ପ୍ରତିଷ୍ଠା ହେବ ୭ଟି ମହିଳା ଫାଷ୍ଟଟ୍ରାକ୍ ଏବଂ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ
ଭୁବନେଶ୍ୱର,୦୮/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟ, ଦେଶ ତଥା ବିଶ୍ୱ ଦୃଷ୍ଟିକୋଣରୁ ଅବଲୋକନ କଲେ ଜନସଂଖ୍ୟା ସହ ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଘଟୁଛି । ବର୍ତ୍ତମାନ ଜନସଂଖ୍ୟା ଦୃଷ୍ଟିରୁ ରାଜ୍ୟ ତଥା ଦେଶରେ ଯୁବପିଢ଼ିଙ୍କ ସଂଖ୍ୟା ସମୁଦାୟ ଲୋକସଂଖ୍ୟାର ୫୦ ଭାଗରୁ ଅଧିକ ରହିଛି । ତେବେ ଆଗାମୀ ଦିନରେ ଏହି ସଂଖ୍ୟାରେ ପରିବର୍ତ୍ତନ ସହ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଯାଉଛି । ଏଣୁ ଆମକୁ ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି ।
ଆଜି ଆଇନ ବିଭାଗ ଓ ଜାତିସଂଘ ଜନସଂଖ୍ୟା ପାଣ୍ଠି (ୟୁଏନ୍ଏଫ୍ପିଏ)ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ‘ଜନସାଂଖ୍ୟିକ ପରିବର୍ତ୍ତନ ଓ ଆଇନ ବ୍ୟବସ୍ଥା: ଉଦୟମାନ ମାନବୀୟ ଭବିଷ୍ୟତ ପାଇଁ ପ୍ରସ୍ତୁତି’ ଶୀର୍ଷକ କର୍ମଶାଳାରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ନେଇ ଆମ ବିଧି ବ୍ୟବସ୍ଥାରେ ଅନେକ ସୁଧାର ଆଣିବାକୁ ପଡ଼ିବ । ଏଥି ପାଇଁ ଗ୍ରାମାଞ୍ଚଳରେ ବସବାସ କରୁଥିବା ସାଧାରଣ ଜନତା, ୬୨ ଜନଜାତି ସମୁଦାୟ, ୧୩ଟି ପିଭିଟିଜି ବର୍ଗଙ୍କ ସ୍ଥିତିକୁ ନଜରକୁ ନେବାକୁ ପଡ଼ିବ ।
ତେଣୁ ଜନସଂଖ୍ୟା ଦୃଷ୍ଟିରୁ ସବୁ ଜିଲ୍ଲା, ସବୁ ଅଞ୍ଚଳ ଏବଂ ସବୁ ସମୁଦାୟଙ୍କୁ ଅନୁଶୀଳନ କରି ଯୋଜନା ପ୍ରସ୍ତୁତି ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସ୍ଥାନୀୟ ଭାଷାରେ ନିଜ ଅଧିକାର ସହ ଆଇନଗତ ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ଯୁବକୈନ୍ଦିକ ନୀତି ପ୍ରଣୟନ ଉପରେ ସରକାର ବିଚାର କରୁଛନ୍ତି । ଅନ୍ୟ ପକ୍ଷରେ ମହିଳାମାନଙ୍କୁ ଗୁରୁତ୍ୱ ଦେଇ ୭ଟି ମହିଳା ଫାଷ୍ଟ ଟ୍ରାକ୍ କୋର୍ଟ ସହ ସାଇବର ଅପରାଧକୁ ରୋକିବା ଏବଂ ତୁରନ୍ତ ଦଣ୍ଡବିଧାନ ନିମିତ୍ତ ରାଜ୍ୟରେ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ ଖୋଲିବା ନେଇ ରାଜ୍ୟ ସରକାର ବିଚାର କରୁଛନ୍ତି । ତେଣୁ କେବଳ ଅର୍ଥନୈତିକ ବିକାଶ ନୁହେଁ, ବରଂ ସାମଗ୍ରିକ ବିକାଶ ନେଇ ରାଜ୍ୟ ସରକାର ଏକ ବିସ୍ତୃତ ରୋଡ଼୍ମ୍ୟାପ୍କୁ ନେଇ କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି ।
ଏହି ଅବସରରେ ଆଇନ ଆୟୋଗର ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ବିଶ୍ୱନାଥ ରଥ ପରିବର୍ତ୍ତିତ ସାମାଜିକ ପରିସ୍ଥିତି ସହ ଆଇନ ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ କରିବା ସହ ସଂଖ୍ୟାଗତ ହାର, ଅର୍ଥନୈତିକ ଅଭିବୃଦ୍ଧି, ସମାଧାନ ସମାରୋହ ମାଧ୍ୟମରେ ସମସ୍ୟାର ସମାଧାନ ଆଦି ବିଷୟରେ ନିଜର ମତ ରଖିଥିଲେ ।
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ରୋଡ୍ ନେଟ୍ୱାର୍କ, ପର୍ଯ୍ୟଟନ, ଆଇଟି କ୍ଷେତ୍ର, ଶିକ୍ଷା, ସ୍ୱାସ୍ଥ୍ୟସେବା ଆଦି କ୍ଷେତ୍ରରେ ରାଜ୍ୟର ଅଭିବୃଦ୍ଧି ବର୍ଣ୍ଣନା କରିବା ସହ ଜନସାଂଖ୍ୟିକ ପରିବର୍ତ୍ତନ କେବଳ ଜନସଂଖ୍ୟା ନୁହେଁ, ଏହା ପରିବାର, ସାମାଜିକ ସୁରକ୍ଷା, ନ୍ୟାୟ ବ୍ୟବସ୍ଥା ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ତେଣୁ ଭବିଷ୍ୟତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ ।
ଅନ୍ୟପକ୍ଷରେ ଆଡ୍ଭୋକେଟ୍ ଜେନେରାଲ୍ ଶ୍ରୀ ପିତାମ୍ବର ଆଚାର୍ଯ୍ୟ କହିଲେ ଯେ ଆଜିର ସମାଜରେ ପରିବର୍ତ୍ତିତ ପରିବାର ବ୍ୟବସ୍ଥା, ଦାୟିତ୍ୱ ଓ ସାମାଜିକ ପରିସ୍ଥିତି ଯୋଗୁଁ ଅଦାଲତରେ ମାମଲା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଇନର ବ୍ୟାଖ୍ୟା ପରିବର୍ତ୍ତିତ ପରିସ୍ଥିତି ପ୍ରତି ସମ୍ବେଦନଶୀଳ ହେବା ଆବଶ୍ୟକ ଏବଂ ସାଧାରଣ ଲୋକ ବୁଝିବା ଭଳି ଆଇନ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ ।
ୟୁଏନ୍ଏଫ୍ପିଏର ଓଡ଼ିଶା ମୁଖ୍ୟ ନଦୀମ୍ ନୁର୍ ଜନସାଂଖ୍ୟିକ ପରିବର୍ତ୍ତନରେ ସାମାଜିକ କାର୍ଯ୍ୟପ୍ରଣାଳୀ ଏବଂ ନ୍ୟାୟ ବ୍ୟବସ୍ଥାରେ ଏହାର ପ୍ରତିଫଳନ ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ “Law in a Changing Society: Demographic Transition and Legal Frameworks in Odisha” ଶୀର୍ଷକ ଏକ ପୁସ୍ତିକା ଉନ୍ମୋଚିତ ହୋଇଥିଲା । ଏଥିରେ ଜନସାଂଖ୍ୟିକ ପରିବର୍ତ୍ତନ, ଶାସନ ବ୍ୟବସ୍ଥା ଓ ଆଇନ ମଧ୍ୟରେ ଥିବା ସମ୍ପର୍କକୁ ବିଭିନ୍ନ ନ୍ୟାୟିକ ରାୟ ମାଧ୍ୟମରେ ବିଶ୍ଳେଷଣ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ ସ୍ୱାଗତ ଭାଷଣ ଦେଇଥିବାବେଳେ ୟୁଏନ୍ଏଫ୍ପିଏର ସୂର୍ଯ୍ୟପ୍ରକାଶ ଧନ୍ୟବାଦ ଅର୍ପଣ କରିଥିଲେ ।
ପରେ ତିନୋଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ ସାଂସଦ ଅମର ପଟ୍ଟନାୟକଙ୍କ ସମେତ ବହୁ ବିଶେଷଜ୍ଞ ଜନସାଂଖ୍ୟିକ ପରିବର୍ତ୍ତନ ନେଇ ଆୟୋଜିତ ବିଭିନ୍ନ ବିଷୟରେ ସେମାନଙ୍କର ସୁଚିନ୍ତିତ ମତ ରଖିଥିଲେ । କାର୍ଯ୍ୟକ୍ରମରେ ବୃଦ୍ଧାବସ୍ଥା, ପରିବର୍ତ୍ତିତ ପରିବାର ବ୍ୟବସ୍ଥା, କିଶୋର ଅବସ୍ଥା, ସହାୟକ ପ୍ରଜନନ ପ୍ରଯୁକ୍ତି, ଯତ୍ନ, ଦାୟିତ୍ୱ ଓ ପ୍ରତିଷ୍ଠାନଗତ ପ୍ରତିକ୍ରିୟା ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା ।
