ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ସମାଜବାଦ ବିନା ଭାରତର ରାଜନୈତିକ, ସାମାଜିକ ତଥା ଅର୍ଥନୈତିକ ଭବିଷ୍ୟତ ଅନ୍ଧାର ଆଡ଼କୁ ଚାଲିଯିବ

ଭୁବନେଶ୍ୱର,୦୬/୦୩/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ବିଶିଷ୍ଟ ସମାଜବାଦୀ ନେତା ତଥା ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡ଼େମୀରେ ଆୟୋଜିତ ହୋଇଯାଇଛି। ଲୋହିଆ ଏକାଡ଼େମୀ ଦ୍ୱାରା ଆୟୋଜିତ ଶ୍ରାଦ୍ଧ ସଭାରେ ପ୍ରଫେସର ବିରେନ୍ଦ୍ର ନାୟକ ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇଥିଲେ।

ସମଦୃଷ୍ଟି ସମ୍ପାଦକ ସୁଧିର ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଆଲୋଚନାର ବିଷୟ ଥିଲା ‘ଭାରତରେ ସମାଜବାଦର ଭବିଷ୍ୟତ’। ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା ଉପସ୍ଥିତ ସ୍ୱାଗତ ବକ୍ତବ୍ୟ ରଖିଥିଲେ। ସଂଯୋଜକ ଶ୍ରୀ ସୁଧିର ପଟ୍ଟନାୟକ ପ୍ରଖର ସମାଜବାଦୀ ଚିନ୍ତକ ରବି ରାୟଙ୍କ ବିଷୟରେ ସମ୍ୟକ ସୂଚନା ଦେବା ସହ ସମାଜବାଦ ବିଷୟକ ଆଲୋଚନା ଯେଉଁ ସମୟରେ କରାଯାଉଛି ସେହି ସମୟର ରାଜନୈତିକ ଓ ସାମାଜିକ ପରିସ୍ଥିତି ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ।

ପ୍ରଫେସର ବିରେନ୍ଦ୍ର ନାୟକ ଭାରତରେ ସମାଜବାଦର ଇତିହାସ ଆଲୋଚନା କରିବା ବେଳେ ସେ ସମୟରେ ଘଟିଥିବା ଘଟଣାମାନଙ୍କ ପ୍ରଭାବୀ ଦିଗଗୁଡିକୁ ସୂକ୍ଷ୍ମତାର ସହ ବାଖ୍ୟା କରିଥିଲେ। ମହାତ୍ମା ଗାନ୍ଧୀଙ୍କ ସମାଜବାଦ ପ୍ରତି ଦୃଷ୍ଟିକୋଣ ଉପରେ ଆଲୋଚନା କରି ନିଜର ଆଲୋଚନାରେ ନେହେରୁଙ୍କ ବିଚାର, ଲୋହିଆଙ୍କ ବିଚାର ଆଲୋଚନା ସହ ଭାରତରେ ପରିବର୍ତ୍ତିତ ରାଜନୀତିରେ ସମାଜବାଦର ରୂପ ଓ ସମ୍ବିଧାନରେ ତାହାର ପ୍ରତିଫଳନ ଉପରେ ସୂଚନା ପ୍ରଦାନ କରିଥିଲେ।

ସ୍ୱାଧୀନତା ପରବର୍ତ୍ତୀ ଭାରତର ଶାସନ ବ୍ୟବସ୍ଥା ଠାରୁ ଆରମ୍ଭ କରି ଆଜିର ଶାସନ କଳ ମଧ୍ୟ ଜାତି, ଧର୍ମ ଆଧାରରେ ଭାରତର ସମ୍ବିଧାନର ଆତ୍ମା ସମାଜବାଦକୁ କବର ଦେବାରେ ଲାଗିଛନ୍ତି। ତେଣୁ ସମାଜବାଦ ବିନା ଭାରତର ରାଜନୈତିକ, ସାମାଜିକ ତଥା ଅର୍ଥନୈତିକ ଭବିଷ୍ୟତ ଅନ୍ଧାର ଆଡ଼କୁ ଚାଲିଯିବ।

ସମାଜବାଦ ଉପରେ ପ୍ରଫେସର ନାୟକଙ୍କ ଆଲୋଚନା ବେଶ ଚିନ୍ତା ଉଦ୍ଦିପକ ଥିଲା। ପ୍ରଫେସର ନାୟକଙ୍କ ବକ୍ତବ୍ୟ ପରେ ପ୍ରଫେସର ନୀଳମଣି ସାହୁ, ପ୍ରଫେସର ସ୍ୱାଧୀନ ପଟ୍ଟନାୟକ, ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟନାୟକ, ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡା, ରବି ବେହେରା, ଏନ. ନାରାୟଣ ରେଡ୍ଡୀ, ଡ଼. ସୁମିତ୍ରା ପଟେଲ, ବିଘ୍ନେସ୍ୱର ସାହୁ, ସ୍ୱୟଂପ୍ରଭା ପାଢ଼ୀ, ଗୌରାଙ୍ଗ ମହାପାତ୍ର, ବିପିନ ବାରିକ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ସଭାରେ ବହୁ ସାମାଜିକ କର୍ମୀ, ଲୋହିଆବାଦୀ, ରାଜନୈତିକ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଲୋହିଆ ଏକଡେମୀର ସମ୍ପାଦକ ଦେବପ୍ରସାଦ ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପ୍ରାରମ୍ଭରେ ସ୍ବର୍ଗତଃ ରବି ରାୟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *