ଦୀପାବଳି ଅର୍ଥାତ ଦୀପ ମାନଙ୍କର ପଂକ୍ତି। ଏହା ଦୁଇଟି ଶବ୍ଦ “ଦୀପ” ଏବଂ “ଆବଳି” କୁ ମିଶାଇ ସୃଷ୍ଟି ହୋଇଛି। ଆବଳି ଅର୍ଥାତ ପଂକ୍ତି ବା ଧାଡି ! ଆଉ ଦିୱାଲି ଅର୍ଥାତ ତଳିତଳାନ୍ତ ହୋଇଯିବା। ତେଣୁ ଆମେ ଦୀପାବଳି ବୋଲି କହିବାକୁ ଅଭ୍ୟାସ କରିବା। ଭାରତବର୍ଷ ରେ ପାଳିତ ହେଉଥିବା ସମସ୍ତ ପର୍ବପର୍ବାଣୀ ଭିତରେ ଦୀପାବଳି ର ସାମାଜିକ ତଥା ଆର୍ଥିକ ମହତ୍ତ୍ୱ ବହୁତ ବେଶୀ। ଆମ ଉପନିଷଦ ଆମକୁ ଆଜ୍ଞା ଦେଇ କୁହନ୍ତି “ତମସୋ ମା ଜ୍ୟୋତିର୍ଗମୟ” ଅର୍ଥାତ ଅନ୍ଧକାର ରୁ ଆଲୋକ ଆଡକୁ ଯାତ୍ରାକର।
ଏବେ ଜାଣିବା ଦୀପାବଳି କିପରି ଆରମ୍ଭ ହେଲା ଏବଂ ଏହାର କିଭଳି ଭିନ୍ନ ଭିନ୍ନ ମାନ୍ୟତା ସବୁ ରହିଛି।
୧- ତ୍ରେତୟା ଯୁଗରେ ଭଗବାନ ଶ୍ରୀରାମ ରାବଣ କୁ ପରାଜିତ କରି ଚଉଦ ବର୍ଷ ବନବାସ ପରେ ଅଯୋଧ୍ୟା ଫେରିଆସିବା ଯୋଗୁ ଅଯୋଧ୍ୟା ବାସୀଙ୍କ ହୃଦୟ ନିଜ ପରମପ୍ରିୟ ରାଜାଙ୍କ ଆଗମନରେ ଉଲ୍ଲସିତ ହେଉଥିଲା। ଶ୍ରୀରାମ ଙ୍କ ସ୍ୱାଗତ ପାଇଁ ଅଯୋଧ୍ୟା ବାସୀ ଘିଅ ଦୀପ ଜଳାଇ ଥିଲେ, ତାହା ହିଁ ଥିଲା ଭାରତର ପ୍ରଥମ ଦୀପାବଳି।
ଯେଉଁଦିନ ପ୍ରଭୁ ଶ୍ରୀରାମଚନ୍ଦ୍ର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କଲେ ସେଦିନ ଥିଲା କାର୍ତ୍ତିକ ମାସର ଅମାବାସ୍ୟା ତିଥି ଅର୍ଥାତ ଆକାଶରେ ଆଦୌ ଦିଶୁନଥିଲା ଜହ୍ନ। ଏଭଳି ସ୍ଥିତିରେ ଅଯୋଧ୍ୟା ର ପ୍ରଜାମାନେ ସହସ୍ର ଦୀପ ଜାଳି ସତେ ଅବା ଆକାଶର ସବୁତକ ତାରା ପୃଥିବୀକୁ ଓହ୍ଲାଇ ଆଣିଥିଲେ। ସେବେଠୁ ଦୀପାବଳି ପାଳନ ର ପରମ୍ପରା ପ୍ରଚଳିତ ହୋଇ ଆସୁଛି। ଧାର୍ମିକ ମାନ୍ୟତା ଅନୁସାରେ ଆଜି ମଧ୍ୟ ଭଗବାନ ଶ୍ରୀରାମ ତାଙ୍କ ଅନୁଜ ଲକ୍ଷ୍ମଣ ଓ ମାତା ସୀତାଙ୍କୁ ସହିତ ଆପଣାର ବନବାସ ସ୍ଥଳୀ ଚିତ୍ରକୁଟ ରେ ବିଚରଣ କରନ୍ତି ଏବଂ ଭକ୍ତ ମାନଙ୍କ ମନୋକାମନା ପୂର୍ଣ୍ଣ କରନ୍ତି। ଏହି ମାନ୍ୟତା ଯୋଗୁଁ ଦୀପାବଳି ଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଚିତ୍ରକୁଟରେ ମନ୍ଦାକିନୀ ନଦୀରେ ବୁଡ଼ ପକାଇବା ପରେ କାମଦ ଗିରିର ପରିକ୍ରମା ପୂର୍ବକ ଦୀପଦାନ କରନ୍ତି।
୨- ଦୀପାବଳି ର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଚତୁର୍ଦ୍ଦଶୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ନରକାସୁର ବଦ୍ଧ କରିଥିବା ଯୋଗୁଁ, ତହିଁ ପରଦିନ ଅର୍ଥାତ ଅମାବାସ୍ୟା ଦିନ ଗୋପସବାସୀ ଦୀପ ଜାଳି ଖୁସି ମନାଇ ଥିଲେ, ଯାହା ଏବେବି ପ୍ରାସଙ୍ଗିକ।
୩- ଦକ୍ଷିଣ ଭାରତରେ ଦୀପାବଳି ମୁଖ୍ୟତଃ ନରକାସୁର, ଯିଏକି ଏକ ଶକ୍ତିଶାଳୀ ରାକ୍ଷସ ଥିଲା ଏବଂ ହଜାର ହଜାର ମୂଳ ନିବାସୀଙ୍କୁ କଏଦ କରି ନିର୍ଯ୍ୟାତିତ କରିଥିଲା, ତା ଉପରେ ବିଜୟ ସ୍ମୃତିରେ ପାଳିତ ହୁଏ। ଶ୍ରୀକୃଷ୍ଣ ହିଁ ଅନ୍ତତଃ ନରକାସୁର ଦମନ କରି ବନ୍ଧକ ମାନଙ୍କୁ ମୁକ୍ତ କରିଥିଲେ। ସେହି ଘଟଣା ସ୍ମୃତିରେ ଦକ୍ଷିଣ ଉପଦ୍ୱୀପର ଲୋକମାନେ ସୂର୍ଯ୍ୟୋଦୟ ପୂର୍ବରୁ ଶଯ୍ୟା ତ୍ୟାଗ କରି ସିନ୍ଦୁର କିମ୍ବା କୁମକୁମ କୁ ତେଲରେ ଗୋଳେଇ ନକଲି ରକ୍ତ ପ୍ରସ୍ତୁତ କରନ୍ତି। ରାକ୍ଷସ ପ୍ରତୀକ ସ୍ୱରୂପ କୌଣସି ତିକ୍ତ ଫଳକୁ ନିଜ ପାଦରେ ଦଳି, ବିଜୟ ଉଲ୍ଲାସ ପ୍ରତୀକ ଭାବେ ସେହି ନକଲି ରକ୍ତକୁ ନିଜ ଲଲାଟର ଉପରି ଭାଗରେ ଲଗାନ୍ତି। ତା ପରେ ଧାର୍ମିକ ବିଧି ଅନୁସାରେ ତୈଳସ୍ନାନ କରିନ୍ତି ଏବଂ ଚନ୍ଦନ ଟୀକା ଧାରଣ କରନ୍ତି।
