ଦୁର୍ନୀତିର ଚରମ ସୀମାରେ ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ 

ଫଲ୍ସ ବିଲ୍ ରେ ଲକ୍ଷାଧିକ ଟଙ୍କା ହରିଲୁଟ ଅଭିଯୋଗ

ଉଚ୍ଚ ସ୍ତରୀୟ ତଦନ୍ତ ଦାବି କଲା ଏସ ଏମ୍ ସି

ଭୁବନ,୨୭/୦୩/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ଏନ୍ ଏ ସି ଅନ୍ତର୍ଗତ ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ନୀତି,ଅନିୟମିତତାର ଚରମ ସୀମାରେ ପହଞ୍ଚିଥିବା ନେଇ ଅଭିଯୋଗ ହୋଇଛି । ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ଅଭିଯୋଗରେ ଦର୍ଶାଯାଇଛି ଯେ,ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ଥାନୀୟ ବାସିନ୍ଦା ଏଠାରେ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଅଛନ୍ତି । ସେ ଗତ ୨୦୨୫ ଅପ୍ରେଲ ମାସରୁ ସେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରଠାରୁ ନାନାଦି ବିଶୃଙ୍ଖଳା ସୃଷ୍ଟି ହୋଇଛି।  ୫ ଟି ତରଫରୁ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଦ୍ୟାଳୟକୁ ଯୋଗାଇଥିବା ବ୍ୟାଟେରୀ ଗୁଡ଼ିକୁ ଖରାପ ଦର୍ଶାଇ ପରିଚାଳନା କମିଟି ଅଗୋଚରରେ ବିକ୍ରି କରି ଦିଆଯାଇଥିବା ବେଳେ ସରକାରଙ୍କ ଗାଇଡ ଲାଇନ ଓ ଜିଲ୍ଲାପାଳ ଙ୍କ ଅନୁମୋଦନ ସତ୍ତ୍ଵେ ୨୦୨୩ ମସିହାରୁ ବିଦ୍ୟାଳୟକୁ ମିଳିଥିବା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ତିନିଲକ୍ଷ ପଚାଶ ହଜାର ଟଙ୍କା କୁ ବିଭିନ୍ନ ବାହାନା ଦେଖାଇ କର୍ଯ୍ୟ କରିବାକୁ ଦେଉ ନାହାନ୍ତି ।

ପରିଚାଳନା କମିଟି କୁ ସର୍ବଦା ଉପେକ୍ଷା କରି ଆସୁଛନ୍ତି ଓ କମିଟି ସଦସ୍ୟ ମାନଙ୍କୁ ମଧ୍ୟ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ବିଦ୍ୟାଳୟର ମୁଖ୍ୟ ସମସ୍ୟା ରୋସେଇ ଘର ଓ ପାନୀୟ ଜଳ ହୋଇଥିବା ବେଳେ ଏହି ସମସ୍ୟା ସମାଧାନ କରିବାକୁ ସେ କୁଣ୍ଠାବୋଧ କରୁଛନ୍ତି ।ପରିଚାଳନା କମିଟି ସଭାପତି ଓ ସଦସ୍ୟ ମାନଙ୍କ କଥାକୁ ଗୁରୁତ୍ଵ ନ ଦେଇ ମନଇଚ୍ଛା କାର୍ଯ୍ୟ କରୁଛନ୍ତି । ସ୍କୁଲ ପାଣ୍ଠି ରେ ମୁଖ୍ୟମନ୍ତ୍ରୀ ପୁରସ୍କାର ଅର୍ଥ ଗଚ୍ଛିତ ଥିବା ବେଳେ ନିହାତି ଆବଶ୍ୟକ ଥିବା କାର୍ଯ୍ୟ କରୁନାହାନ୍ତି । ବିଦ୍ୟାଳୟରେ ଅପରିଷ୍କାର ଓ ଅସ୍ବାସ୍ଥ୍ୟକର ପରିବେଶରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉଥିବା ଓ ପାନୀୟ ଜଳ ସମସ୍ୟା କୁ ନେଇ ଗତ ଜାନୁଆରୀ ୧୩ ତାରିଖରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକ ରେ ସଭ୍ୟ ମାନେ ଉଦବେଗ ପ୍ରକାଶ କରିଥିଲେ । ଏହି ସବୁ କାର୍ଯ୍ୟ ସକାଶେ ସ୍କୁଲ ପାଣ୍ଠିରୁ ଭେଣ୍ଡର ମାନଙ୍କୁ ଅର୍ଥ ପୈଠ କରାଯାଇ ଉନ୍ନତିମୂଳକ ( ଆବଶ୍ୟକତା) କାର୍ଯ୍ୟ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ପ୍ରଧାନ ଶିକ୍ଷୟିତ୍ରୀ କମିଟି କୁ ଉପେକ୍ଷା କରି ଭେଣ୍ଡର ମାନଙ୍କୁ ଅର୍ଥ ପ୍ରଦାନ ନକରି ସବୁ ପଇସା ନିଜ ପାଖରେ ରଖି ନିଜେ କାର୍ଯ୍ୟ କରିବାକୁ ଉଦ୍ୟମ କରୁଛନ୍ତି ।

ପିଏମ୍ ଶ୍ରୀ ଖର୍ଚ୍ଚ ବାବଦରେ କୌଣସି କମିଟି ସଭା ନଡକାଇ କମିଟି ଅଜ୍ଞାତରେ ବିନା ଟେଣ୍ଡରରେ କେତେଜଣ କର୍ମଚାରୀଙ୍କ ସହାୟତାରେ ନିର୍ଦ୍ଦିଷ୍ଟ ଦୋକାନରୁ ବ୍ଲାଙ୍କ ଭାଉଚର ଆଣି ମିଥ୍ୟା ବିଲ୍ ପ୍ରସ୍ତୁତ କରାଯାଇଥିଲା । ଯାହାକି କମିଟି ଦ୍ୱାରା ନାକଚ/ଅଗ୍ରାହ୍ୟ କରାଯାଇଥିଲା । ଗତ ୧୬ ତାରିଖରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ବିଦ୍ୟାଳୟକୁ ପରିଦର୍ଶନରେ ଆସିଥିବା ବେଳେ ପରିଚାଳନା କମିଟି ତରଫରୁ ଏଡିଇଓ ଙ୍କ ନିକଟରେ ଉପରୋକ୍ତ ସମସ୍ତ ତଥ୍ୟ ଭିତ୍ତିକ ଅଭିଯୋଗ କରାଯାଇଥିଲା । କାମ ହେଉ କି ନହେଉ ସରକାରଙ୍କ ଗାଇଡ ଲାଇନ ଅନୁସାରେ ଭାଉଚର ବିଲ୍ ପ୍ରସ୍ତୁତ କରା ନଗଲେ ଅର୍ଥ ଫେରିଯିବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ କହିବାରୁ ଏଡିଇଓ ଙ୍କ ଉପସ୍ଥିତିରେ ତୁମୁଳ ହଟ୍ଟଗୋଳ ସୃଷ୍ଟି ହୋଇଥିଲା ।

ପୂର୍ବରୁ ଲେଖା ହୋଇଥିବା ମିଥ୍ୟା ଅଧିବେଶନ କୁ ସିଆର ସି ସି ଙ୍କ ଦ୍ୱାରା ସମସ୍ତ ମିଥ୍ୟା ବିଲ୍ ଭାଉଚର ସବୁ ଦସ୍ତଖତ କରାଇ ନେବାକୁ ଉଦ୍ୟମ ହୋଇଥିବା ସମ୍ପର୍କରେ ପରିଚାଳନା କମିଟି ସଭାପତି ମନୋଜ କୁମାର ପୋଥାଳ ଙ୍କ ସମେତ ଅନ୍ୟ ସଭ୍ୟ/ସଭ୍ୟା ମାନେ ଅଭିଯୋଗ କରିଥିଲେ । ଲାବୋରେଟୋରୀ ଦିନକ ପାଇଁ ଖୋଲା ଯାଉନଥିବା କି ପିଲାଙ୍କୁ ଶିକ୍ଷା ଦିଆ ନଥିବା ବେଳେ ମେଣ୍ଟେନଂଶ ପାଇଁ ପ୍ରତିବର୍ଷ ଆସୁଥିବା ଲକ୍ଷାଧିକ ଟଙ୍କା କୁ ଫଲ୍ସ ବିଲ କରି ହରିଲୁଟ କରାଯାଉଛି। ଦଶମ ଶ୍ରେଣୀ ଛାତ୍ରୀ ମାନେ ବୋର୍ଡ ପରୀକ୍ଷା ଦେଇ ସାରିଥିବା ବେଳେ ଏଯାଏଁ ତାଙ୍କୁ ପୋଷାକ ମଧ୍ୟ ଦିଆଯାଇନାହିଁ । ଅନ୍ୟ ଜଣେ ଶିକ୍ଷୟିତ୍ରୀ ଦୀର୍ଘ ୧୫ ବର୍ଷ ହେଲା ” ଇକୋ କ୍ଳବ” ଦାୟିତ୍ୱରେ ଥିବାବେଳେ ବିଦ୍ୟାଳୟ ପରିସରରେ ଫୁଲଗଛ ଟିଏ ନଲଗାଇ ଏଥିପାଇଁ ଆସୁଥିବା ଲକ୍ଷାଧିକ ଟଙ୍କା ହରିଲୁଟ କରିଥିବା ସମ୍ପର୍କରେ ମଧ୍ୟ ଅଭିଯୋଗ କରାଯାଇଥିଲା ।

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବାବଦ ଅର୍ଥ ଏବଂ ପିଏମ୍ ଶ୍ରୀ ଦ୍ୱିତୀୟ ପର୍ଯ୍ୟାୟ ଅର୍ଥ ରାଶି ଖର୍ଚ୍ଚ ପାଇଁ ଆସନ୍ତା ୨୮ ତାରିଖ ଶନିବାର ଦିନ ଏକ ଜରୁରୀ ବୈଠକ ପାଇଁ ଗୁରୁବାର ଏମ ଏସ ସି ସଦସ୍ୟଙ୍କୁ ନୋଟିସ କରାଯାଇଥିବାରୁ ଏନେଇ ସଭ୍ୟ, ସଭ୍ୟା ମାନେ ଘୋର ଆପତ୍ତି କରିଛନ୍ତି । ପିଏମ୍ ଶ୍ରୀ ପ୍ରଥମ ପର୍ଯ୍ୟାୟରେ କୌଣସି ମିଟିଂ ନକରି ପ୍ରଧାନ ଶିକ୍ଷୟିତ୍ରୀ ସମ୍ପୂର୍ଣ ଅର୍ଥ ହଡ଼ପ କରିଛନ୍ତି ବୋଲି ପରିଚାଳନା କମିଟି ତରଫରୁ ଜିଲ୍ଲାପାଳ,ଜିଲ୍ଲା ଶିକ୍ଷାଧିକାରୀ,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ, ସଚିବ ଏବଂ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଙ୍କ ନିକଟକୁ ଅଭିଯୋଗ ପତ୍ର ପ୍ରେରଣ କରି ଉପରୋକ୍ତ ସମସ୍ତ ଅଭିଯୋଗର ଉଚ୍ଚ ସ୍ତରୀୟ ( ଭିଜିଲାନ୍ସ ) ତଦନ୍ତ କରାଯିବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *