ସହରାଂଚଳରେ ୨୫ ଦିନ ଏବଂ ଗ୍ରାମାଂଚଳରେ ୪୫ ଦିନ
ନୂଆଦିଲ୍ଲୀ, ୨୬/୦୩/୨୦୨୬ (ଓଡ଼ିଶା ସମାଚାର)-ଦେଶରେ ଏଲପିଜି ରିଫିଲ୍ ବୁକିଂ ପାଇଁ ସମୟସୀମା ସମ୍ପର୍କରେ ପ୍ରସାରିତ ରିପୋର୍ଟ ଏବଂ ସୋସିଆଲ ମିଡିଆ ପୋଷ୍ଟକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି ଏବଂ ଏହାକୁ ମିଥ୍ୟା ବୋଲି କହିଛନ୍ତି । କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଏହି ସମ୍ପର୍କରେ କୌଣସି ପରିବର୍ତନ କରାଯାଇ ନାହିଁ । ଏହା ବ୍ୟତୀତ, ଗୁଜବରେ ବିଶ୍ୱାସ କରିବାରୁ ନିବୃତ ରହିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।
ବୁଧବାର କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ କହିଛି ଯେ କିଛି ରିପୋର୍ଟ ଦାବି କରୁଛି ଯେ ନୂତନ ସମୟ ସୀମା ସ୍ଥାପନ କରାଯାଇଛି: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ) ସଂଯୋଗ ପାଇଁ ୪୫ ଦିନ, ଅଣ- ପିଏମୟୁୱାଇ ସିଙ୍ଗଲ୍-ସିଲିଣ୍ଡର ସଂଯୋଗ ପାଇଁ ୨୫ ଦିନ ଏବଂ ଅଣ-ପିଏମୟୁୱାଇ ଡବଲ୍-ସିଲିଣ୍ଡର ସଂଯୋଗ ପାଇଁ ୩୫ ଦିନ । ମନ୍ତ୍ରଣାଳୟ ଦୃଢ଼ ଭାବରେ କହିଛି ଯେ ଏହି ସୂଚନା ଭୁଲ ଏବଂ ବିଦ୍ୟମାନ ବ୍ୟବସ୍ଥା ବଳବତର ରହିଛି । ବର୍ତମାନର ନିୟମ ଅନୁଯାୟୀ, ଏଲପିଜି ରିଫିଲ୍ ବୁକିଂ ପାଇଁ ସମୟସୀମା ସହରାଂଚଳରେ ୨୫ ଦିନ ଏବଂ ଗ୍ରାମାଂଚଳରେ ୪୫ ଦିନ । ଏହି ନିୟମ ସମସ୍ତ ପ୍ରକାରର ସଂଯୋଗ ପାଇଁ ସମାନ ଭାବରେ ପ୍ରଯୁଜ୍ୟ । ମନ୍ତ୍ରଣାଳୟ ନାଗରିକମାନଙ୍କୁ ଏପରି ଗୁଜବରେ ବିଶ୍ୱାସ ନ କରିବାକୁ ଏବଂ ଅଯଥାରେ କିମ୍ବା ଆତଙ୍କିତ ହୋଇ ରିଫିଲ୍ ବୁକ୍ କରିବାରୁ ଦୂରେଇ ରହିବାକୁ ନିବେଦନ କରିଛି । ଏହା ଆହୁରି ମଧ୍ୟ କହିଛି ଯେ ଦେଶ ଭିତରେ ପର୍ଯ୍ୟାପ୍ତ ପରିମାଣର ଏଲପିଜି ଷ୍ଟକ୍ ଉପଲବ୍ଧ ଏବଂ ଚିନ୍ତାର କୌଣସି କାରଣ ନାହିଁ ।
