓଡ଼ିଶା ଓ ଜାପାନର ତତ୍ତୋରି ପ୍ରଦେଶ ସହିତ ମୈତ୍ରୀ ଚୁକ୍ତି ନେଇ ଆଲୋଚନା

ଓଡ଼ିଶା ଏବଂ ତତ୍ତୋରି ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଓ  ଅଧିକାରୀମାନଙ୍କ ସହିତ  ଆଭାସୀ ବୈଠକ

ଅର୍ଥନୀତି, ପର୍ଯ୍ୟଟନ ଓ ଯୁବ ବିନିମୟ କ୍ଷେତ୍ରରେ ସହଯୋଗ ଉପରେ ଗୁରୁତ୍ୱ

ଭୁବନେଶ୍ୱର,୦୫/୦୬/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା ସରକାର ଏବଂ ଜାପାନର ତତ୍ତୋରି ସରକାରଙ୍କ ମଧ୍ୟରେ ପ୍ରସ୍ତାବିତ ମୈତ୍ରୀ ଚୁକ୍ତି (ଫ୍ରେଣ୍ଡସିପ୍ ଏଗ୍ରିମେଣ୍ଟ ) ସମ୍ପର୍କିତ ଏକ ଅନଲାଇନ ବୈଠକ ଆଜି ଅନୁଷ୍ଠିତ ହୋଇଛି। ଉଭୟ ପକ୍ଷ ମଧ୍ୟରେ ଦୀର୍ଘମିଆଦୀ ସହଯୋଗ ଓ ପାରସ୍ପରିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ବିଭିନ୍ନ ବିଷୟ ଉପରେ ଫଳପ୍ରଦ ଆଲୋଚନା ହୋଇଥିଲା।ବୈଠକରେ  ତତ୍ତୋରି ସରକାରଙ୍କ ପକ୍ଷରୁ  ଓଡ଼ିଶା ସରକାରଙ୍କ ସହିତ ଅର୍ଥନୈତିକ ସହଯୋଗ, ପର୍ଯ୍ୟଟନ, ସାଂସ୍କୃତିକ ଆଦାନ-ପ୍ରଦାନ, ଛାତ୍ର ଓ ଯୁବ ବିନିମୟ, ଏବଂ ମାନବ ସମ୍ବଳ ବିକାଶ ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଦିଆଯାଇଥିବା ମୈତ୍ରୀ ଚୁକ୍ତିର ଖସଡ଼ା ପ୍ରସ୍ତାବ ସଂପର୍କରେ ଆଲୋଚନା କରାଯାଇଥିଲା । 

          ବୈଠକର ପ୍ରାରମ୍ଭରେ  ଓଡ଼ିଶା ରାଜ୍ୟ  ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ  ଏବଂ ତତ୍ତୋରି ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବଏଣ୍ଡୋତୋଶିକିଉଭୟ ସରକାରଙ୍କ ପକ୍ଷରୁ ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ ।  ତୋତ୍ତୋରି ସରକାରଙ୍କ ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ଓ ଆନ୍ତର୍ଜାତିକ ଆଦାନ-ପ୍ରଦାନ ବ୍ୟୁରୋ, ତତ୍ତୋରି ବିକାଶ କାର୍ଯ୍ୟାଳୟ, ଗୃହ ଓ ଆନ୍ତର୍ଜାତିକ ବ୍ୟାପାର ଡିଭିଜନ, ବାଣିଜ୍ୟ ଓ ଲଜିଷ୍ଟିକ୍ସ ବିଭାଗ ଆଦି ପଦାଧିକାରୀ ଏବଂ ଆନ୍ତର୍ଜାତୀୟ ସଂପର୍କ ସଂଯୋଜକ ଏବଂ ଜାପାନସ୍ଥିତ ଭାରତୀୟ ଦୂତାବାସର ପ୍ରତିନିଧି ମଧ୍ୟ ଯୋଗଦେଇଥିଲେ ।  ଲୋକସେବା ଭବନରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ  ଗୃହ, ଶିଳ୍ପ, ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ,  କ୍ରୀଡ଼ା ଓ ଯୁବସେବା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା  ବିଭାଗ କମିଶନର ତଥା ଶାସନ ସଚିବ,ଇପିକଲର ପରିଚାଳନା ନିର୍ଦ୍ଦେଶକ ଓ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।ଓଡ଼ିଶା ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ,ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗବିଭାଗ କମିଶନର ତଥା ଶାସନ ସଚିବ ପ୍ରମୁଖ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ।

          ବୈଠକରେ ତତ୍ତୋରି ପ୍ରଦେଶର ପ୍ରତିନିଧି ଦଳଙ୍କ ଆଗାମୀ ଓଡ଼ିଶା ଗସ୍ତ ନେଇ ମଧ୍ୟ ଆଲୋଚନା ହୋଇଥିଲା। ଚଳିତ ବର୍ଷ ଜୁଲାଇ ମାସରେ ତତ୍ତୋରି ସରକାରଙ୍କ ଏକ କାର୍ଯ୍ୟ-ସ୍ତରୀୟ  ପ୍ରତିନିଧି ଦଳ ଓଡ଼ିଶା ଗସ୍ତ କରିବାକୁ ଥିବାବେଳେ ନଭେମ୍ବର ମାସରେ ଟୋଟୋରି ପ୍ରଦେଶର ରାଜ୍ୟପାଳଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଓଡ଼ିଶା ଆସିବେ ବୋଲି ସୂଚନା ଦିଆଯାଇଥିଲା।ଏହି ପ୍ରସ୍ତାବିତ ମୈତ୍ରୀ ଚୁକ୍ତି ମାଧ୍ୟମରେ ଉଭୟ ରାଜ୍ୟ ମଧ୍ୟରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ସହଯୋଗ, ସ୍ଥାନୀୟ ଉତ୍ପାଦର ପ୍ରୋତ୍ସାହନ, ଶିକ୍ଷା ଓ ଦକ୍ଷତା ବିକାଶ, ପର୍ଯ୍ୟଟନର  ପ୍ରଚାର ଏବଂ ପାରସ୍ପରିକ ଜନ ସମ୍ପର୍କ ବୃଦ୍ଧି ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

          ପ୍ରକାଶ ଥାଉକି ଗତ ମଇ ୨o ତାରିଖରେ କୋଲକାତାସ୍ଥିତ ଜାପାନର ମହାବାଣିଜ୍ୟ ଦୂତଓଡ଼ିଶା ଗସ୍ତ କରିମାନ୍ୟବର  ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏ ପ୍ରସଙ୍ଗରେ ଆଲୋଚନା କରିବା ସହିତ ମଇ ୨୧ ତାରିଖରେ ସେ ମଧ୍ୟ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହିତ ଏକ ବୈଠକରେ ଯୋଗ ଦେଇଥିଲେ । 

-0-

ପଠାଣି ରାଉତ,ମୁଖ୍ୟ ଶାସନ ସଚିବଙ୍କ ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *