ଧାନ ସଂଗ୍ରହରେ ଯାଜପୁରର ସଫଳତାକୁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ପ୍ରଶଂସା

— ଜିଲ୍ଲାରେ ଖରିଫ ଓ ରବି ଧାନ ସଂଗ୍ରହ, ଖାଦ୍ୟ ସୁରକ୍ଷା ଯୋଜନା, ପବ୍ଲିକ ଡିଷ୍ଟ୍ରିବ୍ୟୁସନ୍ ସିଷ୍ଟମ, ଏଲପିଜି ଯୋଗାଣ ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ

— ଖରିଫ ଧାନ ସଂଗ୍ରହରେ ଯାଜପୁର ଜିଲ୍ଲାର ୯୮.୧୬ ପ୍ରତିଶତ ଟାର୍ଗେଟ ହାସଲ

— ଯୋଗାଣ ବିଭାଗରେ ଦୁର୍ନୀତିକୁ ସହ୍ୟ କରାଯିବ ନାହିଁ: ମନ୍ତ୍ରୀ ଶ୍ରୀ ପାତ୍ର

— ଲୋକଙ୍କ ଖାଦ୍ୟ ସମସ୍ୟା ଦୂର କରିବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା

ଯାଜପୁର,୩୧/୦୫/୨୦୨୬ (ଓଡ଼ିଶା ସମାଚାର)- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯାଜପୁର ଗସ୍ତରେ ଆସି ଯାଜପୁର ଜିଲ୍ଲାରେ ଖରିଫ ଓ ରବି ଧାନ ସଂଗ୍ରହ ବାବଦରେ ସମୀକ୍ଷା କରିଛନ୍ତି। ଜିଲ୍ଲା ଯୋଗାଣ ଅଧିକାରୀ ପବ୍ଲିକ ଡିଷ୍ଟ୍ରିବ୍ୟୁସନ୍ ସିଷ୍ଟମ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା, ପିଡିଏସ ହିତାଧିକାରୀଙ୍କ ଇ-କେୟାଇସି ସମ୍ବନ୍ଧୀୟ ପରିସଂଖ୍ୟାନ ମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିଥିଲେ। ଧାନ ସଂଗ୍ରହରେ ଯାଜପୁର ଜିଲ୍ଲା ଭଲ ପ୍ରଦର୍ଶନ କରିଥିବାରୁ ମନ୍ତ୍ରୀ ଶ୍ରୀ ପାତ୍ର ପ୍ରଶଂସା କରିଥିଲେ। ଆର୍ଥିକ ବର୍ଷ ୨୦୨୫-୨୬ ରେ ଖରିଫ ଧାନ ସଂଗ୍ରହରେ ଯାଜପୁର ଜିଲ୍ଲା ୯୮.୧୬ ପ୍ରତିଶତ ଟାର୍ଗେଟ ହାସଲ କରିଛି ଏବଂ ୯୧.୧୭ ପ୍ରତିଶତ ଚାଷୀ ଏଥିରେ ଅନ୍ତର୍ଭୁକ୍ତ ହୋଇଛନ୍ତି।

