ଯାଜପୁର,୨୬/୦୫/୨୦୨୬ (ଓଡ଼ିଶା ସମାଚାର)- ଅନ୍ତର୍ଜାତୀୟ ଯୋଗ ଦିବସ ପୂର୍ବରୁ ଯାଜପୁର ଜିଲ୍ଲାରେ ମଇ ୨୮ ରେ ସ୍ଥାନୀୟ ଇନଡୋର ଷ୍ଟାଡିୟମ ପରିସରରେ ଯୋଗ ମହୋତ୍ସବ-୨୦୨୬ ଅନୁଷ୍ଠିତ ହେବ। ଏହି ଯୋଗ ମହୋତ୍ସବକୁ ସୁଚାରୁ ରୂପେ ପାଳନ କରିବା ପାଇଁ ଆଜି ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରୀୟ ଯୁବ କ୍ୟାଡେଟ୍ସ ସୋସାଇଟି, ଆୟୁଷ ମନ୍ତ୍ରାଳୟ ଏବଂ ଯାଜପୁର ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଚଳିତ ବର୍ଷ “ସୁସ୍ଥତା, ଜ୍ଞାନ ଓ ବିଶ୍ୱ ଶାନ୍ତି ପାଇଁ ଯୋଗ” ଥିମ୍ କୁ ନେଇ ଯୋଗ ଦିବସ ଏବଂ ଯୋଗ ମହୋତ୍ସବ ପାଳନ କରାଯିବ।
ଏଥିରେ ବିଭିନ୍ନ ଯୋଗାସନ ପ୍ରାଣାୟାମ ଭଳି ଯୋଗ ଅଭ୍ୟାସ ସହ ଯୋଗ ସମ୍ବନ୍ଧରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ଯୋଗ ବିଶେଷଜ୍ଞ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ପ୍ରସ୍ତୁତି ବୈଠକରେ ଜିଲ୍ଲା କ୍ରୀଡା ଅଧିକାରୀ ଫକୀର ମୋହନ ଟୁଡୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଶିକ୍ଷା ଅଧିକାରୀ, ପୋଲିସ ଅଧିକାରୀ, ରାଷ୍ଟ୍ରୀୟ ଯୁବ କ୍ୟାଡେଟ୍ସ ସୋସାଇଟିର ସଂଯୋଜକ, ପତଞ୍ଜଳି ଯୋଗପୀଠ କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ ଶାରୀରିକ, ମାନସିକ ଏବଂ ସାମାଜିକ ସୁସ୍ଥତା ପାଇଁ ଅଷ୍ଟାଙ୍ଗ ଯୋଗର ଉପକାରିତା ସମ୍ପର୍କରେ ଜନ ଅଂଶଗ୍ରହଣ ଏବଂ ଜନସଚେତନତାକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ଅଧିକାରୀମାନେ ଯୋଗ ମହୋତ୍ସବ ପାଳନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ପାଇଁ ନାଗରିକ, ଯୁବ ଗୋଷ୍ଠୀ, ଶିକ୍ଷାନୁଷ୍ଠାନ ଏବଂ ସାମାଜିକ ସଂଗଠନଗୁଡ଼ିକୁ ନିବେଦନ କରିଛନ୍ତି। ଆଗ୍ରହୀ ଅଂଶଗ୍ରହଣକାରୀମାନେ ରାଷ୍ଟ୍ରୀୟ ଯୁବ କ୍ୟାଡେଟ୍ସ ସୋସାଇଟି ଯୋଗ ସଂଯୋଜକ – ୯୧୦୨୧୭୧୪୮୬ କିମ୍ବା ଜିଲ୍ଲା କ୍ରୀଡା ଅଧିକାରୀ ଫକୀର ମୋହନ ଟୁଡୁଙ୍କ ସହିତ ଯୋଗାଯୋଗ କରି ସେମାନଙ୍କର ନାମ ପଞ୍ଜୀକରଣ କରିପାରିବେ। ଏହି ଯୋଗ ମହୋତ୍ସବ ମାଧ୍ୟମରେ ଯୋଗ ବିଷୟରେ ସଚେତନତା ବୃଦ୍ଧି ହେବା ସହ ଅଙ୍ଗନୱାଡି, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା, ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ, ପୋଲିସ କର୍ମଚାରୀ ଏବଂ ଜନସାଧାରଣଙ୍କ ମଧ୍ୟରେ ସୁସ୍ଥ ଶରୀର, ଜ୍ଞାନ, ସହୃଦୟତା ଏବଂ ବିଶ୍ୱ ଶାନ୍ତିର ବାର୍ତ୍ତା ପ୍ରସାର ହେବ।
