ଜୟ ଚୌହାନ ଆହତ , ଅନ୍ୟ ୪ ଅପରାଧୀ ଗିରଫ
ଝାରସୁଗୁଡ଼ା,୩୦/୦୫/୨୦୨୬(ଓଡ଼ିଶା ସମାଚାର)- ୧୮ ଦିନ ପରେ ଝାରସୁଗୁଡ଼ା ପୁଲିସ ର ଏନକାଉଂଟର । ଜିଲାର ବିଭିନ୍ନ ଅଂଚଳରେ ସଙ୍ଗୀନ ମାମଲା ରହିଥିବା ଏକ ଗ୍ୟାଙ୍ଗ ରେଙ୍ଗାଲି ଥାନା ଅଂଚଳରେ ବଡ଼ ଡଧରଣର ଡ଼କାୟତି କରିବାକୁ ଯୋଜନା କରୁଥିଲା । ଶୁକ୍ରବାର ବିଳମ୍ବିତ ରାତିରେ ପୁଲିସ ସେହି ଗ୍ୟାଙ୍ଗକୁ ପିଛା କରିଥିଲା । ପୁଲିସ ଉପରକୁ ଗୁଳି ଚଳାଇ ରାୟଗଡ଼ ପଟକୁ ଫେରାର ହୋଇଯାଉଥିଲେ । ଏତିକିବେଳେ ଛେଳିଆଘାଟି ମା ଘଂଟେଶ୍ୱରୀ ମନ୍ଦିର ନିକଟରେ ଏକ ସନ୍ଦିଗ୍ଧ ପିକଅପ୍ ଭ୍ୟାନ ଦୃତ ଗତିରେ ଆସୁଥିବା ଦେଖି ତାକୁ ଅଟକାଇବାକୁ ଚାହିଁବାରୁ କନକତୋରା ରାସ୍ତାରେ ସଂଲଗ୍ନ ଜଙ୍ଗଲ ରେ ପୁଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲେ ।
ହେଲେ ପୁଲିସ ର ପାଲଟା ଗୁଳି ରେ କୁଖ୍ୟାତ ଅପରାଧୀ ଗାନ୍ଧି ଛକ ଅଂଚଳର ଜୟ ଚୌହାନ (୩୦) ଆହତ ହେବାରୁ ତାକୁ କାବୁ କରାଯାଇଛି । ଅନ୍ୟମାନେ ଖସିଯିବାକୁ ସକ୍ଷମ ହୋଇଥିଲେ । ଜୟ ଚୌହାନ ର ଜଂଘରେ ଗୁଳି ବାଜିଛି । ତାକୁ ଲଖନପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଅନ୍ୟ ୪ ଜଣଙ୍କୁ ଗିରଫ କରାଯାଇଛି ।
ଗିରଫ ହୋଇଥିବା ଅନ୍ୟ ୪ ଜଣ ହେଉଛନ୍ତି ବ୍ରଜରାଜନଗର ର କରଣ ଚୌହାନ (୨୮), ବିଶ୍ୱଜିତ ନାୟକ(୨୭), ସନ୍ତୋଷ ମାହାତୋ(୨୮) ଓ ରୋହିତ ସିଂ (୩୦) । ସମସ୍ତ ଅଭିଯୁକ୍ତଙ୍କ ନାମରେ ହତ୍ୟା ଉଦ୍ୟମ, ଡ଼କାୟତି , ଅସ୍ତ୍ର ଶସ୍ତ୍ର କାରବାର ଭଳି ସଙ୍ଗୀନ ମାମଲା ରହିଥିବା ଝାରସୁଗୁଡ଼ା ଏସପି ଜି ଆର ରାଘବେନ୍ଦ୍ର କହିଛନ୍ତି । ସେମାନଙ୍କ ନିକଟରୁ ଗୋଟିଏ ଦେଶି ପିସ୍ତଲ, ଭୁଜାଲି , ଏକ ପିକଅପ୍ ଭ୍ୟାନ୍ ଆଦି ଜବତ କରାଯାଇଛି । ଝାରସୁଗୁଡ଼ା ପୁଲିସ ର ଏହା ୨ୟ ଏନକାଉଂଟର ।
