ଭୁବନେଶ୍ୱର,୨୮/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କେ-୧ ଜେମ୍ସ ସିୟାରାମ ଟ୍ରଷ୍ଟଙ୍କ ପକ୍ଷରୁ କେ-୧ ଜେମ୍ସ ପାର୍କ ପରିସରରେ ନବନିର୍ମିତ ହନୁମାନ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଅବସରରେ ଆୟୋଜିତ ଚାରିଦିନିଆ ଧାର୍ମିକ ମହୋତ୍ସବ ଅତ୍ୟନ୍ତ ଭକ୍ତିମୟ ପରିବେଶରେ ଭବ୍ୟ ଭାବେ ସମାପ୍ତ ହୋଇଛି। ଏହି ପବିତ୍ର ଉତ୍ସବଟି ୨୭ ମାର୍ଚ୍ଚ ୨୦୨୬, ପବିତ୍ର ରାମ ନବମୀ ଅବସରରେ ପ୍ରାଣ ପ୍ରତିଷ୍ଠା ପୂର୍ଣ୍ଣାହୁତି ସହ ଶୁଭ ସମାପ୍ତି ପାଇଛି।
ଏହି ଚାରିଦିନିଆ କାର୍ୟ୍ୟକ୍ରମର ଆରମ୍ଭ ୨୪ ମାର୍ଚ୍ଚ ତାରିଖରେ ଅଙ୍କୁର ରୋପଣ ଆଚାର ସହ ହୋଇଥିଲା। ୨୫ ମାର୍ଚ୍ଚ ଦିନ କଳସ ଯାତ୍ରା, ସୂର୍ୟ୍ୟ ପୂଜା, ଗୋ ପୂଜା, ଶାଳା ପ୍ରବେଶ, ଅଗ୍ନି ସ୍ଥାପନ ଇତ୍ୟାଦି ବିଭିନ୍ନ ବେ÷ଦିକ ଆଚାର ବିଧି ଭକ୍ତିଭାବରେ ପାଳନ କରାଯାଇଥିଲା।
୨୬ ମାର୍ଚ୍ଚ ଦିନ ମନ୍ଦିର ପ୍ରତିଷ୍ଠା, ତ୍ରିଶୂଳ ଓ କଳସ ପ୍ରତିଷ୍ଠା, ଏବଂ ହୋମ ଓ ଆହୁତି ସମ୍ପନ୍ନ ହୋଇଥିଲା। ଶେଷ ଦିନ ୨୭ ମାର୍ଚ୍ଚରେ ସୂର୍ୟ୍ୟ ପୂଜା, ଶ୍ରୀରାମ ପୂଜା ଏବଂ ପ୍ରାଣ ପ୍ରତିଷ୍ଠା ପୂର୍ଣ୍ଣାହୁତି ଶାସ୍ତ୍ରୋକ୍ତ ଭାବେ ସଫଳତାର ସହିତ ସମ୍ପନ୍ନ ହୋଇଥିଲା।
ପ୍ରତିଦିନ ଭକ୍ତମାନଙ୍କ ପାଇଁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା ଏବଂ ଶେଷ ଦିନ ନିକଟତମ ବିଭିନ୍ନ ପ୍ରାନ୍ତ ଯଥା କେ -୧ , କେ -୮, ନୂଆଗାଁ ଇତ୍ୟାଦି ରୁ ପ୍ରାୟ ୧୨୦୦ରୁ ଅଧିକ ଭକ୍ତମାନେ ଯୋଗଦେଇ ଦେବଦର୍ଶନ କରିଥିଲେ।
ଏହି ମହୋତ୍ସବର ଏକ ବିଶେଷ ଆକର୍ଷଣ ଥିଲା ଭଜନ ସନ୍ଧ୍ୟା କାର୍ୟ୍ୟକ୍ରମ। ଓଡିଶା ସଙ୍ଗୀତ ମଞ୍ଚ ପକ୍ଷରୁ ଆୟୋଜିତ ଏହି ଭକ୍ତିମୟ ସଙ୍ଗୀତାନୁଷ୍ଠାନ ଶ୍ରୀ ରାଜକିଶୋର ଗୋଚ୍ଛାୟତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହ ରେ ବିଭିନ୍ନ ବିଶିଷ୍ଟ ଗାୟକ ଗାୟିକାଙ୍କ ସହିତ ଆକାଶବାଣୀ ଓ ଦୂରଦର୍ଶନର ପ୍ରଖ୍ୟାତ ଶିଳ୍ପୀ ଡ଼ଃ ଗୀତା ମଞ୍ଜରୀ ବେହେରା ତାଙ୍କ ମଧୁର କଣ୍ଠରେ ଅନେକ ଭକ୍ତିମୟ ଗୀତ ପ୍ରସ୍ତୁତ କରି ଉପସ୍ଥିତ ଭକ୍ତମାନଙ୍କୁ ମନୋମୁଗ୍ଧ କରିଥିଲେ ଓ ସମଗ୍ର ପରିବେଶକୁ ଆଧ୍ୟାତ୍ମିକ ଭାବେ ମଧୁର କରିଦେଇଥିଲେ।
ଏହି ମହୋତ୍ସବର ସଫଳ ଆୟୋଜନ ପାଇଁ ସ୍ଥାନୀୟ କେ -୧ ଅଞ୍ଚଳର ସମସ୍ତ ବାସିନ୍ଦାଙ୍କ ନିରନ୍ତର ସହଯୋଗ, ସମର୍ପଣ ଓ ସକ୍ରିୟ ଅଂଶଗ୍ରହଣ ଅତ୍ୟନ୍ତ ପ୍ରଶଂସନୀୟ ତଥା ଅନ୍ୟାନ୍ୟ ସମସ୍ତ ସହଯୋଗୀଙ୍କ ଅବଦାନ ଏହି କାର୍ୟ୍ୟକ୍ରମକୁ ସଫଳ କରିବାରେ ମୂଳ ଭୂମିକା ନେଇଛି।
ଏହି ପବିତ୍ର ଅବସର କେବଳ ଧାର୍ମିକ କାର୍ୟ୍ୟକ୍ରମ ନୁହେଁ, ବରଂ ସାମୁହିକ ଏକତା, ଭକ୍ତିଭାବ ଓ ସମାଜିକ ସମନ୍ୱୟର ଏକ ଉତ୍କୃଷ୍ଟ ଉଦାହରଣ ରୂପେ ପ୍ରତିଷ୍ଠିତ ହୋଇଛି। ଆଗାମୀ ଦିନରେ ମଧ୍ୟ ଏପରି ଧାର୍ମିକ ଓ ସାମାଜିକ କାର୍ୟ୍ୟକ୍ରମ ଆୟୋଜନ କରିବାକୁ ଟ୍ରଷ୍ଟ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି।ଏହି ମନ୍ଦିର ଆଗାମୀ ଦିନରେ କେବଳ ପୂଜାର ସ୍ଥଳ ହେବ ନୁହେଁ, ବରଂ ଆମ ସମାଜର ଆଧ୍ୟାତ୍ମିକ, ସାମାଜିକ ଓ ସାଂସ୍କୃତିକ କେନ୍ଦ୍ର ଭାବେ ଉନ୍ନତି କରିବ।
ଏଠାରେ ଏକ ସୁବିଧାସମ୍ପନ୍ନ କମୁନିଟି ହଲ ର ନିର୍ମାଣ,ଏକ ସୁନ୍ଦର ଓ ସୁସଜ୍ଜିତ ପାର୍କ ସହ ଖୋଲା ଜିମ ସୁବିଧା ଏବଂ ନିକଟସ୍ଥ ଖାଲି ଜମିରେ ଏକ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ ନିମନ୍ତେ ଟ୍ରଷ୍ଟ ସମିତି ପକ୍ଷରୁ ପ୍ରସ୍ତାବ ରଖାଯାଇଛି ଏବଂ ଏହି ସମସ୍ତ ପ୍ରୟାସ ପାଇଁ ସରକାର, ବିଏମସି ଓ ମାନ୍ୟବର ଲୋକପ୍ରତିନିଧିଙ୍କର ସହଯୋଗ ଓ ମାର୍ଗଦର୍ଶନ ପାଇଁ ଅଞ୍ଚଳବାସୀ ଆଶାବାଦୀ ଅଛନ୍ତି ।
