କଟକ ବାସୀଙ୍କ ପାଇଁ ଖୁସି ଖବର – – କଟକ ସହରରେ ଖୁବ୍ ଶୀଘ୍ର ହେବ ବିମାନ ବନ୍ଦର : ଭର୍ତୃହରି ମହତାବ

କଟକ,୧୨/୦୮/୨୦୨୫(ଓଡ଼ିଶା ସମାଚାର)- କଟକ ବାସୀଙ୍କ ପାଇଁ ଏକ ଖୁସି ଖବର । ସହରକୁ ଖୁବ ଶିଘ୍ର ଏକ ନିଜସ୍ୱ ବିମାନ ବନ୍ଦର ମିଳିପାରେ । କଟକ ସାଂସଦ ଭର୍ତୃହରି ମହତାବ ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ ଏହି ବିଷୟ ସଂପର୍କରେ ସୂଚନା ଦେଇଛନ୍ତି ।

ସାଂସଦ ଶ୍ରୀ ମହତାବ କହିଛନ୍ତି ଯେ, କଟକରେ ଏକ ବିମାନ ବନ୍ଦର ଆରମ୍ଭ କରିବା ସମୟର ଆବଶ୍ୟକତା ରହିଛି । ସେ ଚାରବାଟିଆ ବାୟୁସେନା ଘାଟିର ଆଧୁନିକୀକରଣ ଓ ବିକାଶ ବିଷୟରେ କଥା ହେଉଥିଲେ । ଶ୍ରୀ ମହତାବ ସୂଚନା ଦେଇଥିଲେ ଯେ, ଚାରବାଟିଆ ବାୟୁସେନା ଘାଟି ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ରହିଛି ଏବଂ ଏହା କଟକ ସହର ଉପକଣ୍ଠ ଚୌଦ୍ୱାରରେ ଅବସ୍ଥିତ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ବାୟୁସେନା ଘାଟି ବ୍ୟବହୃତ ହେଉଥିଲା ।

ତେବେ ଏହି ବାୟୁସେନା ଘାଟିକୁ ଏବେ କାର୍ବୋ ଏବଂ ବେସାମରିକ ବିମାନ ଉଭୟ ପାଇଁ ବିକଶିତ ଏବଂ ବ୍ୟବହାର କରାଯାଇପାରିବ । ସାଂସଦ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ପାଇଁ ଆଗ୍ରହ ଦେଖାଇଥିବା ଶ୍ରୀ ମହତାବ କହିଛନ୍ତି । ଶ୍ରୀ ମହତାବ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ସେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟି ଏ ସଂପର୍କରେ ଏକ ସ୍ମାରକ ପତ୍ର ଦେଇଛନ୍ତି । ପ୍ରତ୍ୟେକ ଦିନ ଭୁବନେଶ୍ୱରରେ ଭିଡ଼ ବଢ଼ିବା ସହିତ କଟକରେ ଏକ ବିମାନ ବନ୍ଦର ପ୍ରତିଷ୍ଠା ହେଲେ ଭିଡ଼ ହ୍ରାସ କରିବାରେ ସହାୟକ ହେବ ।

ସାଂସଦ ଶ୍ରୀ ମହତାବ ଆହୁରି କହିଛନ୍ତି ଯେ, ଓଏମପି ଛକ ନିକଟରେ ଏକ ଫ୍ଲାଏ ଓଭର ପାଇଁ ୬୪୦କୋଟି ଟଙ୍କାର ବଜେଟ ମଂଜୁର କରାଯାଇଛି । ଯାହାଦ୍ୱାରା ଏହି ଅଂଚଳରେ ଟ୍ରାଫିକ ପରିଚାଳନାରେ ସହାୟକ ହେବ । ପ୍ରସ୍ତାବିତ ଫ୍ଲାଏ ଓଭର ପାରାଦୀପକୁ ଯାତ୍ରା କରୁଥିବା ଲୋକଙ୍କୁ ସାହାଯ୍ୟ କରିବ । ସେହି ରାସ୍ତାରେ ବହୁ ସଂଖ୍ୟାରେ ବସ ଏବଂ ଟ୍ରକ ଚଳାଚଳ କରୁଥିବା ଯୋଗୁଁ ଭବିଷ୍ୟତରେ ଟ୍ରାଫିକ ଜାମ କମ ହେବ । ଏ ସଂପର୍କରେ ଡିିପିଆର ମଂଜୁର ହୋଇଛି । ତା ପରେ ଟେଣ୍ଡର ଜାରି କରାଯିବ ଏବଂ ଚୁକ୍ତିନାମା ସ୍ୱାକ୍ଷର କରାଯିବ । ଅଂଚଳରେ ଭିଡ଼ କମ କରିବା ପାଇଁ ଯଥାଶିଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସାଂସଦ ଶ୍ରୀ ମହତାବ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *