କେନ୍ଦ୍ରାପଡ଼ା,୧୨/୦୫/୨୦୨୬ (ଓଡ଼ିଶା ସମାଚାର)- ଓଡିଶା କନଷ୍ଟ୍ରାକ୍ସନ ୱାର୍କର୍ସ ୟୁନିୟନର ଆହ୍ୱାନ କ୍ରମେ ଜିଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ନିର୍ମାଣ ଶ୍ରମିକଙ୍କୁ ନେଇ ବିକ୍ଷୋଭ ସଂଗଠିତ ହେଇଯାଇଛି ।
ଚାରିଟି ଶ୍ରମକୋର୍ଡ ପ୍ରତ୍ୟାହାର, ଜିଲା ଶ୍ରମ କାର୍ଯ୍ୟଳୟରେ ସଂସ୍କାର ଆଣି ବ୍ୟାପକ ଦୁର୍ନୀତି ଓ ଆଇନ ବିରୋଧୀ କାର୍ଯ୍ୟକଳାପକୁ ବନ୍ଦ କରିବା, ରାଜ୍ୟ ସରକାରଙ୍କ ରୁଲ ଅନୁସାରେ ଷାଠିଏ ଦିନରେ ମୃତୁ୍ୟକାଳୀନ ସହାୟତା ପ୍ରଦାନ କରିବା, ବନ୍ଦ ଥିବା ସମସ୍ତ ସ୍କିମକୁ ଚାଲୁ କରିବା, ୟୁନିୟନ ମାନଙ୍କ ବୈଧ ପ୍ରତିନିଧିମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିବା, ଜିଲା ଅଫିସରେ ରାତ୍ରି କାଳୀନ ଜଗୁଆଳି, ପିଅନ, କଲ୍ୟାଣ ଉପଦେଷ୍ଟା ଓ ଅନ୍ୟ ଜଣେ ଜିଲା ଶ୍ରମ ଅଧିକାରୀ ନିଯୁକ୍ତି ପ୍ରଦାନ, ସମସ୍ତ ଉପବିଭାଗରେ ବ୍ୟୟ ହିସାବ ପରିପୂରଣ କରିବା,ଜିଲା କାର୍ଯ୍ୟାଳରେ ଯେଉଁମାନେ ଆପଣଙ୍କ ବିନା ଅନୁମତିରେ ଦଲାଲି କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଆଇନଗତ ପଦକ୍ଷେପ ଗ୍ରହଣ କରିବା ପ୍ରଭୃତି ଆଠ ଦଫା ଦାବିରେ ଅନୁଷ୍ଠିତ ବିକ୍ଷୋଭକୁ ଅନ୍ୟ ଶ୍ରମିକ ସଂଗଠନ ଓ ଗଣ ସଂଗଠନର କର୍ମକର୍ତାମାନେ ସମର୍ଥନ କରି ସାମିଲ ହୋଇଥିଲେ ।
ପ୍ରକାଶ ଥାଉକି ୪ଟି ନୂଆ ଶ୍ରମ କୋର୍ଡ ଲାଗୁ ହେଲା ପରେ ଉତର ଓ ପଶ୍ଚିମ ଭାରତର ଅନେକ ରାଜ୍ୟରେ ବେସରକାରୀ କାରଖାନାରେ ସରକାରୀ ଘୋଷିତ ସର୍ବନିମ୍ନ ମଜୁରୀ ପ୍ରଦାନ ନକରିବା, ଆଠ ଘଂଟା ବଦଳରେ ଜୋର ଜବରଦସ୍ତ ଅଧିକ ସମୟ ଖଟେଇବା, ଓଭର ଟାଇମ ପାଇଁ ଦୁଇ ଗୁଣା ମଜୁରୀ ପ୍ରଦାନ ନକରିବା ପ୍ରତିବାଦରେ ସଂଗଠିତ ଆନ୍ଦୋଳନକୁ ଦମନ କରିବା ପାଇଁ ମାଲିକ ମାନେ ପୁଲିସ ଓ ନିଜର ଗୁଣ୍ଡାମାନଙ୍କୁ ବ୍ୟବହାର କରିଛନ୍ତି ।
ପାଂଚଶହରୁ ଉଦ୍ଧ୍ୱର୍ ଶ୍ରମିକ ବିଭିନ୍ନ ଜେଲରେ ଅଛନ୍ତି । ଆମ ଜିଲାରୁ ଅନେକ ଶ୍ରମିକ ମଧ୍ୟ ସେଥିରେ ଫସିଛନ୍ତି । ଏହାର ପ୍ରତିବାଦରେ ଅନୁଷ୍ଠିତ ବିକ୍ଷୋଭରେ ସଭାପତିତ୍ୱ କରିଥିଲେ ଆଇଏନଟିୟୁସି ଜିଲା ସଭାପତି ମୁକ୍ତାର ଖାଁ । ଅନ୍ୟମାନଙ୍କ ମଧ୍ୟରେ ସିଆଇଟିୟୁ ଜିଲା ସମ୍ପାଦକ ଜଗତଜୀବନ ଦାଶ, ଓଡିଶା କୃଷକ ସଭା ଜିଲା ସମ୍ପାଦକ ଗୟାଧର ଧଳ, ଏଆଇଟିୟୁସି ନେତା ବାବାଜୀ ଧଳ, କର୍ମଚାରୀ ନେତା ନରୋତମ ପାର୍ଥ ସାରଥୀ, ଛାତ୍ର କଂଗ୍ରେସର ଜାତୀୟ ସଂଯୋଜକ ବିଶ୍ୱ ରଞ୍ଜନ ମହାପାତ୍ର, ସିଆଇଟିୟୁ ରାଜ୍ୟ କମିଟି ସଭ୍ୟ ସୁରେଶ ଚନ୍ଦ୍ର ସ୍ୱାଇଁ, ଏଚଏମଏସ ନେତା ତ୍ରିଲୋଚନ ଦାସ, କଂଚାନବାଳା ସ୍ୱାଇଁ, ପାଚିକା ନେତ୍ରୀ ନିର୍ମଳା ସିଂ, ଅଶୋକ ତ୍ରିପାଠୀ, ଅଜିତ କୁମାର ପରିଡା, ଅଶୋକ ନାଥ, ସନ୍ୟାସୀ ସାହୁ, ଶିବଶଙ୍କର ନାଥ, ରଞ୍ଜନ ଲେଙ୍କା, ଅକ୍ଷୟ ତରାଇ, ସୟଦ ମୁକ୍ତାର ଅଲ୍ଲୀ, ନିରାକାର ସାହୁ, ମାନ ଭଂଜନ ଦାସ, ମହେଶ୍ୱର ଦାଶ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।
ଆନ୍ଦୋଳନ ପାଇଁ ଜିଲା ଶ୍ରମ ଅଧିକାରୀଙ୍କୁ ପନ୍ଦର ଦିନ ପୂର୍ବରୁ ନୋଟିସ ଦିଆଯାଇଥିଲା । ଅଥଚ ଘଂଟା ଘଂଟା ଧରି ବିକ୍ଷୋଭ ଚାଲିଥିଲେ ବି ଜିଲା ଶ୍ରମ ଅଧିକାରୀ ଅଫିସରେ ଅନୁପସ୍ଥିତ ରହିଥିବାରୁ ଆନ୍ଦୋଳନକାରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଶେଷରେ ଶ୍ରମ ଅଧିକାରୀଙ୍କ ଅନୁପସ୍ଥିତରେ ଶ୍ରମ ଆୟୁକ୍ତ ପ୍ରଦୀପ କୁମାର ମହାନ୍ତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇ ଆଲୋଚନା କରାଯାଇଥିଲା ।
