କେନ୍ଦ୍ରାପଡ଼ା,୧୨/୦୫/୨୦୨୬ (ଓଡ଼ିଶା ସମାଚାର)- ଜିଲା ପ୍ରତିଭାପୂଜା ସଂସଦ ଆନୁକୁଲ୍ୟରେ ଗରାପୁରସ୍ଥିତ ରେସୱା ଶକ୍ତିସଦନରେ ଅନ୍ତେବାସୀମାନଙ୍କ ଗହଣରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସର୍ବଜନପ୍ରିୟ ସମାଜସେବୀ ସ୍ୱର୍ଗତା କ୍ୟାଥରିନ୍ ଦାସଙ୍କ ୫ମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ଅତିଥିମାନେ ସ୍ୱର୍ଗତା ଦାସଙ୍କ ଗରୀବ ନଷ୍ପେଶିତ ଲୋକଙ୍କ ପ୍ରତି ତାଙ୍କର ମନୋଭାବ ଓ ଦୟାପରାୟଣତା ସମ୍ପର୍କରେ ଆଲୋକପାତ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଉମେଶ ଚନ୍ଦ୍ର ସାହୁ, ସମାଜସେବୀ ଭାଗିରଥି ଜେନା, ଗୋଲଖ ଚନ୍ଦ୍ର ପଢିଆରୀ, ଶକ୍ତିସଦନର ତତ୍ୱାବଧାରୀକା ସୁଶ୍ରୀ ମିନତୀ ମହାରଣା, ପ୍ରଫୁଲ୍ଲ ଦାସ, ଆଶିଷ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାବ୍ୟକ୍ତ କରିଥିଲେ । ଏହି ଅବସରରେ ପ୍ରଫେସର ସାହୁ ପିଲାମାନଙ୍କ ପାଇଁ ପାଠ୍ୟ ଉପକରଣ ପ୍ରଦାନ କରିଥିଲେ । ସ୍ୱର୍ଗତା ଦାସଙ୍କ ସ୍ୱାମୀ କେନ୍ଦ୍ରାପଡା ସହରର ବଡହାଟରେ ଜନ୍ମ ହୋଇ ଅଧୁନା ଆମେରିକାସ୍ଥିୁତ ଆଲାସ୍କା ବିଶ୍ୱବିଦ୍ୟାଳୟର ଜଣେ ପ୍ରତିଷ୍ଠିତ ପ୍ରଫେସର ଭାବେ ଅବସ୍ଥାପିତ ଅଛନ୍ତି । ପ୍ରାରମ୍ଭରେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।
