ଉଡ଼ିଲା ଚାଳ ଛପର,ଭାଙ୍ଗିଲା ଆଜବେଷ୍ଟସ ଘର,ଉପୁଡ଼ିଲା ଗଛ,୧୦ ଘଣ୍ଟା ବିଦ୍ୟୁତ ବିଚ୍ଛିନ୍ନ
ଭୁବନ ୦୩/୦୫/୨୦୨୬ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ଶନିବାର ଅପରାହ୍ନରେ କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା । ଭୁବନ ବ୍ଲକର ପଳାସପିଠିଆ,ମୁରୁଗା,ସୁର ପ୍ରତାପପୁର, କିଙ୍ଗୋଳ,ପୁରୁଷୋତ୍ତମପୁର,ଅନନ୍ତପୁର ପ୍ରଭୃତି ଗ୍ରାମରେ ବିପୁଳ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ପଳାସ ପିଠିଆ ର ମାନସ ମହାପାତ୍ରଙ୍କ ଢାବା ରେ ଆଜବେଷ୍ଟସ ସବୁ ଉଡ଼ାଇ ନେଇଥିବା ବେଳେ ଅନନ୍ତପୁର ଗ୍ରାମର କୈଳାସ ସେଠୀ ଙ୍କ ଘର ଉପରେ ଏକ ଗଛ ଉପୁଡ଼ି ପଡ଼ିଥିଲା । କିଙ୍ଗୋଳ ଦଳିତ ସାହିର ନିର୍ମଳ ମଲିକ ଙ୍କ ଘର ଉପରେ ଗଛ ପଡ଼ି ଘର ଭାଙ୍ଗି ଯାଇଛି ।

ଅନେକ ସ୍ଥାନରେ ବଡ ବଡ ଗଛ ସବୁ ଭାଙ୍ଗି ରାସ୍ତା ଉପରେ ପଡ଼ିଥିଲା । କାଳ ବୈଶାଖୀରେ ପନି ପରିବା ଚାଷ ସମ୍ପୂର୍ଣ ଉଜୁଡ଼ି ଯାଇଥିଲା ବେଳେ ହଜାର ହଜାର ସଂଖ୍ୟାରେ ଅମୃତ ଭଣ୍ଡା,କଦଳୀ ଓ ସଜନା ଗଛ ଭାଙ୍ଗି ଯାଇଛି। ଭୁବନ ଅଗ୍ନିଶମ ବାହିନୀ ତରଫରୁ ସନ୍ଧ୍ୟାଠାରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଗଛ କାଟିବା କାର୍ଯ୍ୟରେ କର୍ମଚାରୀ ମାନେ ନିୟୋଜିତ ଥିବା ଦେଖିବାକୁ ମିଳିଥିଲା। ଅନେକ ସ୍ଥାନରେ ବିଦ୍ୟୁତ ତାର ଛିଡି ପଡ଼ିଥିଲା । ବିଦ୍ୟୁତ କର୍ମଚାରୀ ମାନେ ପରିଶ୍ରମ କରି ତାର ସଜାଡ଼ିବା ପରେ ରାତ୍ର ୨ ଘଟିକାରେ ବିଦ୍ୟୁତ ଯୋଗାଣ ହୋଇଥିଲା ।
ଏହି କାଳ ବୈଶାଖୀରେ ଅନେକ ଲୋକ ଆହତ ହୋଇଥିବା ମଧ୍ୟ ଖବର ମିଳିଛି । ଅନୁରୂପ ଭାବେ କଙ୍କଡ଼ାହାଡ ବ୍ଲକ ରାଇବୋଲ ଅଞ୍ଚଳରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ଗ୍ରାମର ମୁରଲୀଧର ବେହେରା ଙ୍କ ସମେତ ତିନିଜଣ ଚାଷୀ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ନଟବର ସାହୁ ଏବଂ ମହନି ପାତ୍ର ଙ୍କ ଜମିରେ ଫସଲ କରିବା ସହ ଆଜବେଷ୍ଟସ ଘର କରି ରହୁଥିବା ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଆଜବେଷ୍ଟସ ସବୁ ଉଡ଼ାଇ ନେଇଛି । କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।
