ରାଉରକେଲା, ୦୭/୦୫/୨୦୨୬ (ଓଡ଼ିଶା ସମାଚାର)- ୧୮୦ ରୁ ଉର୍ଦ୍ଧ୍ବ ଦେଶ ରେ ବ୍ୟାପ୍ତ ପ୍ରସିଦ୍ଧ ଆଧ୍ୟାତ୍ମିକ ତଥା ମାନବବାଦୀ ସଂଗଠନ ‘ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ’ ର ସଂସ୍ଥାପକ ପରମ ପୂଜ୍ୟ ସନ୍ଥ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଆସନ୍ତା ମଇ ୧୩ ତାରିଖରେ ୭୦ ତମ ଜନ୍ମ ମହୋତ୍ସବ ପାଳନ ପାଇଁ ରାଉରକେଲା ଆର୍ଟ ଅଫ୍ ଲିଭିଂ ପରିବାର ଆନୁକୁଲ୍ୟରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏସମ୍ପର୍କରେ ସେକ୍ଟର ୨୦ ସ୍ଥିତ ଏସଏସଆରଭିଏମ୍ ଇସ୍ପାତ ଇଂରାଜୀ ମାଧ୍ୟମ ସ୍କୁଲ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇ କୁହାଯାଇଛି ଯେ ଜନ୍ମ ମହୋତ୍ସବ ଅବ୍ୟବହିତ ପୂର୍ବରୁ ରାଉରକେଲା ମହାନଗରର ବିଭିନ୍ନ ସ୍ଥାନରେ ଆର୍ଟ ଅଫ୍ ଲିଭିଂ ପ୍ରଶିକ୍ଷଣ ଶିବିର, ନିକଟସ୍ଥ ବିଭିନ୍ନ ଗ୍ରାମାଞ୍ଚଳ ତଥା ବସ୍ତି ଗୁଡ଼ିକ ରେ ନିଶୁଳ୍କ ଯୋଗ ଧ୍ୟାନ ପ୍ରାଣାୟାମ ଶିବିର ଆଦି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।
ଏହି ସମ୍ମିଳନୀରେ ରାଉରକେଲା ଶ୍ରୀ ଶ୍ରୀ ବିଦ୍ୟା ମନ୍ଦିର ସମୂହ ର ନିର୍ଦ୍ଦେଶକ ଡକ୍ଟର ଗିରିଜା ଶଙ୍କର ଦାସ, ଅଧ୍ୟକ୍ଷା ଡ ଖୁସବୁ ଜ୍ୟୋତି ଆର୍ଟ ଅଫ୍ ଲିଭିଂ ଗଣ ମାଧ୍ୟମ ସଂଯୋଜକ ତଥା ଆର୍ଟ ଅଫ୍ ଲିଭିଂ ପ୍ରଶିକ୍ଷକ ରଶ୍ମି ରଞ୍ଜନ ଦାସ ପରିଚାଳନା କରିଥିଲେ। ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଜନ୍ମ ମହୋତ୍ସବ ଉପଲକ୍ଷେ ମଇ ୧୩ ତାରିଖ ସକାଳେ ସହରର ବିଭିନ୍ନ ସ୍ଥାନରେ ସୁଦର୍ଶନ କ୍ରିୟା ସାଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏକ ରକ୍ତଦାନ ଶିବିର,ପ୍ଲାଷ୍ଟିକ ବର୍ଜନ ସଚେତନତା କାର୍ଯ୍ୟକ୍ରମ, ସର୍ବତ ବଣ୍ଟନ ଆଦି ଆୟୋଜନ କରାଯିବ।ସନ୍ଧ୍ୟାରେ ସ୍ଥାନୀୟ ସିଭିକ୍ ସେଣ୍ଟର୍ ଠାରେ ଏକ ଭବ୍ୟ ସାଂସ୍କୃତିକ ସନ୍ଧ୍ୟାରେ ସହରର ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଅଂଶଗ୍ରହଣ କରିବେ । ଶ୍ରୀ ଶ୍ରୀ ରବିଶଙ୍କରଙ୍କ ୭୦ ତମ ଜନ୍ମ ଦିବସ ଉପଲକ୍ଷେ ଆର୍ଟ ଅଫ୍ ଲିଭିଂ ରାଉରକେଲା ପରିବାର ଆନୁକୁଲ୍ୟରେ ସହରର ବିଭିନ୍ନ ବସ୍ତି ଏବଂ ନିକଟସ୍ଥ ଗ୍ରାମାଞ୍ଚଳରେ ଯୋଗ ଧ୍ୟାନ ପ୍ରାଣାୟାମ, ନୈସର୍ଗିକ କୃଷି ସମ୍ପର୍କରେ ନିଶୁଳ୍କ ପ୍ରଶିକ୍ଷଣ, ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ବିଭିନ୍ନ କାରାଗାର ଅନ୍ତେବାସୀ ଙ୍କ ପାଇଁ ସୁଦର୍ଶନ କ୍ରିୟା ପ୍ରଶିକ୍ଷଣ, ଇସ୍ପାତ କାରଖାନା ର ବିଭିନ୍ନ ପାର୍ଶ୍ୱlଞ୍ଚଳ ବିକାଶ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ ଆଦି ସେବା କାର୍ଯ୍ୟକ୍ରମ ର ରୂପାୟନ ଘଟିବ ବୋଲି ସାମ୍ବାଦିକଙ୍କୁ ଅବଗତ କରାଯାଇଥିଲା।
ଅଧ୍ୟକ୍ଷା ଡ ଜ୍ୟୋତି କହିଥିଲେ ଯେ, ଏହି ବିଦ୍ୟା ମନ୍ଦିର ରେ ପାଠ ପଢିବା ସହିତ ଏକ ମାନସିକ ଚାପ ମୁକ୍ତ ଜୀବନ ଜିଇଁବା ପାଇଁ ବିଭିନ୍ନ ଉପଯୋଗୀ ପ୍ରଶିକ୍ଷଣ ଦିଆ ଯାଉଛି। ଏଠାରୁ ଶିକ୍ଷା ପାଉଥିବା ଛାତ୍ରଛାତ୍ରୀ ମାନେ ଜୀବନ ଏବଂ ଜୀବିକା ଉଭୟ କ୍ଷେତ୍ରରେ ଜଣେ ଜଣେ ସଫଳ ନାଗରିକ ହୋଇ ଆଗକୁ ବଢିବେ ବୋଲି ସେ ପ୍ରକାଶ କରିଥିଲେ। ବିଦ୍ୟା ମନ୍ଦିର ରେ ପିଲା ମାନଙ୍କୁ ଆଧୁନିକ ବିଜ୍ଞାନର କୃତ୍ରିମ ବୁଦ୍ଧିମତ୍ତା ଏବଂ ଆଧ୍ୟାତ୍ମିକ ବିଜ୍ଞାନର ଗଭୀର ଧ୍ୟାନ ସମାଧି ଆଧାରିତ ପରମ ବୁଦ୍ଧିମତ୍ତା ଉଭୟ ଦିଗରେ ପ୍ରଶିକ୍ଷଣ ଦିଆ ଯାଉଛି ବୋଲି ସେ ସୂଚନା ଦେଇଥିଲେ। ବିଦ୍ୟାମନ୍ଦିର ର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ସର୍ବୋଚ୍ଚ ନମ୍ବର ରଖିଥିବା ପିଲାଙ୍କୁ ଜନ୍ମୋତ୍ସୋବ ରେ ଆର୍ଥିକ ପୁରସ୍କାର ସହିତ ସମ୍ମାନିତ କରାଯିବ ବୋଲି ସେ ପ୍ରକାଶ କରିଥିଲେ। ଶେଷରେ ସଂଯୋଜକ ତଥା ଆର୍ଟ ଅଫ୍ ଲିଭିଂ ପ୍ରଶିକ୍ଷକ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷୟିତ୍ରୀ ସୁପ୍ରିୟା ବରୁଆଙ୍କ ସଂଯୋଜନାରେ ଆୟୋଜିତ ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିତ୍ତ ଅଧିକାରୀ ସୁଚିନ୍ଦ୍ରମ ସେନଗୁପ୍ତ, ଅବିନାଶ କୁଲକର୍ଣ୍ଣୀ ଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।
