ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ସତ୍ୟନଗର ଲେଡ଼ିଜ୍ ଫୋରମ୍ ତରଫରୁ“ ଅଭିରୁଚି ନାରୀ ପ୍ରତିଭା ସମ୍ମାନ – ୨୦୨୬”

ଭୁବନେଶ୍ୱର,୧୬/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସ୍ଥାନୀୟ ବୁଦ୍ଧ ମନ୍ଦିର ପ୍ରେକ୍ଷାୟଳରେ ଫୋରମ୍ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ଓ ଅଭିରୁଚି ନାରୀ ପ୍ରତିଭା ସମ୍ମାନ- ୨୦୨୬ ସମ୍ପାଦିକା ଅନୁରାଧା ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ୟ୍ୟକ୍ରମରେ ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋଷ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନନୀୟ ଅତିଥି ଭାବେ ସୁଲେଖିକା ତଥା କାଦମ୍ବିନୀର ସମ୍ପାଦିକା ଶ୍ରୀମତୀ ଇତି ସାମନ୍ତ, ସମ୍ ହସ୍ପିଟାଲର ପ୍ରଫେସର ଡାକ୍ତର ଶ୍ରୀମତୀ ବନାନୀ ଜେନା ଏବଂ ବିଜୁ ଜନତା ଦଳର ରାଜ୍ୟ ମୁଖପାତ୍ର ଡ. ଲେଖାଶ୍ରୀ ସାମନ୍ତସିଂହାର ଯୋଗଦେଇଥିଲେ ।

ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉକ୍ତ କାର୍ୟ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ । ଅତିଥିମାନେ ଫୋରମ୍ ର ଦୀର୍ଘଦିନ ଧରି ସମ୍ପାଦନ କରି ଆସୁଥିବା ସମାଜସେବା କାର୍ୟ୍ୟକ୍ରମଗୁଡ଼ିକୁ ଭୂୟସୀ ପ୍ରଶଂସା କରିଥିଲେ । ଉକ୍ତ କାର୍ୟ୍ୟକ୍ରମରେ ଫୋରମ୍ ତରଫରୁ ମହିଳାମାନଙ୍କର “ଅଧିକାର, ନ୍ୟାୟ ଓ କାର୍ୟ୍ୟାନୁଷ୍ଠାନ ” ସଂପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନାଚକ୍ରରେ ସମ୍ମାନନୀୟ ଅତିଥ ଭାବେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରବକ୍ତା ଶ୍ରୀମତୀ ସୋନାଲି ସାହୁ, ଜାଭିୟର ହାଇସ୍କୁଲ କେଦାରଗୌରୀ ଭୁବନେଶ୍ଵରର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ମିଶ୍ର ଏବଂ ଆଡ଼ଭୋକେଟ୍ ତଥା ସାମାଜିକ କର୍ମୀ ମୋନାଲିସା ଗନ୍ତାୟତ ଯୋଗଦାନ କରିଥିଲେ । ଏହି ଆଲୋଚନାଚକ୍ରକୁ ଫୋରମ୍ ର କୋଷାଧ୍ୟକ୍ଷା ଶ୍ରୀମତୀ ଶୋଭେଦିତା ରୟ ସଂଯୋଜନା କରିଥିଲେ ।

ଏହି କାର୍ୟ୍ୟକ୍ରମରେ ଦୃଢ଼ ସଂକଳ୍ପ, କଠିନ ଅଧ୍ୟବସାୟ ବଳରେ ସଫଳତାର ଶିଖର ଛୁଇଁଥିବା ୧୨ଜଣ ନାରୀ ପ୍ରତିଭା ଯଥା-ଅନୁସୟା ନାୟକ କର୍ମଣୀ, ଅରୁନ୍ଧତି ମଲ୍ଲିକ-ସାମ୍ବାଦିକତା, ଡ଼. ମନିଷା ମହାନ୍ତି-ସ୍ୱାସ୍ଥ୍ୟ, ମନ୍ଦାକିନୀ ଜେନା-ନୃତ୍ୟ ନିର୍ଦ୍ଦେଶିକା, ଡ. ଅନୁସୟା ନାଥ-ସଙ୍ଗୀତ, ଦେବଯାନୀ ଦେଘୁରିଆ ଚଳଚିତ୍ର, ସୁଷମା ନନ୍ଦ-କ୍ରୀଡ଼ା, ଅନାମିକା ସ୍ଵାଇଁ ପଟ୍ଟନାୟକ-ଲେଖିକା, ସୁଶ୍ରୀ ଶୀତଳ ବସ୍ତିଆ-ସମାଜ ସେବା, ଗୀତାଞ୍ଜଳି ପ୍ରଧାନ ସେବା, ଅନ୍ନପୂର୍ଣ ଦେହୁରୀ-ସେବା, ଲିନା ଦାସ-ସେବା “ଅଭିରୁଚି ନାରୀ ପ୍ରତିଭା ସମ୍ମାନ”ରେ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା ।

କାର୍ୟ୍ୟକ୍ରମରେ ଏକ “ଫେସନ୍ ଶୋ” ଆୟୋଜନ କରାଯାଇଥିଲା । ପ୍ରତିଯୋଗୀମାନେ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ୍ର ବସ୍ତ୍ର ପରିଧାନ କରି ଦର୍ଶକମାନଙ୍କୁ ବିମୋହିତ କରିଥିଲେ । କୃତି ପ୍ରତିଯୋଗୀମାନଙ୍କୁ ଫୋରମ୍ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏତଦ୍ ବ୍ୟତୀତ ଭୁବନେଶ୍ଵରର ବିଭିନ୍ନ ମହିଳା ଅନୁଷ୍ଠାନମାନଙ୍କୁ ଫୋରମ୍ ତରଫରୁ ସମ୍ମାନିତ କରାଯାଇଥିଲା ।
ଏହି କାର୍ୟ୍ୟକ୍ରମକୁ ଆନି ଶତପଥି ସଂଯୋଜନା କରିଥିଲେ ଏବଂ ଫୋରମ୍ ର ସଭାନେତ୍ରୀ ଶ୍ରୀମତୀ ଦିପ୍ତିପ୍ରଭା ରଥ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ । କାର୍ୟ୍ୟକ୍ରମରେ ଫୋରମ୍ ର ସମସ୍ତ ସଦସ୍ୟା, ପରାମର୍ଶଦାତା ଓ ଶୁଭେଚ୍ଛୁମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *