ଷଷ୍ଠ ଜିଲା ପରିଷଦର ଚତୁର୍ଥ ସାଧାରଣ ବୈଠକ ଅନୁଷ୍ଠିତ ।

ଯାଜପୁର, ୩୧/୦୧/୨୦୨୪ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ଜିଲା ପରିଷଦ ସ୍ୱ ରୋଜଗାରୀ ପ୍ରଶିକ୍ଷଣ କେନ୍ଦ୍ର ଗୃହରେ ଜିଲା ପରିଷଦ ସଭାପତି ଶ୍ରୀମତୀ ନଳିନୀ ପ୍ରଭା ଜେନାଙ୍କ ଅଧ୍ୟକ୍ଷତା ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ବେହୁରିଆଙ୍କ ସଭାପତିତ୍ୱରେ ଷଷ୍ଠ ଜିଲା ପରିଷଦର ଚତୁର୍ଥ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି ।  ଊକ୍ତ ବୈଠକରେ ଜିଲା ପରିଷଦ ଉପ-ସଭାପତି ଶ୍ରୀ  ଗଣେଶ୍ୱର ବରାଳ, ଭାରପ୍ରାପ୍ତ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ ଯୋଗ ଦେଇଥିଲେ ।

      ବୈଠକ ପ୍ରାରମ୍ଭରେ ଯାଜପୁର ଜିଲାର ଶତାୟୁ ବର୍ଷୀୟାନ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନୀଳମଣି ସାମଲଙ୍କ ସ୍ମୃତି ଊଦ୍ଧେଶ୍ୟରେ ୨ ମିନିଟ୍ ନୀରବ ପ୍ରାର୍ଥନା  କରାଯାଇଥିଲା ।

      ପ୍ରଥମ କାର୍ଯ୍ୟସୂଚୀ ଅନୁଯାୟୀ ଷଷ୍ଠ ଜିଲା ପରିଷଦର ତୃତୀୟ ସାଧାରଣ ବୈଠକର ଲିପିବଦ୍ଧ ବିବରଣୀକୁ ଆଲୋଚନା ପୂର୍ବକ ଏହାକୁ ଦୃଢୀକରଣ କରାଯାଇଥିଲା ।  ଆଜିର ବୈଠକ ଦ୍ୱିତୀୟ କାର୍ଯ୍ୟସୂଚୀ ଅନୁଯାୟୀ ଆମ ଓଡିଶା ନବୀନ ଓଡିଶା ସମ୍ୱନ୍ଧୀୟ ଆଲୋଚନା ପୂର୍ବକ ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ରେ ଆମ ଓଡିଶା ନବୀନ ଓଡିଶା ଯୋଜନା ମାଧ୍ୟମରେ ପ୍ରତ୍ୟେକ ପଂଚାୟତକୁ ୫୦ ଲକ୍ଷ ଟଙ୍କା ହିସାବରେ ରାଜ୍ୟ ସରକାରଙ୍କ ତରଫରୁ ମୋଟ ୪୧୦୯ ଟି ପ୍ରକଳ୍ପ ନିମନ୍ତେ ୧୫୫ କୋଟି ୫୦ ଲକ୍ଷ ଟଙ୍କା ମଂଜୁର ହୋଇଅଛି ।  ତନ୍ମଧ୍ୟରୁ ୫୭ ଟି  ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ବେଳେ ୨୩୭୫ ଟି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି ଓ ଅବଶିଷ୍ଟ ପ୍ରକଳ୍ପ କାର୍ଯ୍ୟ ଖୁବ୍ ଶିଘ୍ର ଆରମ୍ଭ ହେବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ସୂଚନା ଦେଇଥିଲେ ।  ଆମ ଓଡିଶା ନବୀନ  ଓଡିଶା ଯୋଜନାର ଲକ୍ଷ୍ମୀ ବସ୍ ସେବା ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ବୋଲି ଭାରପ୍ରାପ୍ତ ଜିଲାପାଳ ଶ୍ରୀ ସାମଲ ମତବ୍ୟକ୍ତ କରିଥିଲେ ।  ଏହି ଯୋଜନାରେ ଜିଲାରେ ମୋଟ୍ ୨୬୬ ଟି ବସ୍ ଷ୍ଟପ୍ ହେବାର ଯୋଜନା ରହିଛି ।

