‘ଆଚାର୍ଯ୍ୟ ହରିହର ଦାସଙ୍କ ସ୍ମୃତି ଅପାସୋରା ହୋଇ ରହିବ’
ଭୁବନେଶ୍ୱର, ୨୭/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଚାର୍ଯ୍ୟ ହରିହର ସର୍ବୋଦୟ ନେତା, ଭୂଦାନ ଆନ୍ଦୋଳନର ନେତୃତ୍ୱ ନେବା ସହ ଶିକ୍ଷକତା କରୁଥିଲେ । ଅସହଯୋଗ ଆନ୍ଦୋଳନରେ ଯୋଗଦେଇଥିଲେ ତଥା ସମଗ୍ର ବସୁଧାକୁ କୁଟୁମ୍ବ ବୋଲି ଜ୍ଞାନକରି କର୍ମଯୋଗୀ ଜୀବନ ଭିତରେ ସେବା କରିବାରେ ନିଜକୁ ହଜାଇ ଦେଇଥିଲେ ବୋଲି ପୁଣ୍ୟାତ୍ମା ଆଚାର୍ଯ୍ୟ ହରିହରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।
ଆଜି ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଆଚାର୍ଯ୍ୟ ବିହାର ପରିଷଦର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ପୁଣ୍ୟାତ୍ମା ଆଚାର୍ଯ୍ୟ ହରିହର ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର(ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା କହିଲେ ଯେ ସତ୍ୟବାଦୀର ପଞ୍ଚସାଖାମାନଙ୍କ ମଧ୍ୟରୁ ଅନ୍ୟତମ ଆଚାର୍ଯ୍ୟ ହରିହର ଦାସ ଥିଲେ ଭିନ୍ନ ଧାତୁରେ ଗଢ଼ା ମଣିଷ । ମଣିଷ ପଣିଆର ଉଜ୍ଜ୍ୱଳ ଉଦାହରଣ । ସମାଜରେ ଅନ୍ୟମାନଙ୍କ ପାଇଁ କିଛି କରିବା ଓ ଯେକୌଣସି ମହତ ଅବଦାନ ପ୍ରକଟ କରି ଅନ୍ୟମାନଙ୍କୁ ପ୍ରଭାବିତ କରିବା ଥିଲା ତାଙ୍କ ବ୍ୟକ୍ତିତ୍ୱର ବିଶେଷତ୍ୱ । ଗାନ୍ଧିବାଦୀ, ସଂଗ୍ରାମୀ, ଶିକ୍ଷକ, ଛାତ୍ରବତ୍ସଳ ଆଚାର୍ଯ୍ୟ, ସଂସ୍କାରକ, ସମାଜସେବକ ଓ ଭୂଦାନ-ସର୍ବୋଦୟ କର୍ମୀ ଭାବରେ ଆଚାର୍ଯ୍ୟ ହରିହରଙ୍କ ସ୍ମୃତି ଅପାସୋରା ହୋଇ ରହିବ ବୋଲି ସେ ମତବ୍ୟକ୍ତ କରିଥିଲେ ।
ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦିକା କସ୍ତୁରୀ ମହାପାତ୍ର ଆଚାର୍ଯ୍ୟ ହରିହରଙ୍କ ସରଳ ଜୀବନଯାପନ ଉପରେ ଆଲୋକପାତ କରି କହିଲେ ଯେ ସତ୍ୟବାଦୀର ବନବିଦ୍ୟାଳୟର ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ଏହି ଋଷୀ ପ୍ରତୀମ ମହାମାନବ ଭୂଦାନ, ସର୍ବୋଦୟ ଆନ୍ଦୋଳନ, ଜନସେବା, ଛାତ୍ରବତ୍ସଳ ଶିକ୍ଷକ, ସମାଜସେବା, ଗାନ୍ଧୀଙ୍କ ମନ୍ତ୍ରର ପ୍ରଚାର ପାଇଁ ଯେଉଁ ଅନବଦ୍ୟ ଅବଦାନ ରଖିଯାଇଛନ୍ତି ସେଥିପାଇଁ ସେ ଓଡ଼ିଶାବାସୀଙ୍କ ହୃଦୟରେ ଚିରଅମ୍ଳାନ ରହିବେ ।
ମୁଖ୍ୟବକ୍ତା ଭାବେ ଯୋଗଦେଇ ଅବସରପ୍ରାପ୍ତ ପ୍ରଶାସକ ତଥା ବିଶିଷ୍ଟ ସଂସ୍କୃତ ଗବେଷକ ଶ୍ରୀ କୃପାସିନ୍ଧୁ ମିଶ୍ର କହିଲେ ଯେ ଲବଣ ସତ୍ୟାଗ୍ରହ ଓ ଭାରତଛାଡ଼ ଆନ୍ଦୋଳନରେ ଯୋଗଦେଇ ସେ କାରାବରଣ କରିଥିଲେ । ଆଚାର୍ଯ୍ୟ ହରିହର ଥିଲେ ସେବା, ସହାନୁଭୂତି, ଆଚରଣ ଓ ଐକାନ୍ତିକ ନିଷ୍ଠାର ଜୀବନ୍ତ ପ୍ରତୀକ ଥିଲେ । ଗାଁ ଗାଁ ବୁଲି ମହାତ୍ମାଗାନ୍ଧୀଙ୍କ ଅହିଂସା ମନ୍ତ୍ରର ପ୍ରଚାର, ଖଦି ଆନ୍ଦୋଳନ, ଅସ୍ପୃଶ୍ୟତା ନିବାରଣ ଓ ନିରକ୍ଷରତା ଦୂରୀକରଣ ଆଦି ସମାଜ ସଂସ୍କାର କାର୍ଯ୍ୟକ୍ରମ ପାଇଁ ସେ ଚିରସ୍ମରଣୀୟ ହୋଇ ରହିଥିବେ ବୋଲି ସେ ଉଲ୍ଲେଖ କରିଥିଲେ ।
କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ କହିଲେ ଯେ ଓଡ଼ିଶାର ସାହିତ୍ୟ ଓ ସଂସ୍କୃତିକୁ ଏକ ପ୍ରତିଷ୍ଠିତ ମାର୍ଗରେ ପରିଚାଳିତ କରିବା ସହ ସମାଜନୀତି ଓ ରାଜନୀତିକୁ ମଧ୍ୟ ଆନ୍ଦୋଳିତ କରି ରଖିଥିଲେ । ଜଣେ ପ୍ରବୀଣ ଶିକ୍ଷକ ତଥା ସ୍ୱାଧୀନତା ସଂଗ୍ରାମ ପ୍ରତି ସମର୍ପିତ ହୋଇ ପ୍ରଭାବୀ ଆନ୍ଦୋଳନରେ ସେ ସାମିଲ ହୋଇଥିଲେ । ସର୍ବୋଦୟ ତଥା ଭୂଦାନ ଆନ୍ଦୋଳନରେ ସେ ଆଜୀବନ ସଂଶ୍ଳିଷ୍ଟ ରହି ଗରିବ ତଥା ଭୂମିହୀନଙ୍କ କଲ୍ୟାଣ ପାଇଁ ସଂଗ୍ରାମ ଜାରି ରଖିଥିଲେ ।
ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା ସ୍ୱାଗତ ଭାଷଣ ପ୍ରଦାନ ଅବସରରେ କହିଲେ ଯେ ସମାଜରେ ଅନ୍ୟମାନଙ୍କ ପାଇଁ କିଛି କରିବା ଓ ଯେକୌଣସି ମହତ କାର୍ଯ୍ୟରେ ନିଜକୁ ସଂଶ୍ଳିଷ୍ଟ କରିବା ଆଚାର୍ଯ୍ୟ ହରିହର ଦାସଙ୍କ ବ୍ୟକ୍ତିତ୍ୱର ବିଶେଷତ୍ୱ ଥିଲା । ପ୍ରାରମ୍ଭରେ ଅତିଥିମାନେ ଆଚାର୍ଯ୍ୟ ହରିହର ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥିମାନେ ପୂର୍ବରୁ ଆୟୋଜିତ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ସଭାପରେ ଆଚାର୍ଯ୍ୟ ବିହାର ପରିଷଦ ଆନୁକୂଲ୍ୟରେ ଆଚାର୍ଯ୍ୟ ହରିହରଙ୍କ ଜୀବନାଦର୍ଶ ଉପରେ ଆଧାରିତ ସାମାଜିକ ନାଟକ ‘ଏକ ସୁଖଦ ଅନୁଭୂତି’ ପରିବେଷିତ ହୋଇଥିଲା । ଆଚାର୍ଯ୍ୟ ବିହାର ପରିଷଦର ସଭାପତି ଶ୍ରୀ ଭାଗବତ ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଅଧିକାରୀ ରୋଜାଲିନ୍ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଉପନିର୍ଦ୍ଦେଶକ ଦୀପ୍ତିମୟୀ ମହାପାତ୍ର ଓ ସୁଚେତା ପ୍ରିୟଦର୍ଶିନୀ, ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।