ରବି ଋତୁ ୨୦୨୫-୨୬ ନିମନ୍ତେ ପିଏସଏସ ଅଧୀନରେ ଡାଲି/ତୈଳବୀଜ କ୍ରୟ ପାଇଁ ଜିଲ୍ଲା ସ୍ତରୀୟ କ୍ରୟ କମିଟି (ଡିଏଲପିସି) ବୈଠକ

ଜଗତସିଂହପୁର,୦୬/୦୫/୨୦୨୬ (ଓଡ଼ିଶା ସମାଚାର)-ଗତ କାଲି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲା କୃଷି ବିଭାଗ ଆନୁକୂଲ୍ୟରେ ରବି ଋତୁ ୨୦୨୫-୨୬ ନିମନ୍ତେ ଜିଲ୍ଲା ସ୍ତରୀୟ ଡାଲି ଓ ତୈଳବୀଜ  କୃଷି କ୍ରୟ କମିଟି ବୈଠକ ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ ପିଲ୍ଲେ  ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ରେ ଉପସ୍ଥିତ ରହି ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ   ସମସ୍ତ ଚାଷୀ ମାନଙ୍କୁ ରେଜିଷ୍ଟ୍ରେସନ ନିମନ୍ତେ ସଚେତନ କରିବା ଏଵଂ ଝୋଟ ବ୍ୟାଗ ଯୋଗାଇବା ଉପରେ ଗୁରୁତ୍ୱ ଦେଇଥିଲେ।

ଜଗତସିଂହପୁର ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା।ଚାଷୀ ମାନଙ୍କ ନିମନ୍ତେ ସରକାର ଙ୍କ ର ଅନେକ ଯୋଜନା ରହିଛି। କୃଷକ ମାନେ ଯେପରି ପ୍ରତ୍ୟେକ ଯୋଜନାର ସୁଫଳ ପାଇପାରିବେ ସେଥିପ୍ରତି କୃଷି ବିଭାଗ ଅଧିକାରୀ ମାନେ ଯତ୍ନବାନ ହେବା ଆବଶ୍ୟକ ବୋଲି ସେ କହିଥିଲେ। ବୈଠକ ରେ ଅଧ୍ୟକ୍ଷତା କରି ସି ଡି ଓ କହିଲେ ଯେ ଜିଲ୍ଲା ରେ  ଅଧିକରୁ ଅଧିକ ଚାଷୀ ଯେପରି  ଏହି କ୍ରୟ ପ୍ରକ୍ରିୟା ରେ ନିଜ ନିଜର ନାମ ପଞ୍ଜିକରଣ କରିବେ ସେଥିପ୍ରତି ବ୍ଲକ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ,ଏବଂ ସମବାୟ ବିଭାଗ ଅଧିକାରୀ ପଦକ୍ଷେପ ଗ୍ରହଣ କରିବାକୁ  ପଡ଼ିବ। ସବସିଡି ବାବଦରେ କୃଷି ଅଧିକାରୀ ମାନେ ପଞ୍ଚାୟତ ସ୍ତରରେ ବ୍ୟାପକ ପ୍ରଚାର ପ୍ରସାର ସହିତ ଚାଷୀମାନଙ୍କୁ ସଚେତନ କରିବାକୁ  ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ବିଭୁଦତ୍ତ ସାହୁ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ।   ଚଳିତ ରବି ଋତୁରେ ଡାଲି ଜାତୀୟ ଫସଲ ରେ ମୁଗ , ବିରି ଓ ତୈଳ ଜାତୀୟ ଫସଲ ରେ ବାଦାମ, ସୋରିଷ, ସୂର୍ଯ୍ୟମୁଖୀ ସମସ୍ତ ଫସଲ ରହିଛି। ଏଥିରେ ମୁଗ ର ଏମ୍ ଏସ ପି କ୍ୱିଣ୍ଟାଲ ପିଛା ୮୭୬୮ ଟଙ୍କା, ବିରି ୭୮୦୦ ଟଙ୍କା, ବାଦାମ ୭୨୬୩ ଟଙ୍କା, ସୂର୍ଯ୍ୟମୁଖୀ ୭୭୨୧ ଟଙ୍କା ଓ ସୋରିଷ ୬୨୦୦ ଟଙ୍କା ରହିଛି।

ସମସ୍ତ ବ୍ଲକର ବି. ଏ. ଓ. ମାନଙ୍କ ଦ୍ୱାରା ଯାଞ୍ଚ କରାଯିବା ପରେ ୧୨ଟି କୃଷକ ଉତ୍ପାଦକ କମ୍ପାନୀ (ଏଫ. ପି. ସି.) ସହିତ ୧୧ଟି ପ୍ରାଥମିକ କୃଷି ସମବାୟ ସମିତି (PACS) ଏବଂ ୨ଟି ଆର. ଏମ. ସି., ଏହିପରି ୨୫ ଟି  କ୍ରୟ କେନ୍ଦ୍ର ଭାବେ ଚୟନ କରାଯାଇଛି। ଏଥି ମଧ୍ୟରୁ ଆର ଏମ ସି ଜଗତସିଂହପୁର ଓ ଆର ଏମ ସି ରାହାମାରେ ମୁଗ, ବିରି କିଣା ହେବ ।

 ସେମାନଙ୍କୁ ମାର୍କଫେଡ୍ ସହିତ ବୁଝାମଣା ପତ୍ର ଗ୍ରହଣ କରିବାକୁ ପଡ଼ିବ ଏବଂ ଇ-ସମୃଦ୍ଧି ପୋର୍ଟାଲରେ କୃଷକମାନଙ୍କ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିବାକୁ ପଡ଼ିବ। ପଞ୍ଜୀକରଣ ପାଇଁ ଆବଶ୍ୟକ ଡକୁମେଣ୍ଟ ଗୁଡ଼ିକ ହେଉଛି କୃଷକ ପରିଚୟ ପ୍ରମାଣପତ୍ର (ଏଫ୍. ଆଇ. ସି.) ଆଧାର କାର୍ଡ, ଜମି ବିବରଣୀ, ବ୍ୟାଙ୍କ ପାସ୍ ବୁକ୍ ଜେରକ୍ସ। ପ୍ରତ୍ୟେକ ବ୍ଲକରେ ମାଇକ୍ ମାଧ୍ୟମରେ ମାର୍କଫେଡ୍ ଦ୍ୱାରା କ୍ରୟ ପାଇଁ ସଚେତନତା ଅଭିଯାନ କରାଯିବ।

 F A Q ମାନ ନିର୍ଦ୍ଧାରଣ କରାଯିବ।ଏହି ବୈଠକରେ ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, କୃଷି ଅଧିକାରୀ , ସହକାରୀ କୃଷି ଅଧିକାରୀ, କ୍ଷେତ୍ରୀୟ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

 ମେ ମାସର ଦ୍ୱିତୀୟ ସପ୍ତାହରୁ କ୍ରୟ ପ୍ରକ୍ରିୟା ଆରମ୍ଭ ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *