ନାବାଳିକା ଦୁଷ୍କର୍ମ ମାମଲା, ଆସାମୀକୁ ୨୦ବର୍ଷ ଜେଲଦଣ୍ଡ

କେନ୍ଦ୍ରାପଡ଼ା, ୧୮/୦୩/୨୦୨୬ (ଓଡ଼ିଶା ସମାଚାର)- ନାବାଳିକା ଅପହରଣ ଓ ବଳାକ୍ରାର ମାମଲାର ବିଚାର କରି କେନ୍ଦ୍ରାପଡ଼ା ଅତିରିକ୍ତ ଜିଲା ଦୌରାଜଜ ଆସାମୀ ପିତାମ୍ବର ମଳିକଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜେଲ ଦଣ୍ଡ ସହ ଆସାମୀକୁ ୫୦ ହଜାର ଟଙ୍କାର ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ଅର୍ଥ ଅନାଦେୟ ଅଭିଯୁକ୍ତ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେବ ବୋଲି ବିଚାରପତି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ, ୨୦୨୪ ମସିହା ଜାନୁୟାରୀ ୨୯ ତାରିଖରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିନ ଜଣେ ନାବାଳିକା ଘର ନିକଟରେ ବାସନ ମାଜୁଥିବା ବେଳେ ପିତାମ୍ବର ମଳିକ ନାବାଳିକାଙ୍କ ମୁହଁରେ ଏକ ଗାମୁଛା ଦେଇ ତାଙ୍କୁ ଅପହରଣ କରି ନେଇଥିଲେ । ଏକ ବାଉଁଶ ବୁଦା ମୂଳରେ ତାଙ୍କୁ ଦୁଷ୍କର୍ମ କରିଥିଲେ । ନାବାଳିକା ଜଣକ ଏ କଥା କାହାକୁ କହିଲେ ତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଜୀବନରୁ ମାରିଦେବ ବୋଲି ଅଭିଯୁକ୍ତ ଧମକ ଦେଇଥିଲା ।

ଫଳରେ ନାବାଳିକା ଜଣକ ଭୟରେ କାହାକୁ ଏ କଥା କହି ନଥିଲେ । ହେଲେ କିଛି ଦିନ ପରେ ତାଙ୍କ ବ୍ୟବହାରରେ ପରିବର୍ତନ ହେବା ଦେଖି ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା । ଫଳରେ ପରିବାର ଲୋକେ ନାବାଳିକାକୁ ଡାକ୍ତରଖାନା ନେଇ ଡାକ୍ତରଙ୍କୁ ଦେଖାଇଥିଲେ । ଡାକ୍ତରଖାନାରେ ପରୀକ୍ଷାରୁ ଜଣାପଡିଥିଲା ଯେ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଛନ୍ତି । ଏ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୋଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ୨୦୨୫ ମସିହା ଏପ୍ରିଲ ୩୦ ତାରିଖରେ ପୋଲିସ ଅଭିଯୋଗଫର୍ଦ୍ଧ କୋର୍ଟରେ ଦାଖଲ କରିବା ପରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ପୋକସୋ କୋର୍ଟର ଅତିରିକ୍ତ ଜିଲାଜଜ ପ୍ରଜ୍ଞା ପରମିତା ରାଉଳ ଆସାମୀ ବିରୋଧରେ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ସେହିପରି ନାବାଳିକାଙ୍କ ପରିବାରକୁ ୮ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବା ପାଇଁ ଜଜ୍ ଜିଲା ଆଇନ୍ ସେବା ପ୍ରାଧିକରଣକୁ ନିର୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ନେହେରୁ କୁମାର ସାହୁ କୋର୍ଟରେ ମାମଲା ପରିଚାଳନା କରୁଥିଲେ ।

Leave a Reply

Your email address will not be published. Required fields are marked *