୧୫ ଦଫା ଦାବିକୁ ବିଏମସି ମାନିନେଲା
ଭୁବନେଶ୍ୱର,୨୬/୦୫/୨୦୨୬(ଓଡ଼ିଶା ସମାଚାର)- ବର୍ତମାନ ଭୁବନେଶ୍ୱର ମହାନଗର ନିଗମ ତରଫରୁ ଯେଉଁଭଳି ଭାବରେ ଉଠାଦୋକାନୀ ଆଇନକୁ ଖାତିର ନକରି ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରି ଚାଲିଛନ୍ତି ତାହାର ପ୍ରତିବାଦରେ ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘର ସଭାପତି ପ୍ରତାପ ସାହୁଙ୍କ ନେତୃତ୍ୱରେ ନିଖିଳ ଉତ୍କଳ ସୁରକ୍ଷା କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ମିଳିତ ସହଯୋଗରେ ୨୬ ତାରିଖ ମଙ୍ଗଳବାର ଆନ୍ତର୍ଜାତୀୟ ଉଠାଦୋକାନ ଉଚ୍ଛେଦ ଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ବିଏମସିର ମୁଖ୍ୟ କାର୍ଯ୍ୟାଳୟ ଓ ତିନୋଟି ଜୋନାଲ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ଡାକରା ଦିଆଯାଇଥିଲା । ଏହି ଘେରାଉ ଡାକରାକୁ ପୁଲିସ୍ କମିଶନର ହୃଦୟଙ୍ଗମ କରି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ଡିଆଇବି କମଳଲୋଚନ ସାର୍, ଏସିପି ଓ ଏସିପି କ୍ୟାପିଟାଲଙ୍କୁ ବିଏମସି କମିଶନରଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରିବା ପାଇଁ ନିର୍ଦେଶ ଦେଇଥିଲେ । ଏହି ଦୁଇଜଣ ଏସିପି ତାଙ୍କ କାର୍ଯ୍ୟକୁ ଠିକ୍ ଭାବରେ ତୁଲାଇ ସୋମବାର ଦିନ ବିଏମସି କମିଶନର ଚଂଚଳ ରଣା ଓ ଭେଣ୍ଡିଂଜୋନ ଡେପୁଟି କମିଶନର ଅଜୟ ମହାନ୍ତି ମହାସଂଘର ୩୦ଜଣ କର୍ମକର୍ତାଙ୍କ ସହ ଦୀର୍ଘ ୧ ଘଂଟାରୁ ଅଧିକ ସମୟ ଆଲୋଚନା କରିବା ପରେ ବଏମସି କମିଶନର ମହାସଂଘର ୨୦ ଦଫା ସମ୍ବଳିତ ଦାବି ମଧ୍ୟରୁ ୧୫ଟି ଦାବିକୁ ମାନି ନେଇଥିଲେ ।
ଷ୍ଟି୍ରଟ ଭେଣ୍ଡର୍ସ ୱେଲଫେୟାର ବୋର୍ଡ଼ ଗଠନ କରିବା, ପ୍ରତ୍ୟେକ ସହରରେ ଟାଉନ ପ୍ଲାନିଂରେ ଉଠାଦୋକାନୀମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବା, ସମସ୍ତ ସହରରେ ଟାଉନ ଭେଣ୍ଡିଂ କମିଟି ଗଠନ କରିବା ଓ ପୁରୁଣା ଟାଉନ ଭେଣ୍ଡିଂ କମିଟିକୁ ପରିବର୍ତନ କରାଯାଇ ନୂତନ ଟିଭିସି ଗଠନ କରିବା, ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ସମସ୍ତ ଉଠାଦୋକାନୀ ଉଚ୍ଛେଦକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଓ ଉଚ୍ଛେଦ ପୂର୍ବରୁ ଥଇଥାନ କରିବା, ଉଚ୍ଛେଦ ସମୟରେ ସିଜର ଲିଷ୍ଟ ତିଆରି କରିବା, ଉଚ୍ଛେଦ ସମୟରେ ମହାସଂଘର ସଦସ୍ୟମାନଙ୍କୁ ସାଥୀରେ ନେବା, ସମସ୍ତ ଉଚ୍ଛେଦ ଦୋକାନୀମାନଙ୍କୁ ଭେଣ୍ଡିଂଜୋନ ୮/୮ ଫୁଟ ଜାଗାରେ ମାଧ୍ୟମରେ ଥଇଥାନ କରିବା, ବିଏମ୍ସି ଟିଭିସିକୁ ପରିବର୍ତନ କରି ନୂତନ ଟିଭିସି ଗଠନ କରିବା, ବିଏମସି ଅଂଚଳରେ ନୂତନ ଉଠାଦୋକାନୀ ଯେଉଁଭଳି ଭାବରେ ଗଢି ନଉଠୁ, ସେଥିପ୍ରତି ବିଏମସି ଓ ମହାସଂଘ ମିଳିତ ସ୍କ୍ୱାର୍ଡ଼ ଗଠନ କରି ସେଗୁଡ଼ିକୁ ବନ୍ଦ କରିବା, ସମସ୍ତ ଉଠାଦୋକାନୀମାନଙ୍କୁ ସର୍ଭେ କରାଯାଇ ପରିଚୟ ପତ୍ର ପ୍ରଦାନ କରିବା, ଉଚ୍ଛେଦ ସମୟରେ ବିଏମସି, ବିଡ଼ିଏର କର୍ମଚାରୀମାନେ ଖରାପ ବ୍ୟବହାର କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ବିଏମସିର ତିନୋଟି ଜୋନ୍ ଓ ମୁଖ୍ୟ କାର୍ଯ୍ୟାଳୟ ଉଠା ଦୋକାନୀ ସମ୍ବନ୍ଧୀୟ ପ୍ରତ୍ୟେକ କାର୍ଯ୍ୟରେ ମହାସଂଘକୁ ସାମିଲ୍ କରିବା, ସହରର ବିକାଶରେ ଉଠାଦୋକାନୀ ମାନଙ୍କୁ ସାମିଲ୍ କରିବା, ସମସ୍ତ ଉଠାଦୋକାନୀମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଓ ଦୋକାନ ଘର ବୀମା କରିବା, ପୂର୍ବତନ କମିଶନର ଅପରାଜିତା ଷଡ଼ଙ୍ଗୀଙ୍କ ସମୟରେ ତିଆରି କରାଯାଇଥିବା ଭେଣ୍ଡିଂଜୋନ ଗୁଡ଼ିକୁ ମରାମତି ପାଇଁ ଅନୁମତି ପ୍ରଦାନ କରିବା, ଭୁବନେଶ୍ୱରରେ ଥିବା ୨୧୦ଟି ପଞ୍ଜିକୃତ ଓ ଅଣପଞ୍ଜିକୃତ ସଂଘଗୁଡ଼ିକୁ ବିଏମସିର ୱେବସାଇଟ ରେ ତଥ୍ୟ ପ୍ରଦାନ କରିବା ଓ ଉଚ୍ଛେଦ ପୂର୍ବରୁ ଜାଗା ଚିହ୍ନଟ କରିବା, ଭୁବନେଶ୍ୱରରେ ଥିବା ୬୭ଟି ୱାର୍ଡ଼ ଅନ୍ତର୍ଗତ ପ୍ରତ୍ୟେକ ୱାର୍ଡ଼ରେ ତିନୋଟି ଲେଖାଏଁ ଭେଣ୍ଡିଂଜୋନ ଗଠନ କରିବା ଓ ପ୍ରତ୍ୟେକ ଭେଣ୍ଡିଂଜୋନରେ ୧୦୦ଟି ଦୋକାନ ତିଆରି କରିବା, ସମସ୍ତ ଉଠାଦୋକାନୀମାନଙ୍କୁ ୧୦/୧୦ ଫୁଟ ଜାଗା ଯୋଗାଇ ଦିଆଯାଉ, ପ୍ରତ୍ୟେକ ଉଠାଦୋକାନୀ / ଭେଣ୍ଡିଂଜୋନ ସଂଘଗୁଡ଼ିକରେ ପାଣି, ଶୌଚାଳୟ ଓ ମେଜିଆ ତିଆରି କରିବା ଓ ଶିଶୁ ଭବନ ଛକରୁ ବାଣୀବିହାର ପର୍ଯ୍ୟନ୍ତ ତିଆରି କରାଯାଇଥିବା କିଓସ୍କ ଗୁଡ଼ିକ ମଧ୍ୟରୁ ସ୍କୋୟାରଫୁଟ ହିସାବରେ ପଇସା ଆଦାୟ କରିବା ଦାବି ଉପସ୍ଥାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ସସ୍ମିତା ସାହୁ, ସୂର୍ଯ୍ୟକାନ୍ତ ପଣ୍ଡା, ସୂର୍ଯ୍ୟମଣି ସାହୁ, ଜଗବନ୍ଧୁ ବେହେରା, ସଭାପତି ନିରଞ୍ଜନ ପାଣ୍ଡେ, ସାଧାରଣ ସମ୍ପାଦକ ଦୀପକ ମହାପାତ୍ର, କୋଷାଧ୍ୟକ୍ଷ ଶୁଭଲକ୍ଷ୍ମୀ ମହାନ୍ତି, ଶରତ ସାହୁ, ଏସକେ କମଳା, ମଞ୍ଜୁଲତା ନାୟକ, ଭାଗବତ ମାଣିକ, ବସନ୍ତ କୁମାର ସାହୁ, ଲକ୍ଷ୍ମୀଧର ପ୍ରଧାନ ଓ ୩୨ଟି ସଂଘର ସଭାପତି, ସମ୍ପାଦକ ଉପସ୍ଥିତ ଥିଲେ ।
