କେନ୍ଦ୍ରାପଡ଼ା,୧୮/୦୩/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ବରିଷ୍ଠ ନାଗରିକ ମଂଚର ସପ୍ତମ ବାର୍ଷିକ ଉତ୍ସବ ମାଧପୁରସ୍ଥିତ ଅମରଉଦ୍ୟାନରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ମଂଚର ସଭାପତି ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲାପାଳ ରଘୁରାମ ଆର.ଆୟର ଯୋଗଦେଇ କହିଲେ ବରିଷ୍ଠ ନାଗରିକମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯାଉଛି ଓ ଆଗକୁ ମଧ୍ୟ କରାଯିବ । ଏହି ଅବସରରେ ଜିଲାପାଳ ଆସନ୍ତା ଅପ୍ରେଲମାସରୁ ଆରମ୍ଭ ହେବାକୁ ଯାଉଥିବା ଜନଗଣନା କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କୁ ସଠିକ ତଥ୍ୟ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । ଫଳରେ ଦେଶର ଯୋଜନା ପ୍ରସ୍ତୁତ କ୍ଷେତ୍ରରେ ଏହା ସହାୟକ ହୋଇପାରିବ । ଏଥିସହିତ ଆସନ୍ତା ଫେବୃୟାରୀମାସରୁ ଆରମ୍ଭ ହେବାକୁ ଯାଉଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟରେ ବୁଥ ଲେଭଲ ଅଧିକାରୀମାନଙ୍କୁ ସହଯୋଗ କରିବାକୁ ପରାମର୍ଶ ଦେବା ସହ ବରିଷ୍ଠ ନାଗରିକମାନେ ସ୍ୱାସ୍ଥ୍ୟରକ୍ଷା ନିମନ୍ତେ ଯୋଗ ଓ ପ୍ରାଣାୟମ କରିବାକୁ ପରାମର୍ଶ ଦେଇଥିଲେ ।
ମୁଖ୍ୟବକ୍ତା ଭାବେ ଓଡିଶା ରାଜ୍ୟ ବରିଷ୍ଠ ନାଗରିକ ମହାସଂଘର ମହାସଚିବ ଡକ୍ଟର ଯୁଗଳ କିଶୋର ସାହୁ ଯୋଗଦେଇ କହିଲେ ବରିଷ୍ଠ ନାଗରିକମାନେ କର୍ମତତ୍ପର ରହିଲେ ସୁସ୍ଥ ଭାବରେ ବଂଚିପାରିବେ । ଜଣେ ବରିଷ୍ଠ ନାଗରିକଙ୍କ ପ୍ରତି ସମାଜର ମଧ୍ୟ କର୍ତବ୍ୟ ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ । ବିଶିଷ୍ଟ ଅତିଥି ଭାବେ ପୌରାଧ୍ୟକ୍ଷା ସରିତା ସାହୁ କହିଲେ ବରିଷ୍ଠ ନାଗରିକମାନଙ୍କ ପାଇଁ ନସଡିପୁର ଠାରେ ଏକ ଗୋଷ୍ଠୀକେନ୍ଦ୍ର ଓ ପାଠାଗାର ନିର୍ମାଣ ହେବାକୁ ଯାଉଛି ଆସନ୍ତା ବର୍ଷ ସେହି ଗୃହରେ ବରିଷ୍ଠ ନାଗରିକ ମଂଚ ବାର୍ଷିକ ଉତ୍ସବ ପାଳନ କରିବ । ବିଶିଷ୍ଟ ଅତିଥି ଭାବେ ଅତିରିକ୍ତ ଏସପି ସୁଧାକର ସାହୁ ସାଇବର ସୁରକ୍ଷା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ସମ୍ମାନିତ ଅତିଥି ଭାବେ ହାଇଟେକ ମେଡିକାଲ କଲେଜର ହୃଦ୍ରୋଗ ବିଶେଷଜ୍ଞ ଡା. ରିତେଶ ଆଚାର୍ଯ୍ୟ ଯୋଗଦେଇ ରକ୍ତଚାପ, ମଧୁମେହ, ହୃଦରୋଗ ପ୍ରଭୃତି ରୋଗର କାରଣ ଓ ପ୍ରତିକାର ସମ୍ପର୍କରେ ପରାମର୍ଶ ଦେଇଥିଲେ । ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା ବରିଷ୍ଠ ନାଗରିକମାନଙ୍କ ପାଇଁ ଥିବା ସରକାରଙ୍କ ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା କରିଥିଲେ । ମଂଚର ସାଧାରଣ ସମ୍ପାଦକ ନରୋତମ ଜେନା ସମ୍ପାଦକୀୟ ଓ ବାର୍ଷିକ ବିବରଣୀ ପାଠ କରିଥିଲେ । ମଂଚର ଯୁଗ୍ମ ସମ୍ପାଦକ ଅକ୍ଷୟ କୁମାର ନାୟକ ଅତିଥି ପରିଚୟ ପ୍ରଦାନ, କାର୍ଯ୍ୟକାରୀ ସଭାପତି ଫକୀର ଚରଣ ଖଟୁଆ ସ୍ୱାଗତ ଭାଷଣ ଓ ଉପସଭାପତି ସୟଦ ଅକମଲ ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ । ଡାକ୍ତର ବିଶ୍ୱପ୍ରକାଶ କାନୁନଗୋ,ଡା. ଶରତ ଚନ୍ଦ୍ର ସ୍ୱାଇ, ଡିସିବି ବ୍ୟାଙ୍କର ମୁକ୍ତିକାନ୍ତ ବେହେରା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡା.ନିରଞ୍ଜନ ପରିଡା, ମହାକାଳପଡା ବିକାଶ ମଂଚର ସଭାପତି କାଶିନାଥ ରାଉତରାୟ,ବୈଷ୍ଣବ ପ୍ରଧାନ, ମନୋଜ କୁମାର ମହାନ୍ତି, ନୃସିଂହ ଚରଣ ତ୍ରିପାଠୀ, ପରମାନନ୍ଦ ସେଠୀ ପ୍ରମୁଖ ଶତାଧିକ ମଂଚର ସଦସ୍ୟମାନେ ଉପସ୍ଥିତ ଥିଲେ ।