୪- ହିରଣ୍ୟକଶିପୁ ବଦ୍ଧ – ପୌରାଣିକ କିମ୍ବଦନ୍ତୀ ଅନୁସାରେ ଭଗବାନ ବିଷ୍ଣୁ ନରସିଂହ ଅବତାର ଧାରଣ କରି ହିରଣ୍ୟକଶିପୁ ନାମକ ଦୁଷ୍ଟ ରାକ୍ଷସକୁ ବଦ୍ଧ କରିଥିଲେ। ଦୈତ୍ୟରାଜ ହୀରଣ୍ୟକଶିପୁ ନିଜ ପୁତ୍ର ପ୍ରହ୍ଲାଦ ର ବିଷ୍ଣୁଭକ୍ତିରେ ଅସନ୍ତୁଷ୍ଟ ହୋଇ ତାକୁ ହତ୍ୟା କରିବାକୁ ଚାହିଁଲା। ସେ ଏଥିପାଇଁ ଅନେକ ଉପାୟ କରି ବିଫଳ ହେବା ପରେ ଅତି କ୍ରୋଧାନ୍ୱିତ ହୋଇ ସ୍ୱୟଂ ଖଡ୍ଗ ଧରି ପୁତ୍ରକୁ ହତ୍ୟା କରିବା ପାଇଁ ଆଗଭର ହୋଇ ଦୌଡ଼ିଲା। ଦୈତ୍ୟରାଜ ବରପ୍ରାପ୍ତ ହୋଇଥିଲା ଯେ ତାର ମୃତ୍ୟୁ ନା ଦିନରେ ହେବ ନା ରାତିରେ,ନା ଘରେ ହେବ ନା ବାହାରେ, ନା ଅସ୍ତ୍ରରେ ହେବ ନା ଶସ୍ତ୍ରରେ, ନା ପଶୁ ନା ମାନବ ହାତରେ ହେବ। ସେଥିପାଇଁ ସେ ନିଜକୁ ଅମର ମନେ କରୁଥିଲା। କାର୍ତ୍ତିକ ମାସ ଅମାବାସ୍ୟା ର ସନ୍ଧ୍ୟା କାଳ ହୋଇଥାଏ। ବିଷ୍ଣୁ ଭକ୍ତ ପ୍ରହ୍ଲାଦ ଏକ ସ୍ତମ୍ଭରେ ବନ୍ଧା ହୋଇଥାଏ। ଯେତେବେଳେ ଦୈତ୍ୟରାଜ ତା ଉପରେ ଖଡ୍ଗ ପ୍ରହାର କରିଲେ, ସ୍ତମ୍ଭଟି ଭୟଙ୍କର ଗର୍ଜ୍ଜନ ସହିତ ଭାଙ୍ଗିଗଲା ଓ ଭଗବାନ ନରସିଂହ ପ୍ରକଟ ହେଲେ। ମୁଣ୍ଡ ସିଂହ ପରି ଏବଂ ଶରୀର ମାନବ ଭଳି। ନା ପୁରା ମାନବ ନା ପୁରା ପଶୁ, ନା ଅସ୍ତ୍ର ନ ଶସ୍ତ୍ର। ଭଗବାନ ନରସିଂହ କେବଳ ନିଜ ନଖରେ ଦୈତ୍ୟରାଜ କୁ ବଦ୍ଧ କଲେ। ଦୈତ୍ୟରାଜ ର ମୃତ୍ୟୁରେ ଆନନ୍ଦିତ ପ୍ରଜା ମାନେ ସନ୍ଧ୍ୟାରେ ଘିଅ ଦୀପ ଜାଳି ଭଗବାନ ନରସିଂହ ଙ୍କୁ ବନ୍ଦନ ପୂର୍ବକ ଦୀପାବଳି ପାଳନ କରିଥିଲେ।
୫- ସମୁଦ୍ର ମନ୍ଥନରୁ ଲକ୍ଷ୍ମୀ ଓ କୁବେର ପ୍ରକଟ ହେବା –
