ଯାଜପୁର, ୨୮/୦୪/୨୦୨୬ (ଓଡ଼ିଶା ସମାଚାର)-ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ବିପତ୍ତି ପରିଚାଳନା ଗ୍ରୁପ୍ ଏବଂ ସମସ୍ତ ଇନ୍ଧନ ତେଲ ମାର୍କେଟିଂ କମ୍ପାନୀମାନଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏଲପିଜି ରନ୍ଧନ ଗ୍ୟାସର ଉପଲବ୍ଧତା, ଯୋଗାଣ ଏବଂ ଦରଦାମ୍ ମନିଟରିଂ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ଯାଜପୁର ସାଂସଦ ଡା.ରବୀନ୍ଦ୍ର ନାରାୟଣ ବେହେରା ବୈଠକରେ ଉପସ୍ଥିତ ଥିଲେ।
ଜିଲ୍ଲାବାସୀଙ୍କ ଏଲପିଜି ଏବଂ ପେଟ୍ରୋଲିୟମ ଉତ୍ପାଦର ଚାହିଦା ପୂରଣକୁ ସୁନିଶ୍ଚିତ କରିବା ପାଇଁ ଦର ନିୟନ୍ତ୍ରଣ, କଳାବଜାରୀ ରୋକିବା, ଯୋଗାଣ ଶୃଙ୍ଖଳା ପରିଚାଳନା, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲାପାଳ ଗ୍ୟାସ ଏଜେନ୍ସିମାନଙ୍କ ସହ ଯାଜପୁର ସହର ଏବଂ ଜିଲ୍ଲାର ବିଭିନ୍ନ ବ୍ଲକରେ ରନ୍ଧନ ଗ୍ୟାସ ସିଲିଣ୍ଡର ଯୋଗାଣର ସ୍ଥିତି ସମୀକ୍ଷା କରିବା ସହ ଦୈନିକ ଚାହିଦା ଓ ଯୋଗାଣ ଉପରେ ଧ୍ୟାନ ଦେଇ କଳାବଜାରୀ ରୋକିବାକୁ ନିର୍ଦ୍ଦେଶ ଦେଇଥିଲେ।
କଳାବଜାରୀ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ତାଗିଦ୍ କରିଥିଲେ। ଏହାସହ ସ୍କୁଲ ହଷ୍ଟେଲ, ହସ୍ପିଟାଲ, ଜେଲ୍ ଭଳି ଅତ୍ୟାବଶ୍ୟକୀୟ ତଥା ଜରୁରୀ ସେବା ଅନୁଷ୍ଠାନଗୁଡ଼ିକୁ ସମୟାନୁସାରେ ଗ୍ୟାସ ସିଲିଣ୍ଡର ଯୋଗାଣ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶିବାନନ୍ଦ ସ୍ୱାଇଁ, ଜିଲ୍ଲା ଯୋଗାଣ ଅଧିକାରୀ ଦିଲ୍ଲୀପ ପାଣିଗ୍ରାହୀ, ଅତିରିକ୍ତ ଯୋଗାଣ ଅଧିକାରୀ, ମାର୍କେଟ ଇନ୍ସପେକ୍ଟର, ଅଏଲ ମାର୍କେଟିଂ କମ୍ପାନୀଗୁଡିକର ପ୍ରତିନିଧି ଏବଂ ଯାଜପୁର ଜିଲ୍ଲାର ସମସ୍ତ ଗ୍ୟାସ ବିତରକ ଏଜେନ୍ସି ଯୋଗ ଦେଇଥିଲେ।
