ଓଡ଼ିଶା ଖଦି ମେଳା – ୨୦୨୬ ଉଦ୍‌ଘାଟିତ

ଖଦି ସ୍ଵଦେଶୀ ପ୍ରୀତିର ପ୍ରତୀକ : ମୁଖ୍ୟ ଅତିଥି

       ୨୩  ରୁ ୨୯  ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ପ୍ରଦର୍ଶନୀ

       ଦିବା ୩ ରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ ଷ୍ଟଲ୍‌

       ପ୍ରତି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ

       ଯୁବପିଢିଙ୍କୁ ଆକୃଷ୍ଟ କରିବା ପାଇଁ ଲାଇଭ୍ ଡେମନଷ୍ଟ୍ରେସନ୍

ଭୁବନେଶ୍ୱର, ୨୩/୦୩/୨୦୨୬(ଓଡ଼ିଶା ସମାଚାର/ରଜତ ମହାପାତ୍ର)-   ଖଦି ଆର୍ଥିକ ସମୃଦ୍ଧିର ଉତ୍ସ । ଏହା ସ୍ଵଦେଶୀ ପ୍ରୀତିର ପ୍ରତୀକ ବୋଲି ମାନ୍ୟବର ଭୁବନେଶ୍ୱର (ଏକାମ୍ର) ବିଧାୟକ ବାବୁ ସିଂ କହିଛନ୍ତି ।  ସ୍ଥାନୀୟ ରାମମନ୍ଦିର ନିକଟ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ କାର୍ଯ୍ୟାଳୟଠାରେ ଆୟୋଜିତ ଓଡ଼ିଶା ଖଦି ମେଳା – ୨୦୨୬ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିବା ସହ ସେ କହିଥିଲେ, ଦାରିଦ୍ର‌୍ୟ ଦୂରୀକରଣରେ ଖଦି ଓ ଗ୍ରାମୋଦ୍ୟୋଗର ପ୍ରମୁଖ ଭୂମିକା ରହିଛି ।

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ରଶ୍ମିତା ପଣ୍ଡା ପ୍ରାରମ୍ଭିକ ଅଭିଭାଷଣରେ କହିଥିଲେ, ଗୋଟିଏ ସ୍ଥାନରେ ଖଦି ଉତ୍ପାଦକୁ ପ୍ରଦର୍ଶିତ କରିବା ସହ ବୁଣାକାର ଓ ଗ୍ରାମୋଦ୍ୟୋଗ କାରିଗରମାନଙ୍କ ଆର୍ଥିକ ଉନ୍ନତି ପାଇଁ ବାଣିଜ୍ୟିକ ଆଭିମୁଖ୍ୟକୁ ତ୍ୱରାନ୍ୱିତ କରିବା ହେଉଛି ଏହି ମେଳାର ମୂଳଲକ୍ଷ୍ୟ । ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଦ୍ୱାରା ଆୟୋଜିତ ଏହି ମେଳା ୨୩ ରୁ ୨୯ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲୁ ରହିବ । ପ୍ରତ୍ୟେକ ଦିନ ଦିବା ୩ ଘଟିକାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଷ୍ଟଲ ଖୋଲା ରହିବ ।  ଯୁବପିଢିଙ୍କୁ ଆକୃଷ୍ଟ କରିବା ପାଇଁ ଲାଇଭ୍ ଡେମନଷ୍ଟ୍ରେସନର ବ୍ୟବସ୍ଥା ହୋଇଛି ।

ଏହି ମେଳାରେ ଖଦି ବସ୍ତ୍ର, ଶାଢି, ଶାଲ, ଜ୍ୟାକେଟ, ଗ୍ରାମୋଦ୍ୟୋଗ ସାମଗ୍ରୀ ଆଦି ବିକ୍ରି ହେବ । ଚଳିତଥର ମୋଟ୍ ୭୫ଟି ଷ୍ଟଲ୍ ଖୋଲାଯାଇଛି । ଓଡ଼ିଶା ସହ ତେଲେଙ୍ଗାନା, ପଶ୍ଚିମବଙ୍ଗ, ଛତିଶଗଡ଼, ମଧ୍ୟପ୍ରଦେଶ, ବିହାର, ଆନ୍ଧ୍ରପ୍ରଦେଶ ରାଜ୍ୟର ବୁଣାକାର ଓ ଗ୍ରାମୋଦ୍ୟୋଗ କାରିଗରମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି ।  ପାରମ୍ପରିକ ଖାଦ୍ୟ ସହ ପ୍ରତି ସଂଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ଏହି ଉଦଘାଟନୀ ଉତ୍ସବରେ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ର ସଦସ୍ୟା ଡକ୍ଟର ଅରୁନ୍ଧତୀ ଦେବୀ, ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ର ସଚିବ ସଞ୍ଜୟ କୁମାର ମିଶ୍ର, ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗର ରାଜ୍ୟ ନିର୍ଦ୍ଦେଶକ ସୁଭାଷ ଛେତ୍ରୀ, ଯୁଗ୍ମ ସଚିବ ପ୍ରଫୁଲ୍ଲ କୁଜୁର, ବିତ୍ତ ପରାମର୍ଶଦାତା ଚନ୍ଦ୍ରହାସ୍ୟ ନାୟକ ପ୍ରମୁଖ  ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *