ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

— ନଦୀବନ୍ଧ ଗୁଡ଼ିକର ସୁଦୃଢ଼ୀକରଣ ପାଇଁ ଏକ ଦୀର୍ଘସ୍ଥାୟୀ ଯୋଜନା ପ୍ରସ୍ତୁତ କରିବାକୁ ବିଧାୟକଙ୍କ ପରାମର୍ଶ

— ନୂତନ ଓ ପୂରାତନ ରାସ୍ତା କଡରେ ବ୍ୟାପକ ବୃକ୍ଷରୋପଣ ଓ ଭୁତଳ ଜଳ ର ସଂରକ୍ଷଣ ଉପରେ ଗୁରୁତ୍ବ

— ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ଓଭରହେଡ୍ ଟାଙ୍କିଗୁଡ଼ିକ କ୍ଲୋରିନେସନ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଯାଜପୁର,୧୨/୦୫/୨୦୨୬ (ଓଡ଼ିଶା ସମାଚାର)-ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା କୋରେଇ ବିଧାୟକ ଆକାଶ ଦାସନାୟକ, ବଡ଼ଚଣା ବିଧାୟକ ଅମର କୁମାର ନାୟକ, ଯାଜପୁର ବିଧାୟିକା ସୁଜାତା ସାହୁ, ଜିଲ୍ଲା ପରିଷଦ ସଭାପତି ନଳିନୀ ପ୍ରଭା ଜେନା, ଉପସଭାପତି, ଜିଲ୍ଲା ପରିଷଦ ଗଣେଶ୍ୱର ବରାଳ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶିବାନନ୍ଦ ସ୍ୱାଇଁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବୀପ୍ରସାଦ ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶିତିକଣ୍ଠ କାନୁନଗୋ, ଉପଜିଲ୍ଲାପାଳ ତାପସ ରଂଜନ ଦେହୁରୀ, ଅତିରିକ୍ତ ଚିକିତ୍ସା ଅଧିକାରୀ ଡ଼ା. ରମେଶ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। କୋରେଇ ବିଧାୟକ ଆକାଶ ଦାସନାୟକ ଯୋଗଦେଇ କହିଲେ ଯାଜପୁର ଜିଲ୍ଲା ଏକ ବନ୍ୟା ଓ ବାତ୍ୟା ପ୍ରବଣ ଜିଲ୍ଲା। ପ୍ରତ୍ୟେକ ବର୍ଷ ନଦୀରେ ବନ୍ୟା ଆସୁଥିବାରୁ ନଦୀବନ୍ଧର ସୁଦୃଢ଼ୀକରଣ ପାଇଁ ଏକ ଦୀର୍ଘସ୍ଥାୟୀ ଯୋଜନା ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ବ୍ୟାସନଗର ସହରାଞ୍ଚଳରେ ଜଳ ନିଷ୍କାସନ ସମସ୍ୟା ରହୁଥିବାରୁ ଡ୍ରେନେଜ, ରେଲୱେ, ମ୍ୟୁନିସିପାଲିଟି ଓ ଡିୟୁଡିଏ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଯୁଗ୍ମ ସମନ୍ୱୟରେ ଜଳ ନିଷ୍କାସନ ସମସ୍ୟା ଦୂର କରିବାକୁ ପରାମର୍ଶ ଦେଇଥିଲେ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାର ନୂତନ ଓ ପୁରାତନ ରାସ୍ତା କଡରେ ବ୍ୟାପକ ବୃକ୍ଷରୋପଣ ଓ ଭୂତଳ ଜଳର ସଂରକ୍ଷଣ ଉପରେ ବିଧାୟକ ଗୁରୁତ୍ୱାରୋପ କରିଥିଲେ। ବଡ଼ଚଣା ବିଧାୟକ ଅମର କୁମାର ନାୟକ କହିଲେ ପ୍ରତିବର୍ଷ ବନ୍ୟା ଯୋଗୁଁ ବଡ଼ଚଣା ନିର୍ବାଚନ ମଣ୍ଡଳୀର ନଇ କୂଳିଆ ଗ୍ରାମ ଗୁଡ଼ିକର ବ୍ୟାପକ କ୍ଷୟ କ୍ଷତି ହୋଇଛି। ଏଣୁ ବନ୍ୟା ପୂର୍ବରୁ ନଦୀବନ୍ଧ ଗୁଡ଼ିକର ମରାମତି ଏବଂ ଡ୍ରେନେଜ ସମସ୍ୟା କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଯାଜପୁର ବିଧାୟିକା ସୁଜାତା ସାହୁ ଯୋଗଦେଇ କହିଛନ୍ତି ଯେ ଗତ ବର୍ଷ କାଣୀ ନଦୀରେ ଘାଇ ହୋଇ ବ୍ୟାପକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା । ବନ୍ୟା କ୍ଷତଗ୍ରସ୍ତ ଲୋକମାନଙ୍କୁ ଶୁଖିଲା ଖାଦ୍ୟ, ପଲିଥିନ, ପାନୀୟ ଜଳ ଏବଂ ଗାଈ ଗୋରୁଙ୍କ ପାଇଁ ଗୋଖାଦ୍ୟ ଏବଂ ପଲିଥିନ ଯୋଗାଣ ଉପରେ ଗୁରୁତ୍ୱାରୋପ କରିଥିଲେ।

ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ କହିଥିଲେ ଯେ ଗତ ୫ ବର୍ଷରେ ବିଭିନ୍ନ ନଦୀ ବନ୍ଧରେ ହୋଇଥିବା ଘାଇ ଗୁଡ଼ିକର ତୁରନ୍ତ ମରାମତି ଶେଷ କରିବା ଏବଂ ଦୁର୍ବଳ ନଦୀବନ୍ଧ ଚିହ୍ନଟ କରି ରିପୋର୍ଟ ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବନ୍ୟା ଓ ବ୍ୟାକ ୱାଟର ଯୋଗୁଁ କୃଷିଜାତ ଫସଲର କ୍ଷୟକ୍ଷତି ରିପୋର୍ଟ ପ୍ରଦାନ ବେଳେ ଯେପରି କୌଣସି କ୍ଷୟକ୍ଷତି ଅଞ୍ଚଳ ବାଦ୍ ନପଡେ ସେଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବର୍ଷା ଋତୁ ପୂର୍ବରୁ ସମସ୍ତ ଓଭର ହେଡ ଟାଙ୍କି ଏବଂ ବିଶେଷ କରି ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ଓଭର ହେଡ୍ ଟାଙ୍କି ଗୁଡ଼ିକ କ୍ଲୋରିନେସନ କରିବା ଓ ସମସ୍ତ ପାନୀୟ ଜଳ ଉତ୍ସର ନମୁନା ପରୀକ୍ଷା କୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ଶ୍ରୀ ଶିବାନନ୍ଦ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିବା ସହିତ କହିଲେ ଆମ ଜିଲ୍ଲାରେ ସାଧାରଣତ ବନ୍ୟା,ବାତ୍ୟା ଓ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି।

କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନାକୁ ଆଗେଇ ନେଇଥିଲେ।  ଏହି ବୈଠକରେ ନଦୀବନ୍ଧ ସୁଦୃଢ଼ୀକରଣ, ଘାଇ ମରାମତି, ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକାରିତା, ଜଳ ନିଷ୍କାସନ, ବୃଷ୍ଟିପାତ ଡାଟା, ଆଗୁଆ ସୂଚନା ପ୍ରଦାନ, ଅସ୍ଥାୟୀ ବେତାର ଷ୍ଟେସନ, ଟେଲି ଯୋଗାଯୋଗ, ପାୱାର ବୋଟ ନିୟୋଜନ, ସମ୍ବେଦନଶୀଳ ଅଞ୍ଚଳରେ ଖାଦ୍ୟ ଶସ୍ୟ ମହଜୁଦ ରଖିବା, ପାନୀୟ ଜଳ ଯୋଗାଣ, ଫସଲ କ୍ଷୟକ୍ଷତି, ସ୍ବାସ୍ଥ୍ୟ ଓ ପରିମଳ, ଆସନ୍ନ ପ୍ରସବା ମହିଳାଙ୍କୁ ଚିହ୍ନଟ ଓ ଯତ୍ନ, ଗୋଖାଦ୍ୟ ମହଜୁଦ, ତଳିଆ ଅଞ୍ଚଳରେ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ, ଏନ୍.ଡି.ଆର.ଏଫ୍, ଓଡ୍ରାଫ, ଅଗ୍ନିଶମ ଓ ପାରା ମିଲିଟାରୀ ନିୟୋଜନ, ରିଲିଫ ପରିଚାଳନା, ଯୋଗାଯୋଗ ଓ ଅତ୍ୟାବଶ୍ୟକ ସେବା, ଏନ୍.ଜି.ଓ, ଏସ.ଏସ.ଜି ଏବଂ ସିଭିଲ ସୋସାଇଟି ସହ ସମନ୍ୱୟ, ଟ୍ରାଫିକ ପରିଚାଳନା ଓ ବରିଷ୍ଠ ଅଧିକାରୀମାନଙ୍କୁ ତଦାରଖ ଦାୟିତ୍ଵ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା ସହ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ପିଇବା ପାଣି ଓ ପରିମଳ ବ୍ୟବସ୍ଥା ସୁନିଶ୍ଚିତ କରାଇବା ଉପରେ ଆଲୋଚନା ହୋଇଥିଲା। ଏହି ବୈଠକରେ ମ୍ୟୁନିସପାଲିଟି ଓ ବ୍ଲକ୍ ଅଧ୍ୟକ୍ଷ ଅଧ୍ୟକ୍ଷା , ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବି.ଡି.ଓ, ତହସିଲଦାର ଓ ଗଣମାଧ୍ୟମj ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଅଶୋକ କୁମାର ବେହେରା ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *