ଭୁବନେଶ୍ୱର,୧୩/୦୨/୨୦୨୬ (ଓଡ଼ିଶା ସମାଚାର)- ‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ସାରସ୍ୱତ ଓ ସମ୍ବର୍ଦ୍ଧନା ସମାରୋହ-୨୦୨୬ ଓଡ଼ିଶା ସରକାରଙ୍କ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ପତ୍ରିକାର ସମ୍ପାଦିକା ମମତା ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଯାଇଛି । ‘ଯୁଗଶ୍ରୀ ଯୁଗନାରୀ’ ସହ-ସମ୍ପାଦିକା ଡ. ପ୍ରଭାବତୀ ପଣ୍ଡା ଅତିିଥି ପରିିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
ଏହି ସାରସ୍ୱତ ସମାରୋହରେ ମୁଖ୍ୟଅତିଥି ଓଡ଼ିଶା ସରକାରଙ୍କ ଉପମୁଖ୍ୟ ସଚେତକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ ପରମ୍ପରାକୁ ସମ୍ମାନ ଦେବା ସାହିତି୍ୟକର ଧର୍ମ । ସାହିତ୍ୟ ବଂଚିଲେ ଓଡ଼ିଶା ବଂଚିବ, ଓଡ଼ିଶା ବଂଚିଲେ ଦେଶ ବଂଚିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି ସାହିତ୍ୟ ଶବ୍ଦର ସମାହାରା ନୁହେଁ, ଏହା ଏକ ମାଟିର ସ୍ପନ୍ଦନ ବୋଲି ମତବ୍ୟକ୍ତ କରିଥିଲେ । ବିଶିଷ୍ଟ ସାହିତି୍ୟକ, ଶିକ୍ଷାବିତ୍ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ଯେଉଁ ସମାଜରେ ସ୍ୱଚ୍ଛତା ନାହିଁ, ସେ ସମାଜ ବିସ୍ମୟକାରୀ ସାହିତ୍ୟ ସୃଷ୍ଟି କରିପାରେ ନାହିଁ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ବିଶିଷ୍ଟ ସାହିତି୍ୟକ ତଥା ସ୍ତମ୍ଭକାର ଶ୍ରୀଯୁକ୍ତ ଦାଶ ବେନହୁର ତାଙ୍କ ବକ୍ତବ୍ୟରେ କହିଲେ ଯେ, ପଢି ହେଉନଥିବା ସାହିତ୍ୟ ଯେତେ ଆଖି ସୁନ୍ଦର ହେଲେ ମଧ୍ୟ ତାହା ଗ୍ରହଣୀୟ ହୁଏନାହିଁ । ସେ କ୍ଷେତ୍ରରେ ‘ଯୁଗଶ୍ରୀ ଯୁଗନାରୀ’ ପତ୍ରିକା ସଫା ଶାଢୀଟିଏ ପିନ୍ଧି ମା’ଟିଏ ଛିଡ଼ାହେଲା ଭଳି ଲାଗେ । ଏହି ଅବସରରେ ‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିର୍କ ଫେବୃଆରୀ-୨୦୨୬ ସଂଖ୍ୟାର ଶୁଭ ଉନ୍ମୋଚନ ହୋଇଥିଲା । ଏଥରର ପ୍ରଚ୍ଛଦପଟରେ ଅଛନ୍ତି ଜି.ଆଇ. ଓମେନ୍ ଡ. ଅନୀତା ସାବତ ।
ଏହି ସାରସ୍ୱତ ସମାରୋହରେ ୨୦୨୬ ମସିହା ପାଇଁ ବିଶିଷ୍ଟ ସାହିତି୍ୟକା ଓ ଶିକ୍ଷାବିତ୍ ପ୍ରଫେସର ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ ଯୁଗଶ୍ରୀ ଯୁଗନାରୀ ସାରସ୍ୱତ ସମ୍ମାନ, ବିଶିଷ୍ଟ ସମାଜସେବୀ ଓ ଶିକ୍ଷାବିତ୍ ଡ. ଦୀପା ପାଢୀଙ୍କୁ ଯୁଗଶ୍ରୀ ଯୁଗନାରୀ ସମାଜସେବା ସମ୍ମାନ, ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଯୁକ୍ତ ଉପେନ୍ଦ୍ର ନାଥ ଗିରିଙ୍କୁ ଯୁଗଶ୍ରୀ ଯୁଗନାରୀ ଶିଳ୍ପୀ ସମ୍ମାନ ଏବଂ ମାଧବ ବୁକ୍ ଷ୍ଟୋରର ଶ୍ରୀଯୁକ୍ତ ଅମ୍ବରୀଶ ସ୍ୱାଇଁଙ୍କୁ ଯୁଗଶ୍ରୀ ଯୁଗନାରୀ ଶ୍ରେଷ୍ଠ ବିତରକ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଡ. ପ୍ରଭାତୀ ମିଶ୍ରଙ୍କ ସମ୍ପାଦିତ ପୁସ୍ତକ ‘ଆଡୋରେବଲ୍ ମଦର୍ସ’, ଡାକ୍ତର ଅନୀତା ପଣ୍ଡାଙ୍କ ଉପନ୍ୟାସ ‘ଆହୁତି’, ମେଜର ଡ. ସୁମିତ୍ରା ମିଶ୍ରଙ୍କ ନାଟକ ପୁସ୍ତକ ‘ମଣ୍ଡି’ ଓ ଡ. ସୁଷମା ମିଶ୍ରଙ୍କର ଶିଶୁ କବିତା ପୁସ୍ତକ ‘ଆସ ଦେଖିବା ଇନ୍ଦ୍ରଧନୁ’ ଉନ୍ମୋଚିତ ହୋଇଥିଲା ।
ସୁଶ୍ରୀ ଗୀତାଞ୍ଜଳି ସିଂହ ମଂଚ ଆହ୍ୱାନ କରିଥିବା ବେଳେ ସହିଦନଗର ସ୍ଥିତ ଆର୍ଯ୍ୟ ସମାଜର ସମ୍ପାଦକ ବୀରେନ୍ଦ୍ର କର ବେଦପାଠ କରିଥିଲେ । ସୁଶ୍ରୀ ଦୀପ୍ତି ଦାସ ସଂଯୋଜନା କରିଥିଲା ବେଳେ ଡ. ଗାୟତ୍ରୀ କର, ଆରାଧନା ମିଶ୍ର, ମୀରା ବେଉରା ସଭା ପରିଚାଳନାରେ ସହାୟତା କରିଥିଲେ । ଶେଷରେ ଗାଳ୍ପିକ ଚିତରଞ୍ଜନ ବର୍ମା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ସର୍ବଶ୍ରୀ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ଶିବପ୍ରସାଦ ଅଧିକାରୀ, ଡ. ରବିନାରାୟଣ ସେନାପତି, ବନଜ ଦେବୀ, ପୀତବାସ ରାଉତରାୟ, ଡ଼ ମିହିର କୁମାର ସାହୁ, ଶୈଳରାଣୀ ମିଶ୍ର, ନିରଞ୍ଜନ ପଣ୍ଡା, ଶରତ ବାରିକ, ସ୍ୱର୍ଣ୍ଣ ମିଶ୍ର, ବିଜୟଲକ୍ଷ୍ମୀ ପଟ୍ଟନାୟକ, ଆଶାଲତା ଦାସ, ଜୟନ୍ତୀ ରଥ, ଶୁଭଙ୍କର ମହାପାତ୍ର, ଡ. ପ୍ରଭାତ ନଳିନୀ ମହାପାତ୍ର, କୁସୁମ ପଟେଲ, ବିଜୟ ପାଢୀ, ସରୋଜ ଦାଶ, ଡ. ସ୍ନେହପ୍ରଭା ସାମନ୍ତରାୟ, ଡ. ମିନାକ୍ଷୀ ପଣ୍ଡା, ଡ. ବାସନ୍ତୀ ମହାନ୍ତି, ସଂଯୁକ୍ତା ମହାନ୍ତି, ମାନସୀ ପାତ୍ର ଆଦି ବହୁ ସାରସ୍ୱତ ସାଧକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।
