ଭୁବନେଶ୍ୱର,୩୧/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଯୁଗ୍ମ ନିର୍ଦ୍ଦେଶକ ତଥା ରାଜ୍ୟ ସୂଚନା କେନ୍ଦ୍ର, ଜୟଦେବ ଭବନର ଉପ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଶ୍ରୀ ସୂର୍ଯ୍ୟ ରଞ୍ଜନ ମହାନ୍ତିଙ୍କୁ ଜୟଦେବ ଭବନ ପରିସରରେ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।
ଏହି ଉପଲକ୍ଷେ ଶନିବାର ଅପରାହ୍ନରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ଜୟଦେବ ଭବନର ସମସ୍ତ କର୍ମଚାରୀଙ୍କ ସମେତ ନବନିଯୁକ୍ତ ଉପ ନିର୍ଦ୍ଦେଶକ ଶ୍ରୀମତି ଦିପ୍ତୀମୟୀ ମହାପାତ୍ର ଶ୍ରୀ ମହାନ୍ତିଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ସୁଖମୟ ଅବସର ଜୀବନ କାମନା କରିଥିଲେ । ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ମହାନ୍ତି ଜଣେ କର୍ତ୍ତବ୍ୟପରାୟଣ, ସମୟାନୁବର୍ତ୍ତି, ମିଷ୍ଟଭାଷୀ ଓ କରିତ୍କର୍ମା ଅଧିକାରୀ ଭାବେ ବେଶ୍ ସୁପରିଚିତ ଥିଲେ । ୨୦୨୦ ମସିହାରୁ ଜୟଦେବ ଭବନରେ ତାଙ୍କର ଉପସ୍ଥାନ ଓ କାର୍ଯ୍ୟଧାରା ବେଶ୍ ପ୍ରଶଂସନୀୟ ଓ ଲୋକାଭିମୁଖୀ ଥିଲା ବୋଲି ବକ୍ତବ୍ୟରେ କର୍ମଚରୀମାନେ ସ୍ମୃତିଚାରଣ କରିଥିଲେ । ବିଦାୟକାଳୀନ ସଭାରେ ନିଜର ଅନୁଭତି ବର୍ଣ୍ଣନା କରିବାକୁ ଯାଇ ଶ୍ରୀ ମହାନ୍ତି କହିଲେ ଯେ ଜୟଦେବ ଭବନ ଭଳି ଏକ ପବିତ୍ର ସ୍ଥାନରେ ସରକାରୀ ସେବା କରିବା ମୋ ପାଇଁ ପରମ ସୌଭାଗ୍ୟ ବୋଲି ମନେ କରେ । ବିଭାଗର ମୁଖଶାଳା ରୂପେ ଅବିହିତ ଏହି ଅନୁଷ୍ଠାନ ଅଗାମୀ ଦିନରେ ଶୃଙ୍ଖଳିତ ରୂପେ କାର୍ଯ୍ୟ କରୁ ଏବଂ ପରିସରକୁ ଆସୁଥିବା ବିଦ୍ୟାର୍ଥୀ ପାଠକପାଠିକାମାନଙ୍କ ଗୁଣାତ୍ମକ ଶିକ୍ଷାର ଉନ୍ନତି ହେଉ ବୋଲି ବିଦାୟୀ ଯୁଗ୍ମ ନିର୍ଦ୍ଦେଶକ ମତବ୍ୟକ୍ତ କରିଛନ୍ତି । ଜୟଦେବ ଭବନର ପରିଚାଳକଙ୍କ ଆବାହକତ୍ୱରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ, ସର୍ବଶ୍ରୀ ସଚ୍ଚିଦାନନ୍ଦ ରାଉତ, ଦୀପ୍ତି ରଞ୍ଜନ ପରିଡା, ରବି ପଟ୍ଟନାୟକ, ରବିନ୍ଦ୍ର ନାଥ ମହାରଣା, ସରସ୍ୱତୀ ଦେବୀ, ସତ୍ୟ ନାରାୟଣ ମିଶ୍ର, ଗିରିଶ୍ ପୂଜାପଣ୍ଡା, ସିଧ୍ୟା କୁଜୁରୁ, ଲକ୍ଷ୍ମୀଧର ବେହେରା, ଲତା ପ୍ରଧାନ, ଉମାକାନ୍ତ ମଲ୍ଲିକ ଏବଂ ସମସ୍ତ ଆଉଟସୋର୍ସିଂ କର୍ମଚାରି ଉପସ୍ଥିତ ରହି ଅଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ସେହିପରି ଦିବସର ପ୍ରଥମାର୍ଦ୍ଧରେ ଗୀତଗୋବିନ୍ଦ ସଦନସ୍ଥିତ ପଠନାଗାରର ବିଦ୍ୟାର୍ଥୀମାନେ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ମହାନ୍ତିଙ୍କର ସମ୍ମାନାର୍ଥେ ଏକ ସଭାର ଆୟୋଜନ କରିଥିଲେ । ପ୍ରାୟ ୨୦୦ ରୁ ଅଧିକ ପାଠକ ପାଠିକା ଏକତ୍ରିତ ହୋଇ ସେମାନଙ୍କ ପ୍ରିୟ ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଦନା ଜଣାଇଥିଲେ । ‘ସାର୍ ଆମେ ଆପଣଙ୍କୁ ମିସ୍ କରିବୁ’ ଧ୍ୱନିରେ ପରିସର ଫାଟିପଡୁଥିଲା । ଶ୍ରୀ ମହାନ୍ତି ବିଦ୍ୟାର୍ଥୀମାନଙ୍କୁ ଆଶୀର୍ବାଦ ପୂର୍ବକ ସମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଏହି ସଭାରେ ଜୟଦେବ ଭବନର ପରିଚାଳକ ସରୋଜ କୁମାର ଶତ୍ପଥୀ, ଅବସରପ୍ରାପ୍ତ ପ୍ରଶାସକ ପ୍ରଣବ ଦେଓ, ଗ୍ରନ୍ଥାଗାରିକ ଦୀପାଳି ଦାସ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ ପୂର୍ବକ ଶ୍ରୀ ମହାନ୍ତିଙ୍କ ସୁଖମୟ ଅବସର ଜୀବନ କାମନା କରିଥିଲେ ।