ଯାଜପୁର, ୦୮/୦୫/୨୦୨୬ (ଓଡ଼ିଶା ସମାଚାର)- ଆଜି ଯାଜପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ରେଡକ୍ରସ ଶାଖା ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ବିଶ୍ଵ ରେଡକ୍ରସ ଦିବସ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଅଛି।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଜିଲ୍ଲା ରେଡକ୍ରସ ଶାଖା ଶ୍ରୀ ଅମ୍ବର କୁମାର କର ମାନବ ସେବା, ସହାନୁଭୂତି ଓ ସ୍ୱେଚ୍ଛାସେବାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଲେ ରେଡକ୍ରସ କେବଳ ଏକ ସଂଗଠନ ନୁହେଁ, ଏହା ମାନବତାର ପ୍ରତୀକ । ଦୁର୍ଯ୍ୟୋଗ, ରକ୍ତଦାନ, ସ୍ୱାସ୍ଥ୍ୟ ସଚେତନତା ଓ ସେବା କ୍ଷେତ୍ରରେ ରେଡକ୍ରସର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ । ବିରଳ ବ୍ଲଡ଼ ଗ୍ରୁପର ବ୍ଲଡକୁ ସଂରକ୍ଷଣ କରି ରଖିବାକୁ ପରାମର୍ଶ ଦେଇଥିଲେ।
ଉକ୍ତ ସଭାରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ କହିଲେ ସମାଜର ଅସହାୟ ଓ ଦୁର୍ବଳ ବର୍ଗଙ୍କୁ ସହଯୋଗ କରିବା ହିଁ ରେଡକ୍ରସର ମୂଳ ଲକ୍ଷ୍ୟ । ଯୁବପିଢ଼ିଙ୍କୁ ଏହି ସେବା ମନୋଭାବରେ ସାମିଲ କରିବା ଆବଶ୍ୟକ । ରକ୍ତଦାନ ଓ ସାମାଜିକ ସେବା ମାଧ୍ୟମରେ ରେଡକ୍ରସ ଲୋକଙ୍କ ମନରେ ଏକ ବିଶ୍ୱାସର ପରିଚୟ ସୃଷ୍ଟି କରିଛି । ଆଗାମୀ ଦିନରେ ମଧ୍ୟ ଏହି ସେବା କାର୍ଯ୍ୟ ଅଧିକ ବ୍ୟାପକ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ ।
୨୦୨୫-୨୬ ଆର୍ଥିକ ବର୍ଷରେ ଜିଲ୍ଲା ରେଡକ୍ରସ୍ ସଂସ୍ଥା ଦ୍ୱାରା ୧ ଟି ରକ୍ତ ଦାନ ଶିବିର କରାଯାଇ ୪୨ ୟୁନିଟ ର ରକ୍ତ ସଂଗ୍ରହ କରାଯାଇଥିଲା। ରେଡକ୍ରସ୍ ପାଣ୍ଠିରୁ ଉଚ୍ଚ ଶିକ୍ଷା, ନାମ ଲେଖାଇବା ନିମନ୍ତେ ଅର୍ଥ ରାଶି, ମେଡିକାଲ ଶିକ୍ଷାର୍ଥୀଙ୍କ ନିମନ୍ତେ, ଆକସ୍ମିକ ଦୁର୍ଘଟଣା ତଥା ସଡ଼କ ଦୁର୍ଘଟଣା ଜନିତ ସମୟରେ ଆହତ ବ୍ୟକ୍ତି ଏବଂ ମୃତ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା, ଭିନ୍ନକ୍ଷମ ପିଲାମାନଙ୍କ ଖେଳିବା ନିମନ୍ତେ, ନିରାମୟ ଔଷଧ କେନ୍ଦ୍ରରେ ମହଜୁଦ ନଥିବା ଔଷଧ ବାହାରୁ କିଣି ରୋଗୀଙ୍କ ପାଖରେ ପହଞ୍ଚାଇବା ନିମନ୍ତେ ରେଡ କ୍ରସ ପାଣ୍ଠି ତରଫରୁ ଯେଉଁ ଆର୍ଥିକ ସହାୟତା ଯୋଗାଇ ଦିଆ ଯାଇଛି ଅତିରିକ୍ତ ଜିଲ୍ଲାପାଳ ତାହାର ବିବରଣୀ ପାଠ କରିଥିଲେ। ୨୦୨୫-୨୬ ଆର୍ଥିକ ବର୍ଷରେ ସର୍ବାଧିକ ୧,୦୯,୨୭,୩୭୮ ଟଙ୍କା ସଂଗ୍ରହ ହୋଇଥିବାବେଳେ ୨୮,୦୯,୨୦୦ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଶ୍ରୀ ନାଏକ ପ୍ରକାଶ କରିଥିଲେ।
ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଶିବାନନ୍ଦ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରେଡକ୍ରସର ଜନକ ହେନେରି ଡୁନାଣ୍ଟଙ୍କ ବିଷୟରେ ବକ୍ତବ୍ୟ ରଖିବା ସହ କହିଲେ ଦୁର୍ବିପାକ ସମୟରେ ରେଡକ୍ରସ ସ୍ୱେଚ୍ଛାସେବୀମାନଙ୍କ ନିଷ୍ଠାପୂର୍ଣ୍ଣ ସେବା ସମାଜ ପାଇଁ ପ୍ରେରଣାଦାୟକ । ସମସ୍ତେ ରେଡକ୍ରସର କାର୍ଯ୍ୟକ୍ରମରେ ସାମିଲ ହୋଇ ମାନବ ସେବାରେ ନିଜକୁ ନିଯୁକ୍ତ କରିବା ଉଚିତ । ସେକ୍ରେଟାରୀ, ଜିଲ୍ଲା ରେଡକ୍ରସ ବ୍ରାଞ୍ଚ ଶ୍ରୀ କୁଳମଣୀ ନାୟକ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିବା ସହିତ କହିଲେ ପ୍ରତିବର୍ଷ ମେ ୮ ତାରିଖରେ ମାନବତାର ପ୍ରତୀକ ଏବଂ ରେଡକ୍ରସ ଆନ୍ଦୋଳନର ପ୍ରତିଷ୍ଠାତା ହେନ୍ରୀ ଡ୍ୟୁନାଣ୍ଟଙ୍କ ଜନ୍ମଦିନକୁ ସ୍ମରଣ କରି ବିଶ୍ୱ ରେଡକ୍ରସ ଦିବସ ପାଳନ କରାଯାଏ। ଏହାର ଉଦ୍ଦେଶ୍ୟ ଲୋକମାନଙ୍କୁ ସେବା ଯୋଗାଇଦେବା। ଏବେ ଏହାର ବ୍ୟାପକ ପ୍ରସାର ହେଲାଣି ଯାହାକି କେବଳ ଚିକିତ୍ସା ସେବା ନୁହେଁ ଜୀବନ ରକ୍ଷା, ଉଚ୍ଚ ଶିକ୍ଷା ଓ ଖେଳ ଇତ୍ୟାଦି କ୍ଷେତ୍ରରେ ମଧ୍ୟ ରେଡକ୍ରସ୍ ସେବା ଯୋଗାଇ ଦିଆଯାଉଛି।ରେଡକ୍ରସର ଆଦର୍ଶ ହେଉଛି ନିଷ୍କାମ ସେବା । ସମାଜରେ ସହଯୋଗ ଓ ମାନବିକତାର ଭାବନା ବୃଦ୍ଧି ପାଇଁ ଏହିଭଳି କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ । ଜିଲ୍ଲାପାଳଙ୍କ ଉଦ୍ୟମରେ ଗତ ବର୍ଷ ତୁଳନାରେ ଏ ବର୍ଷ ରେଡକ୍ରସ୍ ପାଣ୍ଠି ଦ୍ଵିଗୁଣିତ ହୋଇପାରିଛି।
