ମହତ୍ କର୍ମ ପାଇଁ କିଶୋର ସାମଲ ସ୍ମରଣୀୟ ହୋଇ ରହିବେ

ଭୁବନେଶ୍ୱର,୦୮/୦୫/୨୦୨୬(ଓଡ଼ିଶା ସମାଚାର)-ନିଷ୍କପଟ ହୃଦୟରେ ସତ୍ୟନିଷ୍ଠ ଭାବେ ଗରିବ, ଅସହାୟ ଲୋକମାନଙ୍କ ସେବା କରିବା ଭଳି ମହତ୍ କର୍ମ ଦ୍ୱାରା ଯୁବ ସମାଜସେବୀ କିଶୋର ସାମଲ ଆଜି ସ୍ମରଣୀୟ ହୋଇପାରିଛନ୍ତି । ଆଂଚଳିକ ସ୍ତରରେ ବିଭିନ୍ନ ସମସ୍ୟା, ବିଶେଷକରି ଶିକ୍ଷା କ୍ଷେତ୍ରରେ ସମସ୍ୟାର ସମାଧାନ ନିମନ୍ତେ ଉପଯୁକ୍ତ ପ୍ରଶାସନିକ କର୍ତୃପକ୍ଷଙ୍କ ନିକଟରେ ନ୍ୟାୟୋଚିତ ଦାବି ଉପସ୍ଥାପନ କରିବାରେ ତାଙ୍କର ସକରାତ୍ମକ ଆଭିମୁଖ୍ୟ ଓ କାର୍ଯ୍ୟକ୍ରମ ପାଇଁ ସେ ଲୋକପ୍ରିୟ ମଧ୍ୟ ହୋଇପାରିଛନ୍ତି ବୋଲି ବହୁ ବିଶିଷ୍ଟ ବକ୍ତା ମତ ରଖିଛନ୍ତି ।


ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ବିଧାୟକ ସ୍ୱର୍ଗୀୟ ପୂର୍ଣ୍ଣାନନ୍ଦ ସାମଲଙ୍କ ସୁପୁତ୍ର, ଯୁବ ସମାଜସେବୀ, ଦକ୍ଷ ସଂଗଠକ, ପୂର୍ବତନ କାଉନସିଲର କିଶୋର ସାମଲଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଚୌଦ୍ୱାର କଲେଜ ପୁରାତନ ଛାତ୍ର ସଂସଦ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ଦୋଳଯାତ୍ରା ପଡ଼ିଆ ସମ୍ମୁଖସ୍ଥ କଳାନିକେତନ କ୍ଲବ ପ୍ରେକ୍ଷାଳୟରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦର ସଭାପତି ତଥା ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ୱାଳ, ପୂର୍ବତନ ଚେୟାରମ୍ୟାନ ପ୍ରେମଚାନ୍ଦ ନାୟକ, ଚୌଦ୍ୱାର ମୁନିସିପାଲିଟିର ଭାଇସ ଚେୟାରମ୍ୟାନ ଶୁଭେନ୍ଦୁ ସାମଲ୍, ନଗର କଂଗ୍ରେସ ସଭାପତି ହରିହର ପରିଡ଼ା ପ୍ରମୁଖ ଯୋଗଦେଇ ସ୍ୱର୍ଗୀୟ କିଶୋର ସାମଲଙ୍କ ବହୁ ମୁଖୀ ପ୍ରତିଭା ଓ ଅବଦାନ ସମ୍ପର୍କରେ ଆଲୋକପାତ କରି ଗଭୀର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପୁରାତନ ଛାତ୍ର ସଂସଦ ସମ୍ପାଦକ କେଶବ ଚନ୍ଦ୍ର ସାହୁ, ବରିଷ୍ଠ କର୍ମକର୍ତା କ୍ଷୀରୋଦ ବେହେରା, ବିଭୂତି ଭୂଷଣ ସାହୁ, ବିଚିତ୍ରାନନ୍ଦ ସାହୁ, ସୌମିତ୍ର ସ୍ୱାଇଁ, ମୁରଲୀଧର ବେହୁରା, ରବୀନ୍ଦ୍ର କୁମାର ମହାପାତ୍ର, ଯୁବ କଂଗ୍ରେସ ନେତା ବିଜୟ ବେହେରା, ନାରୀନେତ୍ରୀ ମୋନାଲିସା ଦାସ, ଅଜୟ ବଳ, ଲିଙ୍ଗରାଜ ମୁଦୁଲି, ସୁବାସ ଦଲେଇ, ବିଜୟ ନାୟକ, ଦୀପକ ପରିଜା, ଛବିନ ନାୟକ, ରାଜେନ୍ଦ୍ର ସାମନ୍ତରାୟ, ଚତିରଞ୍ଜନ ସାମଲ, ଜଗଜ୍ଜୀବନ ସାମଲଙ୍କ ସମେତ ବହୁ ସଂଖ୍ୟାରେ ପୁରାତନ ଛାତ୍ର ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସ୍ୱର୍ଗତ ସାମଲଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *