ଅନ୍ତରୀଣ ବଜେଟ୍ ୨୦୨୪-୨୫ ନୈରାଶ୍ୟଜନକ – ସମାଜବାଦୀ ପାର୍ଟି

ଭୁବନେଶ୍ୱର, ୦୧/୦୨/୨୦୨୪ (ଓଡ଼ିଶା ସମାଚାର)- ଆଜି ସଂସଦରେ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ୨୦୨୪-୨୫ ମସିହା ପାଇଁ ୪୭ଲକ୍ଷ ୬୫ ହଜାର ୭୬୮କୋଟିର ଅନ୍ତରୀଣ ବଜେଟ୍ ଆଗତ କରାଯାଇଛି । କିନ୍ତୁ ଦୁଃଖର କଥା ଏହି ଅନ୍ତରୀଣ ବଜେଟ୍ ଦେଶର କୋଟି କୋଟି ଚାଷୀ, ଗରିବ ଲୋକ, ମହିଳା ଓ ବେକାର ଯୁବକ ଯୁବତୀଙ୍କୁ ନିରାଶ କରିଛି । ଏହି ବଜେଟ୍ ରେ ପେଟ୍ରୋଲ୍, ଡିଜେଲ୍ ସମେତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଡାଲି, ଚାଉଳ, ଅଟା, ଖାଇବା ତେଲ, ମଇଦା, ସୁଜି, ଚିନି ସମେତ ବିଭିନ୍ନ ପନିପରିବା ଦରଦାମ୍ ହୁ ହୁ ହୋଇ ବଢୁଥିବା ବେଳେ ଏହି ବଜେଟ୍ ଦରଦାମ୍ ରୋକିବାରେ ବ୍ୟର୍ଥ ହୋଇଛି । ବେକାରଙ୍କୁ ରୋଜଗାର ଦେବାପାଇଁ ବଜେଟ୍ ରେ ନିର୍ଦ୍ଧିଷ୍ଟ କିଛି ପଦକ୍ଷେପ ନିଆଯାଇନାହିଁ । ରାଜସ୍ତାନର ନିର୍ବାଚନ ପ୍ରଚାର ସମୟରେ ପି.ଏମ୍. କିଷାନ ନିଧି ରାଶି ୧୨ ହଜାର ଟଙ୍କାକୁ ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ ସଂକେତ ଦେଇଥିଲା ବେଳେ ବଜେଟ୍ ରେ ତାହା ଉପରେ କୌଣସି ପଦକ୍ଷେପ ନିଆଯାଇନାହିଁ । କୃଷକମାନଙ୍କର ଋଣ ଛାଡ କରିବା କିମ୍ବା ସେମାନଙ୍କର ଆୟ ଦୁଇଗୁଣ ବୃଦ୍ଧି କରିବା ପାଇଁ ବିଜେପି ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ଏହି ବଜେଟ୍ ରେ ତାହା ପ୍ରତିଫଳିତ ହୋଇନାହିଁ । ସବୁଦିଗରୁ ବଜେଟ୍ ୨୦୨୪-୨୫ ନୈରାଶ୍ୟଜନକ ଓ ସବ୍ କା ସାଥ୍ ସବ୍ କା ବିକାଶର ନାରା ଦେଉଥିବା ବିଜେପି ସବୁ ବର୍ଗଙ୍କୁ ଏହି ବଜେଟ୍ ରେ ହତାଶ କରିଛି ।
ସେହିଭଳି ଓଡ଼ିଶାକୁ ରେଳ ବଜେଟ୍ ୧୦ ହଜାର ୫୩୬ କୋଟିରୁ ଊଦ୍ଧ୍ୱର୍ ଏହି ଅନ୍ତରୀଣ ବଜେଟ୍ ରେ ଦିଆଯାଇଥିଲା ବେଳେ ବ୍ରହ୍ମପୁରର ଶୀତଳାପଲ୍ଲୀଠାରେ ରେଳଡବା କାରଖାନା ପ୍ରତିଷ୍ଠା ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ । ହରିଦାସପୁର-ପାରାଦୀପ ରେଳ ଲାଇନ୍ ରେ କେନ୍ଦ୍ରାପଡ଼ା ଦେଇ ରେଳ ଚଳାଚଳ କରିବା ପାଇଁ କୌଣସି ପଦକ୍ଷେପ ନିଆ ନ ଯିବା ବଡ଼ ଦୁଃଖର କଥା । କଳାହାଣ୍ଡିର ନରଲାଠାରେ ୱାଗନ୍ ୱାସିଙ୍ଗ୍ ଫ୍ୟାକ୍ଟି୍ର ଏବଂ ଓଡ଼ିଶାରେ ଆଉ ଦୁଇଟି ରେଳ ଡିଭିଜନ୍ ଖୋଲିବା ଦିଗରେ ଏହି ବଜେଟ୍ ନିରବ । ତେଣୁ ସର୍ବୋପରି ଦେଖିଲେ ଓଡ଼ିଶା ମଧ୍ୟ ଏହି ବଜେଟ୍ ରେ ନିରାଶ ହୋଇଛି ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *