ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉନ୍ନୟନ କାର୍ଯ୍ୟ ସମ୍ପର୍କୀୟ ସମୀକ୍ଷା ବୈଠକ

ଯାଜପୁର, ୦୮/୦୫/୨୦୨୬(ଓଡ଼ିଶା ସମାଚାର)- ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଅଧ୍ୟକ୍ଷତା କରି ଧର୍ମଶାଳା ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ବିଭିନ୍ନ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଗତ ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଉପରେ କଣ କାର୍ଯ୍ୟାନୁଷ୍ଠାନ ହୋଇଛି, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।

ବିଶେଷ କରି ଜଳାଭାବ ଥିବା ଅଞ୍ଚଳରେ କିଭଳି ଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ, ସେ ସମ୍ପର୍କରେ ବିଧାୟକ ଗୁରୁତ୍ୱାରୋପ କରିଥିଲେ। ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହୋଇନପାରିବାରୁ ମିନି ପାଇପ୍ ୱାଟର ସପ୍ଲାଏ ମାଧ୍ୟମରେ ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇଦେବାକୁ ବିଧାୟକ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଇବା ଏକ ସ୍ଥାୟୀ ସମାଧାନର ପନ୍ଥା ନୁହେଁ। ଆଗକୁ ବର୍ଷା ଋତୁ ଆସିବା ପୂର୍ବରୁ ଡାଇରିଆ ବ୍ୟାପିବାର ସମ୍ଭାବନା କୁ ଦୃଷ୍ଟିରେ ରଖି ମିନି ପାଇପ ୱାଟର ସପ୍ଲାଏ ମାଧ୍ୟମରେ ଶୁଦ୍ଧ ପାନୀୟ ଜଳ ଯୋଗାଣର ଆବଶ୍ୟକତା ରହିଛି। ଏଥିପାଇଁ ରାଜ୍ୟ ସରକାରଙ୍କୁ ଯୋଜନା ପ୍ରସ୍ତୁତ କରି ଜିଲ୍ଲାପାଳଙ୍କ ମାଧ୍ୟମରେ ପଠାଇବାକୁ ବିଧାୟକ କହିଥିଲେ।

ଏହି ବୈଠକରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର କହିଲେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଜଳାଭାବ ଥିବା ଅଞ୍ଚଳରେ ଲୋକମାନଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବା ଆମର ଦାୟିତ୍ବ। ଏହି ଅଞ୍ଚଳରେ କେତେ ମିନି ପାଇପ୍ ୱାଟର ସପ୍ଲାଏ ସମ୍ଭବପର ହୋଇପାରିବ, ସେ ସମ୍ପର୍କରେ ତୁରନ୍ତ ରିପୋର୍ଟ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଚିକିତ୍ସାଳୟ, ହାଇସ୍କୁଲ ପାଇଁ ମଧ୍ୟ ମିନି ପାଇପ୍ ୱାଟର ସପ୍ଲାଏର ଆବଶ୍ୟକତା ରହିଛି। ଏତଦ୍ ବ୍ୟତୀତ ଧର୍ମଶାଳା ଅଞ୍ଚଳରେ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ନିମନ୍ତେ ସରକାରୀ ଜମି ଚିହ୍ନଟ କରି ରିପୋର୍ଟ ଦେବାକୁ ବିଧାୟକ ରାଜସ୍ବ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ବୈଠକରେ ସ୍ବାସ୍ଥ୍ୟ ବିଭାଗରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସବ-ସେଣ୍ଟର୍ ଗୁଡ଼ିକର କାର୍ଯ୍ୟ ତୁରନ୍ତ ସମାପ୍ତ କରି ବିଭାଗୀୟ ଅଧିକାରୀଙ୍କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ହୋଇଥିଲା ।

ବୈଠକରେ ଜଳସେଚନ, ଡ୍ରେନେଜ୍, ଗ୍ରାମ୍ୟ ଉନ୍ନୟନ, ରାସ୍ତା ଓ କୋଠାବାଡ଼ି, ପର୍ଯ୍ୟଟନ, ହସ୍ତଶିଳ୍ପ ବିଭାଗର ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ, ଜଳସେଚନ, ଉପ ନିର୍ଦ୍ଦେଶକ, ପ୍ଲାନିଂ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *