କଟକ ସଦର,୦୬/୦୫/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତ ସାଧାରଣ ନିର୍ବାଚନରେ କଟକ ସଦର ନିର୍ବାଚନମଣ୍ଡଳୀରୁ ବିଜେଡ଼ି ନେତା ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା ପରାଜିତ ହେବା ପରଠାରୁ ନିର୍ବାଚନ ମଣ୍ଡଳୀ ସୁରଭୀ ଶୁନ୍ୟ ହୋଇପଡିଛି। ଏଥିପାଇଁ କର୍ମୀମାନେ ଦୁଇବର୍ଷ ହେଲା ଦୀଗହରା ହୋଇ ପଡ଼ିଥିଲା ବେଳେ ବହୁ କର୍ମୀ ଓ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନେ ଦଳ ଛାଡି ବିଜେପିରେ ଯୋଗଦାନ କରିସାରିଛନ୍ତି।
ହେଲେ ନିର୍ବାଚନ ପରଠାରୁ ସଂଗଠନ ଠାରୁ ଦୂରେଇ ନିଷ୍କ୍ରିୟ ଥିବା ଚନ୍ଦ୍ର ସାରଥି ଙ୍କୁ ସକ୍ରିୟ କରିବା ପାଇଁ ଏବେ ତାଙ୍କୁ ରାଜ୍ୟ ବିଜେଡ଼ି ବରିଷ୍ଠ ସାଧାରଣ ସମ୍ପାଦକ ପଦବୀରେ ଥଇଥାନ କରାଯାଇଥିଲା ବେଳେ ଅନ୍ୟପଟେ କନ୍ଦରପୁର ଓ କିଶନନଗର ଜୋନର ବହୁ ପୁରୁଣା ବିଜେଡ଼ି କର୍ମୀ ଓ ନେତା ଦଳ ଛାଡି ବିଜେପିରେ ସାମିଲ ହେବାକୁ ମସୁଧା ଚଳାଇଥିବା ଜଣାପଡିଛି।
ଚନ୍ଦ୍ର ସାରଥି ଙ୍କ ନିଷ୍କ୍ରିୟତା ପାଇଁ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା କିଶନନଗର ପଟକୁ ଘନଘନ ଗସ୍ତ କରି ନିଜର ପତିଆରା ବଢାଇ ଚାଲିଥିବା ବେଳେ ୪୨ ମୈ।ଜା ପଟେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ଵାଳଙ୍କ ସାନ ଭାଇ ଆରତ ରଞ୍ଜନ ବିଶ୍ୱାଳ ସଂଗଠନ ସଜାଡ଼ିବା ରେ ଲାଗି ପଡ଼ିଥିବା ଦେଖିବାକୁ ମିଳୁଛି। ଅନ୍ୟ ପଟେ କଟକ ସଦର ର ଦୁଇଟି ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ର ସଭାପତି ପ୍ରଫେସର ମନୋଜ ନାୟକ ଓ ‘ବିଷ୍ଣୁପ୍ରିୟା ସେବା ସମିତି’ ର ଅଧ୍ୟକ୍ଷା ତଥା କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ତାଙ୍କର ସାମାଜିକ କାର୍ଯ୍ୟକ୍ରମ ଜରିଆରେ ଲୋକମାନଙ୍କ ର ନିକଟତର ହେବା ସହିତ ଗ୍ରହଣୀୟ ହେଉଛନ୍ତି। ଏପରି ସ୍ଥଳେ ଚନ୍ଦ୍ର ସାରଥି ସଦର ବିଜେଡ଼ି ଡଙ୍ଗାକୁ କିଭଳି ଭାବେ କାତରେ କି ଆହୁଲାରେ ଚଳାଇବେ ଆଗମୀ ଦିନରେ ତାକୁ କେବଳ ଦେଖିବାକୁ ବାକି ରହିଲା।
