ନିଶ୍ଚିନ୍ତକୋଇଲି,୨୭/୦୩/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )ଆଜି ପବିତ୍ର ରାମ ଜନ୍ମ ଉତ୍ସବ। ଦିଲ୍ଲୀ ରୁ ପଲ୍ଲୀ ସର୍ବତ୍ର ପାଳନ କରାଯାଉଛି ମର୍ଯ୍ୟାଦା ପୁରୁଷ ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ। ସେହିଭଳି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ବର ମଲ୍ଲିପୁର ଠାରେ ମହାଆଡମ୍ବରରେ ପାଳନ ହେଉଛି ପ୍ରଭୁ ଶ୍ରୀ ରଘୁନାଥ ଙ୍କ ଜନ୍ମୋତ୍ସବ। ପ୍ରାତଃ ସମୟରେ ପ୍ରଭୁ ଙ୍କ ସମସ୍ତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ପ୍ରଭୁ ଶ୍ରୀ ରଘୁନାଥ ଦର୍ଶନ ଦେଉଛନ୍ତି ଶ୍ରଦ୍ଧାଳୁଭକ୍ତ ମାନଙ୍କୁ।

ଆଜି ଠାରୁ ଆସନ୍ତା ମାସ ୬ ତାରିଖ ଯାଏଁ ଏଠାରେ ଶ୍ରୀରାମ ନବମୀ ଯାତ୍ରା ଅନୁଷ୍ଠିତ ହେବ। ଏଠାରେ ଅନୁଷ୍ଠିତ ଶ୍ରୀରାମ ନବମୀ ବା ରାମାୟଣ କଥା ଶୁଆଙ୍ଗୀ ମଧ୍ୟମରେ ବର୍ଣ୍ଣନା କରାଯାଇଥାଏ ।କଥିତ ଅଛି,” ଓଳକଣା ମେଳଣ, ଅଳିରାଜା ଝୁଲଣ, ଅସୁରେଶ୍ବର ରାମନବମୀ, ପୁରସ୍ତମ ଚନ୍ଦନ । ” ଶ୍ରୀରାମ ନବମୀ ରେ ଏଠାକୁ ଆସୁଥିବା ଶ୍ରଦ୍ଧାଳୁମାନେ ଶ୍ରୀ ରଘୁନାଥ ଜୀଉ ଙ୍କ ପୀଠରେମାନସିକ ବାଣ ଫୁଟାଇବା ର ଏକ ସ୍ୱତନ୍ତ୍ର ପରମ୍ପରା କାହିଁ କେଉଁ କାଳରୁ ରହିଆସିଛି।

ଶ୍ରଦ୍ଧାଳୁ ମାନଙ୍କର ମନସ୍କାମନା ପୂର୍ଣ୍ଣ ହେଲେ ଏଠାରେ ପ୍ରଭୁ ପୀଠରେ ବାଣ ଲାଗି କରାଯାଏ। ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କର ପ୍ରଭୁଙ୍କ ଦର୍ଶନ ପାଇଁ ସୁବ୍ୟବସ୍ଥା କରାଯାଇଛି। ଆସନ୍ତା ଏପ୍ରିଲ ୨ ତାରିଖରେ ଶ୍ରୀ ରଘୁନାଥ ଜୀଉ ଙ୍କ ଓଡ଼ିଶା ପ୍ରସିଦ୍ଧ ଦାଣ୍ଡ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଭୁ ଶ୍ରୀ ରଘୁନାଥ ନିଜ ମନ୍ଦିର ରୁ ବାହାରି ବିରାଟ ପଟୁଆର ସହିତ ରାମାୟଣ ରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ପ୍ରଭୁ ଙ୍କ ସହ କୋଇଲୋ ସ୍ଥିତ ଶ୍ରୀ ଦଧିବାମନ ଜୀଉ ଙ୍କ ମନ୍ଦିର ଯାଏଁ ବିଜେ କରିବେ ।