ଏହି ସଫଳତା ପାଇଁ ସରକାର ରାଜ୍ୟ ସ୍ତରରେ ଯାଜପୁର ଜିଲ୍ଲାକୁ ପୁରସ୍କୃତ କରିଛନ୍ତି। ୨୫-୨୬ ଆର୍ଥିକ ବର୍ଷରେ ୫୯୯୬୧ ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ମୋଟ ୧୯୪୪୬୩୮ କ୍ୱିଣ୍ଟାଲ ଖରିଫ ଧାନ ସଂଗ୍ରହ କରାଯାଇଛି। ସେହିଭଳି ଚଳିତ ରବି ଋତୁରେ ୩୦ ଟି ପ୍ରାଥମିକ କୃଷି ସମବାୟ ସମିତି ପଞ୍ଜୀକରଣ କରିଥିବା ବେଳେ ୯ ଟି ମିଲର ଅଂଶଗ୍ରହଣ କରିଛନ୍ତି ଏବଂ ୪୬୦୭ କୃଷକ ପଞ୍ଜୀକରଣ କରିଛନ୍ତି। ସରକାରଙ୍କ ପକ୍ଷରୁ ଯାଜପୁର ଜିଲ୍ଲା ପାଇଁ ୧୧୫୫୦୦ କ୍ୱିଣ୍ଟାଲ ରବି ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଧାନ ସଂଗ୍ରହ ବେଳେ ଚାଷୀଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରିବା ସହ ସମ୍ପୃକ୍ତ ନୋଡାଲ ଅଫିସର ସେଠାରେ ଉପସ୍ଥିତ ରହିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଗରିବ ଲୋକ ଯେମିତି ତୁରନ୍ତ ରାସନ୍ କାର୍ଡ ପାଇବେ, ସେ ଦିଗରେ ଦୃଷ୍ଟି ଦେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଯୋଗାଣ ବିଭାଗରେ ଦୁର୍ନୀତିକୁ ସହ୍ୟ କରାଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କଡ଼ାକଡ଼ି କହିଛନ୍ତି। ଯେଭଳି ଟଙ୍କାଟିଏ ମଧ୍ୟ ଦୁର୍ନୀତି ନ ହେବ, ସେ ଦିଗରେ ସଚେତନ ହେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେଉଁ କେଉଁ ସ୍ଥାନରେ ଧାନ ରଖିବା ପାଇଁ ଗୋଦାମ ଆବଶ୍ୟକ ରହିଛି, ସେ ସମ୍ପର୍କରେ ଲିଖିତ ଭାବେ ଜଣାଇବାକୁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ କହିଥିଲେ।

ଏହାସହ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହେବ ଏବଂ ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ ପାଇବେ ବୋଲି ଯୋଗାଣ ମନ୍ତ୍ରୀ ଉଲ୍ଲେଖ କରିଥିଲେ। ଏହାଦ୍ୱାରା ଲୋକଙ୍କ ଖାଦ୍ୟ ସମସ୍ୟା ଦୂର ହେବ ବୋଲି ସେ କହିଛନ୍ତି। ଜିଲ୍ଲାରେ ପ୍ରତି ୧୦୦ ରେ ୮୩ ଜଣ ହିତାଧିକାରୀ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ହୋଇଛନ୍ତି। ଯାଜପୁର ଜିଲ୍ଲାରେ ମୋଟ ୧୫,୨୦,୨୦୨ ହିତାଧିକାରୀ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ଅଛନ୍ତି। ବର୍ତ୍ତମାନ ୯୭ ପ୍ରତିଶତ ପିଡିଏସ ହିତାଧିକାରୀଙ୍କ ଇ-କେୟାଇସି ଶେଷ ହୋଇଛି। ଆସନ୍ତା ମାସ ଶେଷ ସୁଦ୍ଧା ଶହେ ପ୍ରତିଶତ ଇ-କେୟାଇସି ଶେଷ କରିବା ପାଇଁ ଚେଷ୍ଟା କରାଯାଉଛି ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କହିଥିଲେ। ଏହାସହ ମନ୍ତ୍ରୀ ଶ୍ରୀ ପାତ୍ର ଏଲପିଜି ଗ୍ୟାସ ଯୋଗାଣ ସ୍ଥିତି ମଧ୍ୟ ସମୀକ୍ଷା କରିଥିଲେ। ମଇ ମାସ ସୁଦ୍ଧା ଯାଜପୁର ଜିଲ୍ଲାରେ ୩୫ ଟି ଏଜେନ୍ସୀ ଏବଂ ୨୩ ଟି ଅନ୍ୟାନ୍ୟ ଜାଗା ଉପରେ ଇନ୍ସପେକ୍ସନ କରାଯାଇଛି। ଯୋଗାଣ ବିଭାଗ ପକ୍ଷରୁ ୩୧୯ ଟି ଘରୋଇ ସିଲିଣ୍ଡର ଏବଂ ୪୭ ଟି କମର୍ସିଆଲ ସିଲିଣ୍ଡର ସିଜ୍ କରାଯାଇଛି। ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଉପଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ଜିଲ୍ଲା ଯୋଗାଣ ଅଧିକାରୀ ଦିଲ୍ଲୀପ ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ବ୍ଲକର ବିଡ଼ିଓ, ମାର୍କେଟ ଇନ୍ସପେକ୍ଟର, ଆରଏମସି ସମ୍ପାଦକ, ସମବାୟ, କୃଷି ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ବଡ଼ଚଣା ବିଡ଼ିଓ ରବୀନ୍ଦ୍ର କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *