କେନ୍ଦ୍ରାପଡ଼ା,୨୯/୦୪/୨୦୨୬ (ଓଡ଼ିଶା ସମାଚାର)- ଗରାପୁରସ୍ଥିତ ଦିବ୍ୟଜୀବନ ସଂଘ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ୬୬ତମ ପୂଣ୍ୟ ଜନ୍ମ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପବିତ୍ର ସୀତାନବମୀ ଅବସରରେ ନିଆଳି ମେରୀବଟ ଆଶ୍ରମ ପରିସରରେ ଶ୍ରୀମାଙ୍କ ଜନ୍ମ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଅନୁଷ୍ଠିତ ବିଷ୍ଣୁମହାଯଜ୍ଞର ପ୍ରଥମ ଦିବସରେ ଶିଷ୍ୟ ଓ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଶ୍ରୀମା’ଙ୍କ ପୂଣ୍ୟ ଜନ୍ମ ଉତ୍ସବ ମହାସମାରୋହରେ ପାଳିତ ହୋଇଥିଲା । ଏଥିସହିତ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ, ପିଙ୍ଗଳ ଓ କୋରୋ ଆଶ୍ରମରେ ମଧ୍ୟ ନଗର ପରିକ୍ରମା, ଗୁରୁ ପାଦୁକା ପୂଜନ, ରୁଦ୍ରାଭିଷେକ ଓ ପୂଜାର୍ଚ୍ଚନା କରାଯାଇଥିଲା । ତତ୍ ସହିତ ବୃକ୍ଷରୋପଣ ଓ ଅସହାୟ ଲୋକଙ୍କୁ ବସ୍ତ୍ର ବଂଟନ କରାଯିବା ସହ ବିଶିଷ୍ଟ ଲୋକମାନଙ୍କ ଦ୍ୱାରା ଶ୍ରୀମାଙ୍କ ସାଧନାମୟ ଜୀବନ ଦର୍ଶନ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।
