ଆଜାଦ୍ କ୍ଲବ ପକ୍ଷରୁ ଜାତୀୟ ସ୍ତରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଂଟ ଉଦଘାଟିତ

କେନ୍ଦ୍ରାପଡ଼ା,୧୬/୦୪/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସହରର ଫକିରାବାଦ୍ ଆଜାଦ୍ କ୍ଲବ ପକ୍ଷରୁ ଏକ ଜାତୀୟ ସ୍ତରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଂଟ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆଜାଦ୍ କ୍ଲବର ସଭାପତି ହିବଜୁର ରହେମାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ରାପଡାରେ ଏଭଳି ଟୁର୍ଣ୍ଣାମେଂଟର ଆୟୋଜନ ଦ୍ୱାରା ଯୁବବର୍ଗଙ୍କ ମଧ୍ୟରେ କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି ହେବା ସହିତ ଏହି ଜିଲାରେ ବହୁ କ୍ରୀଡାବୀତ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି ବୋଲି ମତବ୍ୟକ୍ତ କରିଥିଲେ ।

ସମ୍ମାନିତ ଅତିଥି ଭାବେ ଜିଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ଓ ଜିଲା କ୍ରୀଡା ସଂସଦ ସମ୍ପାଦକ ସୟଦ ଅକମଲ ଅଲ୍ଲୀ ଯୋଗଦେଇ ଏଭଳି ପ୍ରତିଯୋଗିତା ଦ୍ୱାରା ଆମ ଅଂଚଳର କ୍ରୀଡାବିତଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ହୋଇପାରିବ ବୋଲି କହିଥିଲେ । ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚରେ କେନ୍ଦ୍ରାପଡାର ଚାନ୍ଦ କ୍ଲବ କଟକର ଟାର୍ଜନ କ୍ଲବକୁ ୩-୧ ଟ୍ରାଇବ୍ରେକରରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ।

ଆଜିର ଦ୍ୱିତୀୟାର୍ଦ୍ଧରେ ଅନୁଷ୍ଠିତ ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚ ରେ ଭୁବନେଶ୍ୱରର କଳିଙ୍ଗ ୟୁନାଇଟେଡ ଏଫସି ଝାଡଖଣ୍ଡ ଚାଇଁବସାର କେଲାନ ସକ୍କର ଏକାଡେମୀକୁ ଭେଟିଥିଲା । କ୍ଲବର ସମ୍ପାଦକ ସେକ ଲିୟାକତ ଅଲ୍ଲୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପସଭାପତି ମୀର ବକ୍କାଉଲ୍ଲା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ମ୍ୟାଚକୁ ରେଫରୀ ଭାବେ ଶିବାନୀ ରାଜପୁତ, ଦେବଜାନୀ ମଣ୍ଡଳ, ଉମା ବାରୋହୀ ଓ ବନ୍ଦନା ବୋଷ ପ୍ରମୁଖ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟିକା ଖାନ୍, ସେକ ଅମୀର ଅହେମ୍ମଦ, କଲିମ ଖାନ୍, ନୁର ଖାନ, ସୟଦ ଅହେସାନ ଅଲ୍ଲୀ, ସିପୁନ ଖାନ, ସେକ ବୁରଖାନ, ଆଝାରୁଦ୍ଧିନ ଖାନ ପ୍ରମୁଖ ଟୁର୍ଣ୍ଣାମେ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *