ଅଶୋକ ନଗର ଉଠାଦୋକାନୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ମାନବିକ ଅଧିକାର କମିଶନଙ୍କୁ ଦାବିପତ୍ର ପ୍ରଦାନ

ଭୁବନେଶ୍ୱର,୦୮/୦୫/୨୦୨୬(ଓଡ଼ିଶା ସମାଚାର)- ଅଶୋକ ନଗରରେ ଅଠାଇଶ ଜଣ ହକରଙ୍କ ଉପରେ ହୋଇଥିବା ଅନ୍ୟାୟ ଉଚ୍ଛେଦ ଓ ଦୋକାନ ଭଙ୍ଗା ବିରୁଦ୍ଧରେ ଏଆଇଟିୟୁସି ଓ ଏଆଇସିସିଟିୟୁ ପକ୍ଷରୁ ଓଡ଼ିଶା ରାଜ୍ୟ ମାନବାଧିକାର କମିଶନଙ୍କ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ସୁରଜେନା ଓ ମହେନ୍ଦ୍ର ପରିଡ଼ାଙ୍କ ନେତୃତ୍ୱରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଗତ ୧୧ ଏପ୍ରିଲ୍ ସକାଳ ପ୍ରାୟ ଆଠ ଟା ସମୟରେ ବିଏମସି ଓ ବିଡିଏ ର ମିଳିତ ଭାବେ ୨୮ଟି ଦୋକାନକୁ କୌଣସି ପୁର୍ବସୂଚନା ନଦେଇ ଅଗଣତାନ୍ତ୍ରିକ ଭାବେ ଭଙ୍ଗାଯାଇଥିଲା ।ସୂଚନା ନଥିବାରୁ ଦୋକାନୀମାନଙ୍କର ପ୍ରାୟ ୧୬ଲକ୍ଷ ୧ହଜାର ଟଙ୍କାର ସାମଗ୍ରୀ ନଷ୍ଟ କରିବା ସହ ଦୋକାନକୁ ସମ୍ପର୍ଣ୍ଣ ଭାବେ ଧୂଳିସାତ କରିଦେଇଛନ୍ତି ।

ସମ୍ପୃକ୍ତ ଉଠାଦୋକାନୀମାନେ ଦୀର୍ଘ ୪୦ବର୍ଷ ହେବ ବ୍ୟବସାୟ କରି ପରିବାର ପୋଷଣ କରିଆସୁଥିବାବେଳେ ବିଏମସି କର୍ତୃପକ୍ଷ ସୁପ୍ରିମକୋର୍ଟର ୨୦୨୪ ମସିହାରେ ପ୍ରଣିତ ଆଇନ୍ ଯଥା ଉଠାଦୋକାନୀଙ୍କୁ ସର୍ବନିମ୍ନ ବଂଚିବାର ସୁରକ୍ଷା ଆଇନ୍ ୨୦୧୪ ଅନୁସାରେ ଦେଇଥିବା ନିର୍ଦେଶନାମାକୁ କାର୍ଯ୍ୟକାରୀକରି ନାହାନ୍ତି । ପ୍ରକାଶ ଥାଉକି ଉଠାଦୋକାନୀମାନେ ବ୍ୟବସାୟ କରିଥିବା ସ୍ଥାନ ସାଧାରଣ ଜନଗଣ କିମ୍ବା ଯାତାୟତ ଏବଂ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି କରୁନଥିବାବେଳେ ବିଏମସି ଓ ବିଡିଏର ଏତାଦୃଶ କାର୍ଯ୍ୟ ସମ୍ବିଧାନର ଧାରା ୨୧ ଅନୁସାରେ ଜୀବନ ଓ ଜୀବିକାର ଅଧିକାର କୁ ଉଲଂଘନ କରିଛି ।ମାନବାଧିକାର କମିଶନଙ୍କ ଅଧ୍ୟକ୍ଷ ପ୍ରତିନିଧି ଦଳର ଅଭିଯୋଗକୁ ଗୁରୁତ୍ୱ ସହକାରେ ଶୁଣିଥିଲେ ଓ ଏହି ଘଟଣାରେ ମାମଲା ରୁଜୁକରି ନ୍ୟାୟ ପ୍ରଦାନ ପାଇଁ ପଦକ୍ଷେପ ନିଆଯିବବୋଲି ଆଶ୍ୱାସନା ଦେଇଥିଲେ ।

ତତ୍ସହିତ ଏଆଇଟିୟୁସି ଓ ଏଆଇସିସିଟିୟୁ ତରଫରୁ ପୀଡିତ ହକରମାନଙ୍କୁ ତୁରନ୍ତ କ୍ଷତିପୂରଣ, ପୁନର୍ବାସ ଓ ସ୍ଥାୟୀ ଜୀବିକା ର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ।ଏହି ପ୍ରତିନିଧି ମଣ୍ଡଳିରେ ଦେବେନ୍ଦ୍ର ସାହୁ, ରାକେଶ ପଣ୍ଡା, ଅର୍ଜୁନ ସେଠୀ, ଧନେଶ୍ୱର ବେହେରା, ଜଗା ପ୍ରଧାନ, ଅଭୟ ପଣ୍ଡା, ବିଜୁସ୍ୱାଇଁ ଓ ରମେଶଜେନା ପ୍ରମୁଖ ନେତୃତ୍ୱ ନେଇଥିଲେ ।

Leave a Reply

Your email address will not be published. Required fields are marked *