ଯାଜପୁର, ୧୮/୦୫/୨୦୨୬ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ରସୁଲପୁର ବ୍ଲକ୍ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ। ବିଭାଗୀୟ ଅଧିକାରୀ ମାନେ ଏହି ଅଭିଯୋଗ ଗୁଡିକ ଯାଞ୍ଚ କରିବେ ଓ ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନଙ୍କର ଯଥାସମ୍ଭବ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ।

ମୋଟ ୯୪ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୭୩ ଗୋଟି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ନିମନ୍ତେ ୧୮ ଗୋଟି, ରେଡକ୍ରସ ସହାୟତା ପାଣ୍ଠିରୁ ୦୩ ଗୋଟି ଅଭିଯୋଗର ଶୁଣାଣି କରାଯାଇଥିଲା। ୨୧ ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା।
ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ, ଯାଜପୁର ଶ୍ରୀ ୟଶପ୍ରତାପ ଶ୍ରୀମାଲ, ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ଯୁଧିଷ୍ଠିର ନାଏକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ମହାନ୍ତି, ଉପ ଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ରସୁଲପୁର ଶ୍ରୀ ସତ୍ୟାନନ୍ଦ ଦାଶ, ତହସିଲଦାର , ରସୁଲପୁର ଶ୍ରୀ ସିଦ୍ଧାର୍ଥ କୁମାର ବେହେରା ଓ ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ।

