ରାଜନୈତିକ ଦଳମାନଙ୍କ ସହ ଜିଲା ନିର୍ବାଚନ ଅଧିକାରୀଙ୍କ ଆଲୋଚନା
କେନ୍ଦ୍ରାପଡ଼ା,୧୯/୦୫/୨୦୨୬ (ଓଡ଼ିଶା ସମାଚାର)-ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) କାର୍ଯ୍ୟକ୍ରମ ଲାଗୁ କରାଯାଇଥିବା ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଜିଲାରେ ଏହାର ସଫଳ ରୂପାୟନ ପାଇଁ ଆଜି ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜନୈତିକ ଦଳମାନଙ୍କ ସହ ଏକ ଆଲୋଚନା ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏସଆଇଆରର ମୁଖ୍ୟ ଉଦ୍ଧେଶ୍ୟ ହେଉଛି ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସାମିଲ କରିବା ସହ ଅଯୋଗ୍ୟ, ମୃତ ଓ ଡୁପ୍ଲିକେଟ ନାମଗୁଡ଼ିକୁ ଚିହ୍ନଟ କରି ବାଦ ଦେବା ।
ସ୍ଥାନାନ୍ତରିତ ମତଦାତାଙ୍କ ତଥ୍ୟ ସଂଶୋଧନ କରାଯିବା ସହ ଭୋଟର ତାଲିକାର ସଠିକତା, ସ୍ୱଚ୍ଛତା ଓ ବିଶ୍ୱାସନୀୟତା ବୃଦ୍ଧି ପାଇଁ ଏହି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ବୈଠକରେ ଭାରତୀୟ ଜନତା ପାର୍ଟିର ଉପିନ କୁମାର ରାଉତ, ବିଜୁ ଜନତା ଦଳର ଜିଲା ସଭାପତି ଶିବ ପ୍ରସାଦ ଭୋଳ, ଭାରତୀୟ ଜାତୀୟ କଂଗ୍ରେସର ପ୍ରଫୁଲ୍ଲ କୁମାର ଦାସ, ବିଏସପିର ସୁଧାକର ମଲ୍ଲିକ, ସିପିଆଇଏମର ଜଗତଜୀବନ ଦାସ ଏବଂ ଆମ୍ ଆଦମୀ ପାର୍ଟିର ସାଧାରଣ ସମ୍ପାଦକ ସୂର୍ଯ୍ୟକାନ୍ତ ପରିଡା ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲା ନିର୍ବାଚନ ଅଧିକାରୀ ସମସ୍ତ ରାଜନୈତିକ ଦଳକୁ ବୁଥ୍ ସ୍ତରୀୟ ଏଜେଙ୍କ ତାଲିକା ପ୍ରଦାନ କରିବା ସହ ଏସଆଇଆର ସମ୍ପର୍କିତ ମତାମତ ଓ ପରାମର୍ଶ ଲିଖିତ ଆକାରରେ ଜିଲାପାଳ କିମ୍ବା ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଇଆରଓ)ଙ୍କୁ ଜଣାଇବାକୁ ଅନୁରୋଧ କରିଥିଲେ ।
ଜିଲାରେ ଜୁଲାଇ ୧ ତାରିଖକୁ କ୍ୱାଲିଫାଇଙ୍ଗ ତାରିଖ ଭାବେ ଧାର୍ଯ୍ୟ କରାଯାଇଥିବା ବେଳେ ଜୁନ ୨୮ ସୁଦ୍ଧା ପୋଲିଂ ଷ୍ଟେସନଗୁଡ଼ିକର ରାସନାଲାଇଜେସନ କାର୍ଯ୍ୟ ସମ୍ପନ୍ନ ହେବ । କେନ୍ଦ୍ରାପଡ଼ା ଜିଲାର ୫ଟି ବିଧାନସଭା ଆସନରେ ମୋଟ ୧୪୪୯ଟି ପୋଲିଂ ଷ୍ଟେସନ ରହିଥିବା ବେଳେ ୧୪୫ ଜଣ ବିଏଲଓ ସୁପରଭାଇଜର ଓ ୧୪୪୯ ଜଣ ବୁଥ୍ ସ୍ତରୀୟ ଅଧିକାରୀ ନିୟୋଜିତ ଅଛନ୍ତି । ମ୍ୟାପିଙ୍ଗ ଓ ଏସଆଇଆର ପ୍ରକ୍ରିୟାରେ ମତଦାତା ତାଲିକା ସଂଶୋଧନ କାର୍ଯ୍ୟକୁ ଦାୟିତ୍ୱର ସହ ସମ୍ପାଦନ କରିବା ପାଇଁ ଜିଲାପାଳ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ନର୍ିଦେଶ ଦେଇଥିଲେ । ବୈଠକରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲାପାଳ ନବକ୍ରିଷ୍ଣ ଜେନା ଓ ରବୀନ୍ଦ୍ର କୁମାର ମଲ୍ଲିକ, ନିର୍ବାଚନ ବିଭାଗର ଡେପୁଟି କଲେକ୍ଟର ଅମୀୟ କେତନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