ଉକ୍ତ ଦିବସରେ ଅତିରିକ୍ତ ଜିଲ୍ଲାପାଳ, କଳିଙ୍ଗ ନଗର ଶ୍ରୀ ସପନ କୁମାର ନନ୍ଦ, ଅଧ୍ୟକ୍ଷା ପୌର ପରିଷଦ, ଯାଜପୁର ଶ୍ରୀମତୀ ରଞ୍ଜୁଲତା ହୋତା, ଏ.ଡି.ଏମ.ଓ ଶ୍ରୀ ରମେଶ ଚନ୍ଦ୍ର ମଲ୍ଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରେଡକ୍ରସ୍ ଦିବସର ଶୁଭେଚ୍ଛା ଜଣାଇବା ସହ କାର୍ଯ୍ୟକ୍ରମରେ ରେଡକ୍ରସର ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।
ବୈଠକର ପ୍ରାରମ୍ଭରେ ରେଡ କ୍ରସ୍ ସଦସ୍ୟ ଆଡଭୋକେଟ ପ୍ରମୋଦ ମହାନ୍ତିଙ୍କ ମୃତ୍ୟୁରେ ଏକ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା। ମା’ ବିରଜା ଓ ହେନେରୀ ଡ୍ୟୁନାଣ୍ଟଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା।
ପଚାଶ ହଜାରରୁ ଉର୍ଦ୍ଧ୍ବ ରାଶି ରେଡକ୍ରସ୍ ପାଣ୍ଠିକୁ ଦାନ କରିଥିବା ଅନୁଷ୍ଠାନ ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ସେଥି ମଧ୍ୟରୁ ଏମ.ଏସ. ଟାଟା ଷ୍ଟିଲ ଲିମିଟେଡ ଟ. ୧୫,୦୦,୦୦୦ ଅର୍ଥ ରାଶି ଦାନ କରି ପ୍ରଥମ ସ୍ଥାନ, ସି.ଏସ.ଓ, ଯାଜପୁର ଟ. ୧୨,୫୮,୦୦୦ ଅର୍ଥରାଶି ଦାନ କରି ଦ୍ଵିତୀୟ ସ୍ଥାନ ଓ ଏମ.ଏସ. ଜିନ୍ଦଲ ଷ୍ଟେନ୍ ଲେସ ଲିମିଟେଡ ଟ. ୧୦,୦୦,୦୦୦ ଦାନ କରି ତୃତୀୟ ସ୍ଥାନ ହାସଲ କରିଛନ୍ତି।
ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଖେଳ ନିରୀକ୍ଷକଏହି ଆର୍ଥିକ ବର୍ଷରେ ଜିଲ୍ଲା ଜୁନିଅର ରେଡକ୍ରସ ସଂସ୍ଥା (ସ୍କୁଲ ସ୍ତରରେ) ପକ୍ଷରୁ କରାଯାଇଥିବା ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ ଏବଂ ୟୁଥ୍ ରେଡକ୍ରସ ସଂସ୍ଥା (କଲେଜ ସ୍ତରରେ) କରାଯାଇଥିବା କାର୍ଯ୍ୟକ୍ରମ ସମ୍ବନ୍ଧରେ ବିବରଣୀ ପାଠ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀ, ଜିଲ୍ଲା ରେଡକ୍ରସ ସଂସ୍ଥାର ସଦସ୍ୟ ବୃନ୍ଦ, ବୁଦ୍ଧିଜୀବୀ, ବିଦ୍ୟାଳୟର ଛାତ୍ର ଛାତ୍ରୀ, ସମାଜସେବୀ, ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଓ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ।
ଶେଷରେ ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ଶ୍ରୀ ସପନ କୁମାର ନନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ।