ତୃତୀୟ କାର୍ଯ୍ୟସୂଚୀରେ ଓଡିଶା ଜୀବିକା ମିଶନ ସମ୍ୱନ୍ଧୀୟ ଆଲୋଚନା  ପୂର୍ବକ ଓଡିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ଅଧିନରେ ଓଡିଶା ଜୀବିକା ମିଶନ କାର୍ଯ୍ୟ କରୁଅଛି ।  ଓଡିଶା ଜୀବିକା ମିଶନ ଅଧିନରେ ସାମାଜିକ ଅନ୍ତର୍ଭୁକ୍ତିକରଣ (ସ୍ୱୟଂ ସହାୟକ ଗୋଷ୍ଠୀ/ଆଂଚଳିକ ମଂଚ /ଗ୍ରାମ ପଂଚାୟତ ସ୍ତରୀୟ ସଂଘ ଇତ୍ୟାଦି ଗଠନ), ଆର୍ଥିକ ଅନ୍ତର୍ଭୁକ୍ତିକରଣ (ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ବ୍ୟାଙ୍କ ସହିତ ସଂଯୋଗୀକରଣ, ବ୍ୟାଙ୍କ ଋଣ ପ୍ରଦାନ ଏବଂ ଅନ୍ୟାନ୍ୟ ଆର୍ଥକ ସହାୟତା ପ୍ରଦାନ) ଏବଂ ଅର୍ଥନୈତିକ ଅନ୍ତର୍ଭୁକ୍ତିକରଣ (ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଦକ୍ଷତା ବୃଦ୍ଧି ଓ ଜୀବିକା ବିକାଶ କାର୍ଯ୍ୟକ୍ରମ) ଆଦି  କାର୍ଯ୍ୟକ୍ରମ କରାଯାଉଅଛି ।  ଯାଜପୁର ଜିଲାର ୧୦ ଗୋଟି ବ୍ଳକରେ ମୋଟ ୨୫୮୦୨ ଗୋଟି ସକ୍ରିୟ ସ୍ୱୟଂ ସହାୟକ ଗୋଷ୍ଠୀ, ୨୦୪୯ ଆଂଚଳିକ ମଂଚ ଏବଂ ୩୧୧ ଗୋଟି ଗ୍ରାମ ପଂଚାୟତ ସ୍ତରୀୟ ସଂଘ ଅଛନ୍ତି ।  ଏଯାବତ୍ ୨୦୦୨୪ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ୧୫୦୦୦ ଟଙ୍କାର ଆବର୍ତନ ପାଣ୍ଠି ଯୋଗାଇ ଦିଆଯାଇଛି, ୧୧୭୮ ଟି ଆଂଚଳିକ ମଂଚକୁ ଟ. ୧,୫୦,୦୦୦/- ର ନିଃସହାୟ ଦୂରୀକରଣ ପାଣ୍ଠି ଯୋଗାଇ ଦିଆଯାଇଛି, ୩୧୦ ଟି ଗ୍ରାମ ପଂଚାୟତ ସ୍ତରୀୟ ସଂଘକୁ ପ୍ରାରମ୍ଭିକ ରାଶି (ଆସବାବପତ୍ର ଓ ଅନ୍ୟାନ୍ୟ ଅଫିସ ସାମଗ୍ରୀ) ଏବଂ ଆନୁଷ୍ଠାନିକ ବିକାଶ ପାଣ୍ଠି (ତାଲିମ ଏବଂ ଗୋଷ୍ଠୀ ସହାୟିକା ମାନଙ୍କ ପାରିଶ୍ରମିକ) ଯୋଗାଇ ଦିଆଯିବା ସହିତ ୨୫୬ ଗୋଟି ଗ୍ରାମ ପଂଚାୟତ ସ୍ତରୀୟ ସଂଘକୁ ୧୫-୨୫ ଲକ୍ଷ ଟଙ୍କା ର ଗୋଷ୍ଠୀ ବିନିଯୋଗ ପାଣ୍ଠି (ସି.ଆଇ.ଏଫ.) ଯୋଗାଇ ଦିଆଯାଇଅଛିା ଏହାବାଦ୍ ମିଶନ ଶକ୍ତି ଯୋଜନା ମାଧ୍ୟମରେ ଓଡିଶା ଜୀବିକା ମିଶନ ରୁ ପ୍ରଦାନ କରାଯାଇ ନ ଥିବା ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ମଧ୍ୟ ଆବର୍ତନ ପାଣ୍ଠି ପ୍ରଦାନ କରାଯାଇଛି ।  ଯାଜପୁର ଜିଲାରେ ମୋଟ ୨୪୨ ଜଣ ନଥି ପତ୍ର ପରିଚାଳିକା (ଏମ୍.ବି.କେ.), ୧୬୯୬ ଜଣ ଗୋଷ୍ଠୀ ସହାୟିକା (ସି.ଆର୍.ପି.), ୧୦୬ ଜଣ ବ୍ୟାଙ୍କ ମିତ୍ର, ୪୫ ଜଣ କୃଷି ମିତ୍ର, ୨୮ ଜଣ ପ୍ରାଣୀ ମିତ୍ର ଏବଂ ୮ ଜଣ ବାହ୍ୟ ଜୀବିକା ସହଯୋଗୀ (ଇ.ଏଲ୍.ଏସ୍.ପି.) କାର୍ଯ୍ୟ କରୁଛନ୍ତି ।  ଗତ ଆର୍ଥିକ ବର୍ଷରେ (୨୦୨୨-୨୩) ୧୬୪୦୧ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ୫୦୪ କୋଟି ଟଙ୍କାର ଋଣ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା ଏବଂ ଚଳିତ ଆର୍ଥିକ ବର୍ଷରେ (ଜାନୁୟାରୀ ୨୦ ତାରିଖ ସୁଦ୍ଧା) ୧୭୦୪୭ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ୭୦୬ କୋଟି ଟଙ୍କାର ଋଣ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି ।  ଏତଦ୍ ବ୍ୟତୀତ ମିଶନ ଶକ୍ତି ବିଭାଗ  ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବିଭିନ୍ନ ବିଭାଗ ସହିତ ସଂଯୋଗ କରାଯାଇ ଆର୍ଥିକ ଅନୁଦାନ ମାଧ୍ୟମରେ ବିଭିନ୍ନ ପଶୁପାଳନ, ମତ୍ସ୍ୟ ଚାଷ, କୁକୁଡା/ବତକ ପାଳନ, ପରିବା ଚାଷ, ଛତୁ ଚାଷ, ପୁଂଲ ଚାଷ ଏବଂ ମହୁ ଚାଷ କରାଯାଇ ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟା ମାନଙ୍କର ଆର୍ଥିକ ଉନ୍ନତି କରାଯାଇପାରିଛି ।  ଜିଲାରେ ମୋଟ୍ ୯୪ ଗୋଟି ଉତ୍ପାଦିକା ଗୋଷ୍ଠୀ ଗଠନ କରାଯାଇ (ଟସର, ଟେରାକୋଟା, ଆପାରେଲ୍, ସପଂ୍ଟ ଖେଳଣା, ବାଉଁଶ, କାଗଜ ପ୍ଳେଟ୍, ପଥର କାର୍ଯ୍ୟ, ଝୋଟ, ଟେଲରିଂ, ଗୋଲଡେନ୍ ଗ୍ରାସ୍ ଇତ୍ୟାଦି) ସେମାନଙ୍କୁ ତାଲିମ ଏବଂ ଯନ୍ତ୍ରାଂଶ କ୍ରୟ ନିମନ୍ତେ ଅନୁଦାନ ପ୍ରଦାନ କରାଯାଇଛି ।

ଚତୁର୍ଥ କାର୍ଯ୍ୟସୂଚୀରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚତ କର୍ମ ନିଯୁକ୍ତି ଯୋଜନା ସମନ୍ଧୀୟ ଆଲୋଚନା ପୂର୍ବକ ୨୦୨୩-୨୪ ଆର୍ଥିକ ବର୍ଷରେ ଅଦ୍ୟାବଧି ୨୧୫୫୬୫ ଟି ପରିବାରକୁ କାର୍ଯ୍ୟପତ୍ର ପ୍ରଦାନ କରାଯାଇଛି ଏବଂ ୯୮୦୧୧ ଟି ପରିବାରକୁ କାର୍ଯ୍ୟ ଯୋଗାଇ ଦିଆଯାଇଛି ।  ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାରେ ଅଙ୍ଗନୱାଡି, ଫାର୍ମ ପଣ୍ଡ, ଜଳ ଅମଳ ପ୍ରକଳ୍ପ, ଖେଳ ପଡିଆ, ଜମି  ସମତଳ,  ପୋଖରୀ ଖନନ ଓ ପୁନଃଉଦ୍ଧାର, ବୃକ୍ଷ  ରୋପଣ, ରାସ୍ତା ନିର୍ମାଣ, ଗ୍ରାମୀଣ ବାସ ଗୃହ ଇତ୍ୟାଦି ୨୭୯୩୬ ଟି ପ୍ରକଳ୍ପ ହାତକୁ ନିଆଯାଇଛି ଓ ସେଥି  ମଧ୍ୟରୁ ୧୩୭୨୧ ଟି ପ୍ରକଳ୍ପ ସଂପୂର୍ଣ୍ଣ  କରାଯାଇଛି ।  ଏହି ଯୋଜନାରେ ଚଳିତ ଆର୍ଥିକ ବର୍ଷ ପାଇଁ ମୋଟ ୧୦୪ କୋଟି ୯୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ସ୍ଥଳେ ଅଦ୍ୟାବଧି ୧୧୧ କୋଟି ୨୪ ଲକ୍ଷ ୬୯ ହଜାର ଟଙ୍କା ବ୍ୟୟ କରାଯାଇଛି ଏବଂ ୨୫୦୬୮୬୨ ଟି ଶ୍ରମ ଦିବସ ସୃଷ୍ଟିକରିବା ଲକ୍ଷ୍ୟଧାର୍ଯ୍ୟ ଥିବା ସ୍ଥଳେ ୪୨୪୫୧୧୩ ଟି ଶ୍ରମ ଦିବସ ସୃଷ୍ଟି କରାଯାଇପାରିଛି ଏବଂ ୨୪୦୮ ପରିବାରକô ୧୦୦ ଦିନର କାର୍ଯ୍ୟ ଯୋଗାଇ ଦିଆଯାଇଛି ।

ଜିଲା ପରିଷଦର ନୂତନ ଗୃହ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ୨ କୋଟି ଟଙ୍କା ମଂଜୁର ହୋଇଛି ବୋଲି ଜିଲା ପରିଷଦ ଉପ-ସଭାପତି ଶ୍ରୀ ଗଣେଶ୍ୱର ବରାଳ ସୂଚନା ଦେଇଥିଲେ । ଏହି ସୂଚନା ପାଇବା ପରେ ସମସ୍ତ ଜଲା ପରିଷଦ ଜୋନ୍ ର ସଦସ୍ୟ/ସଦସ୍ୟା ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା ।  ଏହି ନୂତନ ଗୃହଟି ଖୁବ୍ ଶିଘ୍ର ଆରମ୍ଭ କରାଯିବ ବୋଲି ଜିଲା ପରିଷଦ ଉପସଭାପତି ଶ୍ରୀ ବରାଳ ପ୍ରକାଶ କରିଥିଲେ ।   ଭିନ୍ନ ଭିନ୍ନ ଜୋନ୍ ର ଜିଲା ପରିଷଦ ସଦସ୍ୟମାନେ ବିଭିନ୍ନ ପଂଚାୟତ କୁ ଯଥା- କରଦା, ବିଚିତ୍ରପୁର, ଯାହାନପୁର, ମାଳ ଆନନ୍ଦପୁର, ଅକରପଡା, ବିରଜାପୁର ଓ ତଳିହା ପଂଚାୟତ ଗୁଡିକୁ ଯଯାତି ନଗର ମୁନିିସିପାଲିଟି ରେ ଯୋଗ କରିବା ପାଇଁ  ପ୍ରସ୍ତାବ ରଖିଥିଲେ । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ଜିଲା ପରିଷଦ ଜୋନର ସଦସ୍ୟ/ସଦସ୍ୟା, ସମସ୍ତ ପଂଚାୟତ ସମିତିର ଅଧ୍ୟକ୍ଷ/ଅଧ୍ୟକ୍ଷା, ବିଭିନ୍ନ ବିଭାଗୀୟ ଅଧିକାରୀ ବୃନ୍ଦ ଏବଂ ଲାଇନ୍ ଡିପାର୍ଟମେଣ୍ଟର ଅଧିକ୍ଷଣ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *