ମହମ୍ମଦପୁରରେ ୨୫୭୦ତମ ବୁଦ୍ଧ ଜୟନ୍ତୀ ପାଳନ

କଟକ,୦୧/୦୫/୨୦୨୬ (ଓଡ଼ିଶା ସମାଚାର)- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ମହମ୍ମଦପୁର ଗ୍ରାମ ପଞ୍ଚାୟତରେ ମହମ୍ମଦପୁର ବୌଦ୍ଧ ସଂଘ ଆନୁକୂଳ୍ୟରେ ତଥାଗତ ବୁଦ୍ଧ ବିହାରରେ ୨୫୭୦ତମ ବୁଦ୍ଧ ଜୟନ୍ତୀ ଶୁକ୍ରବାର ଦିନ ଉତ୍ସାହର ସହ ପାଳିତ ହୋଇଛି।

ପବିତ୍ର ବୈଶାଖ ପୂର୍ଣ୍ଣିମା ଅବସରରେ ଉପାସକ ଓ ଉପାସିକାମାନେ ଭଗବାନ ବୁଦ୍ଧଙ୍କ ମୂର୍ତ୍ତିକୁ ବିଭାନରେ ବସାଇ ପ୍ରଭାତ ପରିକ୍ରମା କରିଥିଲେ। ଏହାପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ, କବିତା ଆବୃତ୍ତି, ବକ୍ତୃତା, ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

ପୂର୍ବାହ୍ନରେ ଆୟୋଜିତ ସଭାରେ ପ୍ରଦୀପ ପ୍ରଜ୍ଵଳନ ସହ ବୁଦ୍ଧ ବନ୍ଦନା, ସଂଘ ବନ୍ଦନା ଓ ଧମ୍ମ ବନ୍ଦନା କରାଯାଇଥିଲା। ସଂଘର ଯୁଗ୍ମ ସମ୍ପାଦକ ଡ଼. ସମୀର ପାତ୍ର ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିବାବେଳେ, ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର ସମ୍ପାଦକୀୟ ଅଭିଭାଷଣ ପ୍ରଦାନ କରିଥିଲେ।

ସଂଘର ସଭାପତି ବାବାଜୀ ଚରଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ରାଜଧାନୀ ମହାବିଦ୍ୟାଳୟର ସଂସ୍କୃତ ବିଭାଗର ସହକାରୀ ଅଧ୍ୟାପକ ଡ଼. ବିଭୂତିଭୂଷଣ ମହାପାତ୍ର ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ନରେନ୍ଦ୍ର କୁମାର ବାରିକ ଓ ପୂର୍ବତନ ସରପଞ୍ଚ ସାରଦା ପ୍ରସାଦ ନାୟକ ଉପସ୍ଥିତ ଥିଲେ।

ମୁଖ୍ୟ ବକ୍ତା ବରିଷ୍ଠ ବୌଦ୍ଧ ଗବେଷକ ବନମାଳୀ ରାଉଳ ବୁଦ୍ଧଙ୍କ ଜୀବନ, ବାଣୀ ଓ ଶିକ୍ଷା ଉପରେ ଆଲୋଚନା କରିଥିଲେ।

ଏହି ଅବସରରେ “ବୋଧି ସତ୍ତ୍ଵ – ଏକ ଚେତନାର ଜାଗରଣ” ସ୍ମରଣିକାର ୨୦୨୫–୨୬ ବର୍ଷର ଚତୁର୍ଥ ସଂସ୍କରଣ ଉନ୍ମୋଚନ କରାଯାଇଥିଲା।

ଶେଷରେ ପ୍ରତିଯୋଗିତାରେ ସଫଳ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ଓ ବରିଷ୍ଠ ଉପାସକ ଓ ଉପାସିକାମାନଙ୍କୁ ସମ୍ମାନିତ କରାଯାଇଥିଲା। ସଂଘର ସଦସ୍ୟ ସରୋଜ କୁମାର ପାତ୍ର ଧନ୍ୟବାଦ୍ ଜଣାଇଥିଲେ।

ଅଭିମନ୍ୟୁ ପାତ୍ର, ଗଙ୍ଗାଧର ଦେବତା, ଭୃଗୁ କୁମାର ପାତ୍ର ଓ ସୁରେଶ ପାତ୍ର ଆଦି ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *