*ଏପ୍ରିଲ ୧୩ ଏବଂ ୧୪ ତାରିଖ ଦୁଇଦିନ ଧରି ପାଳନ ହେବ ପ୍ରତିଷ୍ଠା ଦିବସ
*୧୩ ତାରିଖ ସକାଳେ ରାଜଧାନୀ ପ୍ରତିଷ୍ଠା ଶିଳାନ୍ୟାସ ଫଳକ ଠାରେ ମାଲ୍ୟାର୍ପଣ ଏବଂ ପରେଡ୍ ପ୍ରଦର୍ଶନ
*ଉତ୍କଳ ମଣ୍ଡପ ଠାରେ ସଂଧ୍ୟାରେ ଦୁଇଦିନ ଧରି ହେବ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ
*ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି ନେଇ ସୂଚନା
ଭୁବନେଶ୍ୱର,୦୧/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ୭୮ତମ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବାକୁ ସଂପୃକ୍ତ ବିଭିନ୍ନ ବିଭାଗ ଓ ଅନୁଷ୍ଠାନମାନଙ୍କୁ ସହଯୋଗ ପାଇଁ ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ଚଳିତ ବର୍ଷ ଏହି ଉତ୍ସବକୁ ଏପ୍ରିଲ ୧୩ ତାରିଖରେ ସ୍ୱତନ୍ତ୍ର ଭାବେ ଏବଂ ୧୪ ତାରିଖରେ ରାଜ୍ୟ ସରକାରଙ୍କ ‘ଓଡ଼ିଆ ପକ୍ଷ ‘ ସହ ମିଳିତ ସମନ୍ୱୟରେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ମହୋତ୍ସବର ଆୟୋଜନ ନେଇ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ଚଞ୍ଚଳ ରାଣା ଉପସ୍ଥାପନ କରିଥିଲେ । ଭୁବନେଶ୍ୱର ସହରର ଐତିହ୍ୟ, ସଂସ୍କୃତି ଏବଂ ବିକାଶର ଧାରାକୁ ପ୍ରଦର୍ଶିତ କରିବା ସହ ଏହି ଦିବସକୁ ସ୍ମରଣୀୟ କରିବା ଉତ୍ସବ ଆୟୋଜନର ମୂଳ ଲକ୍ଷ୍ୟ ବୋଲି ବୈଠକରେ ଆଲୋଚନା କରାଯାଇଥିଲା ।
ରାଜଧାନୀ ପ୍ରତିଷ୍ଠା ଦିବସ ଏପ୍ରିଲ ୧୩ ତାରିଖ ସକାଳେ ପିଏମଜି ଛକସ୍ଥିତ ରାଜଧାନୀ ପ୍ରତିଷ୍ଠା ଶିଳାନ୍ୟାସ ଫଳକରେ ପୁଷ୍ପମାଲ୍ୟ ଓ ପୁଷ୍ପଗୁଚ୍ଛ ଅର୍ପଣ କରାଯାଇ ଉତ୍ସବର ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରତିଷ୍ଠା ଦିବସ ପତାକା ଉତ୍ତୋଳନ କରାଯିବ । ଏହା ସହିତ ରବୀନ୍ଦ୍ର ମଣ୍ଡପରୁ ଜୟଦେବ ଭବନ ପର୍ଯ୍ୟନ୍ତ ଏକ ଆକର୍ଷଣୀୟ ବେସାମରିକ ପରେଡ୍ ଅନୁଷ୍ଠିତ ହେବ । ସେହପରି ଉତ୍ସବ ଉପଲକ୍ଷେ ଜୟଦେବ ଭବନଠାରେ ରାଜଧାନୀର ଐତିହ୍ୟ ଓ ଗୌରବକୁ ନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଏକ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜନ କରାଯିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ପ୍ରାତଃ କାଳୀନ ପରେଡ୍ କାର୍ଯ୍ୟକ୍ରମଗୁଡ଼ିକୁ ସକାଳେ ନିର୍ଦ୍ଧାରିତ ସମୟ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଛାତ୍ରଛାତ୍ରୀମାନଙ୍କ ପାଇଁ ଯଥେଷ୍ଟ ପିଇବା ପାଣି, ଆବଶ୍ୟକ ଓଆରଏସ୍ ଏବଂ ଆନୁଷଙ୍ଗିକ ସୁବିଧା କରିବାକୁ ପରାମର୍ଶ ଦିଆଯାଇଛି । ୧୩ ତାରିଖ ସଂଧ୍ୟାରେ ଉତ୍କଳ ମଣ୍ଡପଠାରେ ‘ରାଜଧାନୀ ଗୌରବ ସମ୍ମାନ’ ପ୍ରଦାନ, ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯିବା ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଉତ୍ସବର ଦ୍ୱିତୀୟ ଦିନ ଏପ୍ରିଲ ୧୪ ତାରିଖରେ ଉତ୍କଳ ମଣ୍ଡପଠାରେ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଆ ପକ୍ଷ ସହ ସମନ୍ୱିତ କରାଯାଇ ଅନୁଷ୍ଠିତ ହେବ । ଦୁଇଦିନ ଧରି ଉତ୍ସବରେ ବିଭିନ୍ନ ଅତିଥିମାନେ ଯୋଗଦେବେ ।
ଏହି ଆୟୋଜନ ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ, ପୁଲିସ, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ସେବା, ସରକାରୀ ଓ ବେସରକାରୀ ଅନୁଷ୍ଠାନ, ରାଷ୍ଟ୍ରାୟତ ବ୍ୟାଙ୍କ ଓ ଜନସାଧାରଣଙ୍କ ଅଂଶଗ୍ରହଣ ସଂପର୍କରେ ଆଲୋଚନା କରାଯାଇଥିଲା । ବିଡିଏ ଦ୍ୱାରା ପ୍ରତିଷ୍ଠା ଫଳକ ଅଞ୍ଚଳର ସଫେଇ, ଫୁଲ ସଜ୍ଜା ଏବଂ ସୌନ୍ଦର୍ଯ୍ୟକରଣ କରାଯିବ । ପ୍ରତିଷ୍ଠା ଫଳକ ସ୍ଥିତ ଜଳ ଫୁଆର(ଫାଉଣ୍ଟେନ)କୁ ପୁନଃ ଚଳକ୍ଷମ କରିବା, ପତାକା ମଂଚ ସ୍ଥଳ ପ୍ରସ୍ତୁତି, ବିଭିନ୍ନ ସ୍ଥାନରେ ସ୍ୱାଗତ ତୋରଣ ଲଗାଯିବା, ପରେଡ୍ ପରିଚାଳନା, ଏଜି ଛକରୁ ରବୀନ୍ଦ୍ର ମଣ୍ଡପ ପର୍ଯ୍ୟନ୍ତ ଆଲୋକୀକରଣ ସହିତ ଏହି ଦୁଇ ଦିନିଆ ଉତ୍ସବରେ ଲୋକ ଭବନ, ଲୋକସେବା ଭବନ, ଖାରବେଳ ଭବନ, ବିଧାନସଭା ସୌଧ ସମେତ ସହରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ, ରାଷ୍ଟ୍ରାୟତ ବ୍ୟାଙ୍କ ଏବଂ ବାଣିଜ୍ୟିକ ପ୍ରତିଷ୍ଟାନଗୁଡ଼ିକୁ ଆଲୋକମାଳାରେ ସଜାଇବାକୁ ପରାମର୍ଶ ଦିଆଯାଇଛି । ସମସ୍ତ କାର୍ଯ୍ୟକ୍ରମର ଗଣମାଧ୍ୟମରେ ପ୍ରଚାର ପ୍ରସାର , ଛାତ୍ରଛାତ୍ରୀମାନଙ୍କ ଯାତାୟତ ନେଇ ପରିବହନ ସୁବିଧା, ପୁଲିସ କମିଶନରେଟ୍ ଓ ପରିବହନ ବିଭାଗ ପକ୍ଷରୁ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ସ୍ୱାସ୍ଥ୍ୟ, ଅଗ୍ନିଶମ ସେବା ଓ ଜରୁରୀକାଳୀନ ସେବା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ, କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡକ୍ଟର ଏନ. ତିରୁମାଲା ନାଏକ, ଜିଲ୍ଲାପାଳ, ଖୋର୍ଦ୍ଧା ଶ୍ରୀ ଅମ୍ରିତ୍ ଋତୁରାଜ, କ୍ରୀଡ଼ା ଓ ଯୁବସେବା ବିଭାଗ ନିର୍ଦ୍ଦେଶକ ଶ୍ରୀ ୟେଦୁଲ୍ଲା ବିଜୟ, ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଅନୂଜ କୁମାର ଦାସ ପଟ୍ଟନାୟକ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର, ପୂର୍ତ୍ତ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଲକ୍ଷ୍ମୀକାନ୍ତ ପାଢୀଙ୍କ ସମେତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ୱାଟକୋ, ପୁଲିସ କମିଶନରେଟ୍ ଏବଂ ଅଗ୍ନିସମ ସେବା ସମେତ ଅନ୍ୟ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦୋଷ ପଟ୍ଟନାୟକ, ଉପସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଏବଂ ସାଧାରଣ ସଂପାଦକ ଶ୍ରୀ ସନତ ମିଶ୍ର ପ୍ରମୁଖ ଯୋଗଦେଇ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହର ସଫଳ ଆୟୋଜନ ପାଇଁ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।
-0-
ସାଗରିକା ପ୍ରିୟଦର୍ଶିନୀ ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
