ଜିଲା କଂଗ୍ରେସ ସଭାପତି ଆଶାୟୀଙ୍କ ସହ ଆଲୋଚନା କଲେ ଗୋପିନାଥ

କେନ୍ଦ୍ରାପଡ଼ା,୧୨/୦୯/୨୦୨୫(ଓଡ଼ିଶା ସମାଚାର)- କର୍ଣ୍ଣାଟକ ରାଜ୍ୟ ଦାୟୀତ୍ୱରେ ଥିବା ଅଖିଳ ଭାରତ କଂଗ୍ରେସ କମିଟି ସମ୍ପାଦକ ଗୋପିନାଥ ପାଲାନିୟାପ୍ପନ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କେନ୍ଦ୍ରାପଡା ଜିଲା ପର୍ଯ୍ୟବେକ୍ଷକ ମାନସ କରଙ୍କ ସହିତ ଶୁକ୍ରବାର ପୂର୍ବାହ୍ନରେ କଜଳାସ୍ଥିତ ଜିଲା କଂଗ୍ରେସ ଭବନରେ ପହଂଚି ଥିଲେ । ପ୍ରଥମେ କଂଗ୍ରେସ ଭବନ ପରିସରରେ ଥିବା ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଏହାପରେ ପର୍ଯ୍ୟବେକ୍ଷକ ଶ୍ରୀ ପାଲାନିୟାପ୍ପନ ଜିଲା କଂଗ୍ରେସ ଭବନରେ ଜିଲା କଂଗ୍ରେସ ସଭାପତି ପଦ ନିମନ୍ତେ ଆଶାୟୀ ଥିବା ପ୍ରାର୍ଥୀ ପ୍ରଫୁଲ୍ଲ ଦାସ, ହଳଧର ସେଠୀ, ସଞ୍ଜୟ କୁମାର ରାଉତ, ଫକିର ଚରଣ ଖଟୁଆ, ସତ୍ୟପ୍ରିୟ ସାମଲ, ମଳୟ ଦାସ, ରତିକାନ୍ତ କାନୁନଗୋ ପ୍ରମୁଖଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଥିଲେ ।

ପରେ ପର୍ଯ୍ୟବେକ୍ଷକ ଶ୍ରୀ ପାଲାନିୟାପ୍ପନ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା ଓ ଆଇନଜୀବୀ ବିଧୁଭୂଷଣ ମହାପାତ୍ରଙ୍କ ସମେତ ଦଳର ଅନ୍ୟ ନେତା ଓ କର୍ମୀମାନଙ୍କ ସହ ଆଲୋଚନା କରିବା ପରେ ନାଗରିକ ସମାଜ ଏବଂ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସହ ୱାନ ଟୁ ୱାନ ଆଲୋଚନା କରି କାହାକୁ କଂଗ୍ରେସ ଦଳର ଜିଲା ସଭାପତି କଲେ ସାଂଗଠନିକ ତଥା ଦଳର ହିତଦୃଷ୍ଟିରୁ ଶୁଭଙ୍କର ହେବ ବୋଲି ପଚାରି ବୁଝିଥିଲେ ।

Leave a Reply

Your email address will not be published. Required fields are marked *