ଆଇସିଏମଏଆଇ ପକ୍ଷରୁ ୫୭ତମ ବାର୍ଷିକ ଉତ୍ସବ ଓ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ୱର, ୦୪/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଦି ଇନଷ୍ଟିଚୁ୍ୟଟ ଅଫ୍ କଷ୍ଟ ଆକାଉଂଟାଟ୍ସ ଅଫ ଇଣ୍ଡିଆ (ଆଇସିଏମଏଆଇ) ଭୁବନେଶ୍ୱର ଚାପ୍ଟର ଏହାର ୫୭ତମ ବାର୍ଷିକ ଉତ୍ସବ ସଫଳତାର ସହ ପାଳନ କରିଅଛି । ଏଥିରେ ମିନି ମାରାଥନ୍, ରକ୍ତଦାନ ଶିବିର ଏବଂ ଛାତ୍ର ଛାତ୍ରୀମାନଙ୍କ ସମ୍ମାନ ସମାରୋହ ପରି କାର୍ଯ୍ୟକ୍ରମମାନ ସିଏମଏ ଭବନଠାରେ ଆୟୋଜିତ ହୋଇଥିଲା ,ଯାହା ଶିକ୍ଷାଗତ ଉତ୍କର୍ଷତା ଓ ସାମାଜିକ ଦାୟିତ୍ୱର ଏକ ଅର୍ଥପୂଣ୍ଣ ମିଶ୍ରଣକୁ ପ୍ରଦର୍ଶନ କରିଥିଲା । ବିଏମସି ମେୟର ସୁଲୋଚନା ଦାଶ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ତାଙ୍କ ସମ୍ବୋଧନରେ ସେ ଚାପ୍ଟରର ବୃତିଗତ ଉତ୍କର୍ଷତାର ବିକାଶ ସହିତ ରକ୍ତଦାନ ପରି ସାମାଜିକ ପଦକ୍ଷେପକୁ ପ୍ରଶଂସା କରିଥିଲେ । ସେ ରାଷ୍ଟ୍ର ଗଠନରେ ସତ୍ୟନିଷ୍ଠ, ଶିଷ୍ଟାଚାର ଓ କରୁଣାର ମୂଲ୍ୟବୋଧ ଉପରେ ଆଲୋକପାତ ଥିଲେ । ଏହି ଅବସରରେ ସିଏମଏ ଶ୍ରୀକାନ୍ତ କୁମାର ସାହୁ, ଡାଇରେକ୍ଟର (ଫାଇନାନ୍ସ), ଓପିଟିସିଏଲ୍, ସିଏମଏ କ୍ଷୀରୋଦ ଚନ୍ଦ୍ର ନନ୍ଦ, ଡାଇରେକ୍ଟର (ଏଫ୍ ଆଣ୍ଡ୍ ସିଏ), ଗ୍ରିଡକୋ ଲିଃ., ସିଏମଏ ଗଗନ ବିହାରୀ ସ୍ୱାଇଁ, ଡାଇରେକ୍ଟର (ଫାଇନାନ୍ସ), ଓପିଜିସି ଲିଃ., ସିଏମଏ ବିଭୂତି ଭୂଷଣ ନାୟକ, ପୂର୍ବତନ ଅଧ୍ୟକ୍ଷ ତଥା କାଉନସିଲ ସଦସ୍ୟ, ଆଇସିଏମଏଆଇ, ସିଏମଏ ଡଃ. ଭି ମୂରଲୀ, କାଉନସିଲ ସଦସ୍ୟ, ଆଇସିଏମଏଆଇ, ସିଏମଏ ଦାମୋଦର ମିଶ୍ର, ଭାଇସ୍ ଚେୟାରମ୍ୟାନ୍, ଆଇସିଏମଏଆଇ-ଇଆଇଆରସି ଏବଂ ସିଏମଏ ଉତମ କୁମାର ନାୟକ, ପୂର୍ବତନ ଅଧ୍ୟକ୍ଷ ତଥା ଆଂଚଳିକ କାଉନସିଲ ସଦସ୍ୟ, ଆଇସିଏମଏଆଇ-ଇଆଇଆରସି ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ୱର ଚାପ୍ଟର ଅଧ୍ୟକ୍ଷ ସିଏମଏ ଶରତ କୁମାର ବେହେରା ସମସ୍ତଙ୍କୁ ସ୍ୱାଗତ ଜଣାଇ ଯୁବ ବୃତିଗତମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ରମୁଖ ବୈଧାନିକ ସଂସ୍ଥା ଭାବେ ଆଇସିଏମଏଆଇର ଭୂମିକା ଉପରେ ଆଲୋକପାତ କରିଥିଲେ । ଜୁନ୍ ୨୦୨୫ ଓ ଡିସେମ୍ବର ୨୦୨୫ ପରୀକ୍ଷାରେ ସଫଳ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯିବା ହିଁ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା । ଏଥିରେ ୟଙ୍ଗ୍ କଷ୍ଟ ଆକାଉଂଟାନ୍ଟସ୍ ଆୱାର୍ଡ ଓ ବିଭିନ୍ନ ସ୍ମୃତି ପୁରସ୍କାର ପ୍ରଦାନ କରାଯାଇଥିଲା । ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅବସରରେ ଡଃ ସୁରେଶ ଦେବ ଦତ ସିଂ, ଆଇପିଏସ୍ , କମିଶନର ଅଫ୍ ପୋଲିସ୍ , ଭୁବନେଶ୍ୱର-କଟକ ଯୋଗଦେଇ ସ୍ୱେଚ୍ଛାକୃତ ରକ୍ତଦାନକୁ ପ୍ରୋତ୍ସାହିତ କରିଥିଲେ । ସେକ୍ରେଟାରୀ ସୈାମ୍ୟରଞ୍ଜନ ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *