ଆଜି ପବିତ୍ର ହେରାପଞ୍ଚମୀ-  ଫଟୋଚିତ୍ର ପ୍ରଦର୍ଶନୀରେ ପ୍ରତିଫଳିତ ହେଉଛି ମା’ ଲକ୍ଷ୍ମୀଙ୍କ ଅଭିମାନ

                                               ପୁରାତନ ଲେଖା ଉଜ୍ଜୀବିତ କରୁଛି ଓଡିଆ ଅସ୍ମିତାର ଗୌରବମୟ ଅତୀତ

ପୁରୀ/ଭୁବନେଶ୍ୱର,୧୧/୦୭/୨୦୨୪(ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଥିଲା ପବିତ୍ର ହେରାପଞ୍ଚମୀ । ରଥଯାତ୍ରାରେ ଆସିବା ପୂର୍ବରୁ ମା’ ଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ କେବଳ ଗୋଟିଏ ଦିନ ପାଇଁ କଳମ ଶାଗ ରଖିଦେଇ ଆସିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଯାହାକି ଇତିମଧ୍ୟରେ ସରିଗଲାଣି । ସେଥିପାଇଁ ମା’ ଲକ୍ଷ୍ମୀ ଆଜି ଗୁଣ୍ଡିଚାବାଡିକୁ ଆସିଥିଲେ ଶ୍ରୀଜଗନ୍ନାଥଙ୍କୁ କେବେ ଆସିବ ବୋଲି ପଚାରିବା ପାଇଁ । ହେଲେ ଶ୍ରୀ ଜଗନାଥଙ୍କ ନିକଟରେ ତାଙ୍କ ବଡଭାଇ ଓ ସାନ ଭଉଣୀ ଥିବାରୁ ଓଡିଆ ଘରର ସୌଜନ୍ୟତା ଦୃଷ୍ଟିରୁ ନିଜ ଧର୍ମପନିୀଙ୍କୁ ସାକ୍ଷାତ କରିବା ପାଇଁ ଯଜ୍ଞବେଦୀ ଛାଡି ଆସିପାରିଲେନି ମହାପ୍ରଭୁ । ଏଣୁ ନବବିବାହିତା ମହାଲକ୍ଷ୍ମୀ ରାଗରୋଷ ଓ ଅଭିମାନରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର କିଛିଅଂଶ ଭାଙ୍ଗିଦେଇ ହେରାଗୌରୀ ସାହି ଦେଇ ଫେରି ଯାଇଛନ୍ତି ଶ୍ରୀମନ୍ଦିରକୁ ।

ପବିତ୍ର ରଥଯାତ୍ରା ଅବସରରେ ପୁରୀ ଗୁଣ୍ଡିଚାବାଡି ନିକଟସ୍ଥ ଭୋଳାନାଥ ବିଦ୍ୟାପୀଠ ପରିସରରେ ଚାଲିଥିବା ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀରେ ପ୍ରଦର୍ଶିତ ହେଉଛି ଏହି ମାନବୀୟ ଲୀଳାକୁ ନେଇ ଗତ ହେରାପଞ୍ଚମୀର ଫଟୋ ସମୂହ ସହିତ ପୁରାତନ ରଚନାରୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ମା’ ଲକ୍ଷ୍ମୀଙ୍କ ଅଭିମାନ ଭରା ବକ୍ତବ୍ୟ ‘କଥା ଦେଇଥିଲ ଫେରି ତ ଆସିବ ଗୋଟେ ଦିନ ସେଠି ରହି, ହେଲେ ବିତିଗଲା ପାଞ୍ଚ ଦିନ ପ୍ରଭୁ ତୁମେ ତ ଫେରିଲ ନାହିଁ ।’ ସେହିପରି ସ୍ଥାପିତ ଭିଡିଓ ୱାଲରେ ପ୍ରଦର୍ଶିତ ହେଉଛି ବିଭିନ୍ନ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଗାୟନ କରାଯାଇଥିବା ଶ୍ରୀ ଜଗନ୍ନାଥ ସହସ୍ରନାମ ଏବଂ ଜଗଦଗୁରୁ ଶ୍ରୀ ଶଙ୍କରଚାର୍ଯ୍ୟ ବିରଚିତ ଶ୍ରୀଜଗନ୍ନାଥ ଅଷ୍ଟକମ ସ୍ତ୍ରୋତ୍ର ସହିତ ଶ୍ରୀଜଗନ୍ନାଥ ଚେତନା ସମ୍ବଳିତ ଅନ୍ୟାନ୍ୟ ଭିଡିଓ । ସେସବୁକୁ ପ୍ରଦର୍ଶନୀ ମଣ୍ଡପକୁ ଆସୁଥିବା ଦର୍ଶକମାନେ ଅତି ଆଗ୍ରହର ସହିତ ଦେଖିବା ସହିତ ବୟସାଧିକ୍ୟ ଦର୍ଶମାନେ ପୁରାତନ ରଚନାର କବିତା ପଂକ୍ତିଗୁଡିକ ନିଜ ଟିପାଖାତାରେ ଲେଖୁଥିବା ଦେଖିବାକୁ ମିଳୁଛି । ସୂଚନା ଓ ଲୋକସମ୍ପର୍କ ବିଭାଗର ଏହି ଅସ୍ଥାୟୀ ପ୍ରଦର୍ଶନୀ ମଣ୍ଡପ ଏକ ମ୍ୟୁଜିୟମ ସଦୃଶ ହୋଇଛି ବୋଲି ଅନେକେ ନିଜନିଜ ମଧ୍ୟରେ ବାର୍ତ୍ତାଳାପ କରୁଛନ୍ତି ।

Leave a Reply

Your email address will not be published. Required fields are marked *