ଏହିଦିନ ସମୁଦ୍ରମନ୍ଥନ ପରେ ମାତା ମହାଲକ୍ଷ୍ମୀ ଓ କୁବେର ପ୍ରକଟ ହୋଇଥିଲେ। ପୌରାଣିକ ମାନ୍ୟତା ଅନୁସାରେ ଦୀପାବଳି ଦିନ ହିଁ ମହାଲକ୍ଷ୍ମୀ କ୍ଷୀର ସାଗରରୁ ଉତ୍ପନ୍ନ ହୋଇଥିଲେ। ମାତା ସମ୍ପୂର୍ଣ୍ଣ ଜଗତର ସମସ୍ତ ପ୍ରାଣୀଙ୍କୁ ସୁଖ ଓ ସମୃଦ୍ଧି ର ବରଦାନ ଦେଇ ସଭିଙ୍କର ଉତ୍ଥାନ କରିଲେ। ସେଥିପାଇଁ ଦୀପାବଳି ଦିନ ମାତା ମହାଲକ୍ଷ୍ମୀ ଙ୍କୁ ପୂଜନ କରାଯାଏ। ବିଶ୍ୱାସ କରାଯାଏ ଯେ, ଶ୍ରଦ୍ଧା ଓ ଭକ୍ତି ସହକାରେ ମା ଙ୍କୁ ଆରାଧନା କଲେ, ମା ମହାଲକ୍ଷ୍ମୀ ଭକ୍ତଜନଙ୍କ ଠାରେ ପ୍ରସନ୍ନ ହୁଅନ୍ତି ଏବଂ ଧନ-ବୈଭବ ରେ ପରିପୂର୍ଣ୍ଣ କରି ମନୋବାଞ୍ଛା ପ୍ରାପ୍ତିର ଆଶୀର୍ବାଦ ପ୍ରଦାନ କରନ୍ତି।
୬- ପ୍ରସିଦ୍ଧ ମାନ୍ୟତା ଅନୁସାରେ ଦୀପାବଳିକୁ ମୂଳତଃ ଯକ୍ଷ ମାନଙ୍କ ଉତ୍ସବ ବୋଲି କୁହାଯାଏ। ଦୀପାବଳି ରାତ୍ରିରେ ଯକ୍ଷମାନେ ତାଙ୍କ ରାଜା କୁବେରଙ୍କ ସହିତ ହାସ-ବିଳାସ ରେ ବିତାନ୍ତି ଓ ନିଜ ଯକ୍ଷିଣୀ ମାନଙ୍କ ସହିତ ଆମୋଦ ପ୍ରମୋଦ କରନ୍ତି। ଦୀପାବଳି ଦିନ ପାଳିତ ହେଉଥିବା ବିବିଧ କାର୍ଯ୍ୟକ୍ରମ ଯେପରିକି ରଙ୍ଗ ବେରଙ୍ଗ ଆତସବାଜି, ସୁସ୍ୱାଦୁ ଖାଦ୍ୟ ଓ ମିଷ୍ଟାନ୍ନ ତଥା ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ସେହି ଯକ୍ଷ ମାନଙ୍କର ପରମ୍ପରା। ତେବେ ସଭ୍ୟତା ବିକାଶ ସହିତ ପର୍ବ ଅଧିକ ମାନବୀୟ ହେବାକୁ ଲାଗିଲା ଏବଂ ଧନର ଦେବତା ଭାବେ କୁବେରଙ୍କ ଅପେକ୍ଷା ଧନର ଦେବୀ ଭାବେ ମହାଲକ୍ଷ୍ମୀ ଙ୍କୁ ଆରାଧନା କରାଗଲା। କାରଣ କୁବେରଙ୍କୁ କେବଳ ଯକ୍ଷମାନେ ମାନୁଥିଲେ କିନ୍ତୁ ମହାଲକ୍ଷ୍ମୀ ଙ୍କୁ ଦେବତା ଓ ମାନବ ମାନେ ମାନନ୍ତି। ଅନେକ ସ୍ଥାନରେ ଏବେବି ଲକ୍ଷ୍ମୀ ଠାକୁରାଣୀଙ୍କ ସହିତ କୁବେରଙ୍କୁ ମଧ୍ୟ ପୂଜା କରାଯାଏ। ଦୀପାବଳି ପୂଜାରେ ଗଣେଶଙ୍କୁ ମଞ୍ଚାସିନ କରାଇବାରେ ଭୌମ- ସମ୍ପ୍ରଦାୟର ଅନେକ ଯୋଗଦାନ ରହିଛି। ଋଦ୍ଧି ସିଦ୍ଧି ଦାତା ରୂପରେ ସେମାନେ ଗଣେଶଙ୍କୁ ପ୍ରତିଷ୍ଠିତ କଲେ। ତାର୍କିକ ଆଧାରରେ ଦେଖିଲେ କୁବେର ମାତ୍ର ଧନର ଅଧିପତି ହୋଇଥିବା ବେଳେ ଭଗବାନ ଗଣେଶ ସମ୍ପୂର୍ଣ୍ଣ ଋଦ୍ଧି-ସିଦ୍ଧିର ଦାତା ଭାବେ ମାନ୍ୟତା ପାଆନ୍ତି। ସେହିଭଳି ମାତା ଲକ୍ଷ୍ମୀ କେବଳ ଧନର ସ୍ୱାମିନୀ ନୁହଁନ୍ତି, ବରଂ ଐଶ୍ୱର୍ଯ୍ୟ ଓ ସୁଖ ସମୃଦ୍ଧି ର ସ୍ୱାମିନୀ ମଧ୍ୟ। ଅତଃ କାଳାନ୍ତରରେ ଲକ୍ଷ୍ମୀ-ଗଣେଶଙ୍କ ସମ୍ବନ୍ଧ ଲକ୍ଷ୍ମୀ-କୁବେରଙ୍କ ଅପେକ୍ଷା ଅଧିକ ନିକଟତର ପ୍ରତୀତ ହେଲା। ଏତଦବ୍ୟତୀତ ଦୀପାବଳି ଦିନ ଶ୍ରୀହରି ବିଷ୍ଣୁଙ୍କ ସହିତ ମହାଲକ୍ଷ୍ମୀଙ୍କ ବିବାହ ସମ୍ପନ୍ନ ହୋଇଥିବା ମାନ୍ୟତା ଆଧାରରେ ଏହିଦିନ ଲକ୍ଷ୍ମୀପୂଜା କୁ ସଂଶ୍ଳିଷ୍ଟ କରାଗଲା ବୋଲି ବିଚାର କରାଯାଏ।
୭ – ମହାକାଳୀ ଙ୍କ ପୂଜା – ରାକ୍ଷସଙ୍କୁ ବଧ କରିବା ପାଇଁ ମହମାୟା ଦେବୀ ମହାକାଳୀ ରୂପ ଧାରଣ କଲେ। ରାକ୍ଷସଙ୍କୁ ବଦ୍ଧ କରିବା ପରେ ମଧ୍ୟ ମହାକାଳୀଙ୍କ କ୍ରୋଧ ଶାନ୍ତ ହୋଇନଥିଲା। ତାଙ୍କୁ ଶାନ୍ତ କରିବା ପାଇଁ ମହାଦେବ ସ୍ୱୟଂ ତାଙ୍କ ଚରଣ ତଳେ ଶୋଇ ଯାଇଥିଲେ। ଶିବଙ୍କ ଶରୀର ସ୍ପର୍ଶ ମାତ୍ରକେ ମହାକାଳୀଙ୍କ କ୍ରୋଧ ଶାନ୍ତ ହୋଇଗଲା। ସେହି ଉପାଖ୍ୟାନ ସ୍ମୃତିରେ ମା ମହାକାଳୀଙ୍କ ପୂଜା କରାଯାଏ।
୮- ରାଜା ବଳି ଓ ବାମନ ଅବତାର
– ମହାପ୍ରତାପୀ ତଥା ଦାନବୀର ରାଜା ବଳି ନିଜ ବାହୁବଳରେ ତିନିଲୋକ ଉପରେ ବିଜୟ ପ୍ରାପ୍ତ କରିଥିଲେ। ସେତେବେଳେ ବଳିଙ୍କୁ ଡରି ଦେବତା ମାନେ ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କରିବାରୁ ବାମନ ଅବତାର ଧାରଣ କରି ଶ୍ରୀହରି ବଳିଙ୍କ ଠାରୁ ତିନିପାଦ ଭୂମି ଦାନରେ ମାଗିଲେ। ମହାବଳି ବଳି ବାମନଙ୍କ ଉଦ୍ଦେଶ୍ୟ ବୁଝି ପାରିଥିଲେ ମଧ୍ୟ ଯାଚକଙ୍କୁ ନିରାଶ କରିନଥିଲେ ଏବଂ ତିନି ପାଦ ପୃଥ୍ବୀ ଦାନ କରିଲେ। ବାମନ ଭଗବାନ ତିନିପାଦ ରେ ତିନିଲୋକ ଆବୋରି ନେଲେ। ମହାଦାନୀ ବଳିଙ୍କ ଦାନଶୀଳତା ରେ ପ୍ରଭାବିତ ହୋଇ ଭଗବାନ ବିଷ୍ଣୁ ତାଙ୍କୁ ପାତାଳ ଲୋକର ରାଜତ୍ୱ ଦେଲେ ଏବଂ ତା ସହିତ ଏହି ଆଶୀର୍ବାଦ ଦେଲେ ଯେ, ତାଙ୍କ ସ୍ମୃତିରେ ଭୂଲୋକ ବାସୀ ପ୍ରତିବର୍ଷ ଦୀପାବଳି ପାଳନ କରିବେ।
୯- ଯୁଧିଷ୍ଠିର ଙ୍କ ରାଜସ୍ଵୀୟ ଯଜ୍ଞ – ଧର୍ମରାଜ ମହାରାଜ ଯୁଧିଷ୍ଠିର ଏହିଦିନ ରାଜସ୍ଵୀୟ ଯଜ୍ଞ ଆରମ୍ଭ କରିଥିଲେ। ଅତଏବ ଦୀପ ପ୍ରଜ୍ବଳନ କରି ସମସ୍ତେ ଖୁସି ମନେଇ ଥିବାରୁ ଦୀପାବଳି ପାଳନ କରାଯାଏ ବୋଲି ମଧ୍ୟ ବିଶ୍ୱାସ ରହିଛି।
ତେବେ କେବଳ ଭାରତ ନୁହେଁ ପୃଥିବୀର ବିଭିନ୍ନ ଦେଶରେ ମଧ୍ୟ କୌଣସି ମାଙ୍ଗଳିକ କାର୍ଯ୍ୟ ଶୁଭାରମ୍ଭ ମୁହୂର୍ତ୍ତରେ ଅଗ୍ନି ପ୍ରଜ୍ବଳନ କରାଯାଏ। ତାହା ଦୀପ, ଧୂପ ଅବା ଧୂନି ହୋଇପାରେ। କାରଣ ଯେଉଁଠି ଅଗ୍ନି ପ୍ରଜ୍ବଳିତ ହୁଏ ତାହାର ଆଖପାଖ ପରିଧିରେ ଚେତନା ବା ଇଥରର ସୁଗ୍ରାହୀ ଆସ୍ତରଣ ଟିଏ ସୃଷ୍ଟି ହୁଏ। ସେଥିପାଇଁ କ୍ୟାମ୍ପ ଫାୟାର କିମ୍ବା ପିଲାଦିନେ ଲଣ୍ଠନ ଆଲୁଅରେ ଶୁଣିଥିବା ଗପ ଆମର ସାରା ଜୀବନ ମନେ ରୁହେ। ଦୀପାବଳି ଭଳି ପର୍ବରେ ସାମୁହିକ ଦୀପ ପ୍ରଜ୍ବଳନ ଯୋଗୁଁ ସାମୁହିକ ଚେତନାର ଏକ ଦୃଢ଼ ଓ ସକାରାତ୍ମକ ଉର୍ଜା ଉତ୍ପନ୍ନ ହୁଏ। ଆଉ ବର୍ତ୍ତମାନ ପରିସ୍ଥିତିରେ ସେହି ଉର୍ଜାର ସର୍ବାଧିକ ଆବଶ୍ୟକତା ରହିଛି।
ତେଣୁ ଚାଲନ୍ତୁ ଆମେ ସମସ୍ତେ ମାଟି ଦୀପ ଜାଳିବା। ଦୀପ ଓ ଅନ୍ୟ ସାମଗ୍ରୀ ରାସ୍ତା କଡରେ ଥିବା ଛୋଟ ଛୋଟ ଦୋକାନୀ ଙ୍କ ଠୁ କିଣିବା। ଏବଂ ଧୁମଧାମରେ ଦିପାବଳୀ ପାଳନ କରିବା।
ଦିପାବଳୀ ର ଅନେକ ଅନେକ ଶୁଭେଚ୍ଛା।