ନିମାପଡ଼ା,୧୬/୦୫/୨୦୨୬(ଓଡ଼ିଶା ସମାଚାର)-ନିମାପଡ଼ାର ଏକମାତ୍ର ଓଡ଼ିଶୀ ନୃତ୍ୟ ଶିକ୍ଷାନୁଷ୍ଠାନ ନୃତ୍ୟାଳୟା ଡ୍ୟାନ୍ସ ଏକାଡେମୀର ୧୭ତମ ବୈଶାଖୀ ଉତ୍ସବ ଗତ କାଲି ସନ୍ଧ୍ୟାରେ ମହା ସମାରୋହରେ ପାଳିତ ହୋଇଯାଇଛି। ସ୍ଥାନୀୟ ଶହୀଦ ଭବନ ପରିସରସ୍ଥିତ ମୁକ୍ତାକାଶ ମଞ୍ଚରେ ନୃତ୍ୟାଳୟାର ଛାତ୍ରଛାତ୍ରୀ ତଥା ସୁନାମଧନ୍ୟ କଳାକାର ମାନଙ୍କୁ ନେଇ ଆୟୋଜିତ ଉତ୍ସବକୁ ନିମାପଡ଼ା ପ୍ରେସକ୍ଲବ ସଭାପତି ଅକ୍ଷୟ କୁମାର ବେହେରା, ହେଲ୍ପଲାଇନ ସଭାପତି ଅକ୍ଷୟ କୁମାର ସାହୁ, କୋଣାର୍କ ନାଟ୍ୟ ମଣ୍ଡପ ଗୋଟିପୁଅ ଗୁରୁ ଜୟକୃଷ୍ଣ ନାୟକ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛଉନୃତ୍ୟ ଗୁରୁ ରମଣୀ ରଞ୍ଜନ ଜେନା, ସମାଜସେବୀ ବାମଦେବ ଆଳୁକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ।
ପ୍ରାରମ୍ଭରେ ଗୁରୁ ବିଷ୍ଣୁ ଚରଣ ସାସମଲଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠାନର କୁନିକୁନି ପିଲାମାନଙ୍କୁ ନେଇ ଓଡ଼ିଶୀ ନୃତ୍ୟ ପଦବନ୍ଦେ ମଙ୍ଗଳାଚରଣ, ବସନ୍ତ ପଲ୍ଲବୀ, ଅଭିନୟରେ ‘କି ଶୋଭା ଗୋ କୁଞ୍ଜେ ନବଦୁର୍ଗା, ଚନ୍ଦନ ଚର୍ଚ୍ଚିତ ଆଦି ପରିବେଷଣ ହୋଇଥିଲା। ଏହାପରେ ପଲ୍ଲୀନୃତ୍ୟ ଚଉରା ବନ୍ଦନା, ଆହା କି ସୁନ୍ଦର ଏ ବନଭୂମି, ଥୁକୁଲ ଥାକୁଲ ବାଇ ଚଢ଼େଇ, ସମ୍ବଲପୁରୀ ନୃତ୍ୟ ଚୁଟକା ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ୨୦୦୬ ମସିହାରେ ଜନ୍ମଲାଭ କରିଥିବା ନୃତ୍ୟାଳୟା ନାମକ ଛୋଟିଆ ନୃତ୍ୟ ଅନୁଷ୍ଠାନ ଆଜି ୧୭ବର୍ଷର ମହାଦ୍ରୁମରେ ପରିଣତ ହୋଇଛି। ଗୁରୁ ବିଷ୍ଣୁ ସାସମଲ ଏବଂ ସୁଦେଷ୍ଣା ସାସମଲଙ୍କ ଅଗାଢ଼ ପ୍ରଚେଷ୍ଟା, ପରିଶ୍ରମ ବଳରେ ଓଡ଼ିଶୀ ନୃତ୍ୟର ଲୋକପ୍ରିୟତା ବୃଦ୍ଧି ପାଇବା ସଂଙ୍ଗେ ସଂଙ୍ଗେ ନୃତ୍ୟାଳୟା ଆଜି ରାଜ୍ୟ ତଥା ଦେଶ ବାହାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।
୧୦୦ରୁ ଉର୍ଦ୍ଧ୍ୱ ପିଲାମାନେ ଓଡ଼ିଶୀ ନୃତ୍ୟ ଶିକ୍ଷାଲାଭ କରିବା ସହିତ ଏହି ୧୭ବର୍ଷ ଭିତରେ କେତେ ଯେ ଶିଶୁ କଳାକାର, ଯୁବ କଳାକାର ଦେଶ ବିଦେଶରେ ନାଁ କମେଇଛନ୍ତି ତାହା କହିବା ମୁସ୍କିଲ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ। ଏହି ଅବସରରେ ବିଶିଷ୍ଟ ସମାଜସେବୀ ତଥା କୋଣାର୍କ ବସନ୍ତ ମଞ୍ଜରୀ ପାଠାଗାର ସଂପାଦକ ରାମକୃଷ୍ଣ ମହାନ୍ତିଙ୍କୁ ନୃତ୍ୟାଳୟା ସମ୍ମାନରେ ସମ୍ମାନୀତ କରାଯାଇ ଥିଲା। ନିରଞ୍ଜନ ପଳତା ମଞ୍ଚ ପରିଚାଳନା କରିଥିବା ବେଳେ ଗୁରୁ ସୁଦେଷ୍ଣା ସାସମଲ, ଇତିଶ୍ରୀ ରାୟ, ରାଜକିଶୋର ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
